ଧାର୍ମିକତା ସକାଶେ ଦୁଃଖଭୋଗ

8ଶେଷ କଥା ଏହି, ତୁମ୍ଭେମାନେ ସମସ୍ତେ ଏକମନା, ପରସ୍ପରର ସୁଖଦୁଃଖର ସହଭାଗୀ, ଭ୍ରାତୃପ୍ରେମରେ ପ୍ରେମୀ, କୋମଳ ହୃଦୟ ଓ ନମ୍ରଚିତ୍ତ ହୁଅ; 9ଅନିଷ୍ଟ ପରିବର୍ତ୍ତେ ଅନିଷ୍ଟ କିଅବା ନିନ୍ଦାର ପରିବର୍ତ୍ତେ ନିନ୍ଦା ନ କରି ଅନ୍ୟ ପକ୍ଷରେ ବରଂ ଆଶୀର୍ବାଦ କର, କାରଣ ତୁମ୍ଭେମାନେ ଯେପରି ଆଶୀର୍ବାଦର ଅଧିକାରୀ ହୁଅ, ଏଥିପାଇଁ ଆହୂତ ହୋଇଅଛ। 10ଯେଣୁ,

“ଯେ ଜୀବନରେ ସୁଖଭୋଗ କରିବାକୁ ପୁଣି,

ମଙ୍ଗଳର ଦିନ ଦେଖିବାକୁ ଇଚ୍ଛା କରେ,

ସେ ମନ୍ଦ ବାକ୍ୟରୁ ଆପଣା ଜିହ୍ୱାକୁ,

ଆଉ ପ୍ରବଞ୍ଚନା ବାକ୍ୟରୁ ଆପଣା ଓଷ୍ଠାଧରକୁ ବନ୍ଦ କରୁ;

11ସେ ମନ୍ଦରୁ ବିମୁଖ ହୋଇ ସତ୍କର୍ମ କରୁ; ସେ ଶାନ୍ତି ଅନ୍ୱେଷଣ କରି ସେଥିର ଅନୁଗାମୀ ହେଉ। 12କାରଣ ଧାର୍ମିକମାନଙ୍କ ପ୍ରତି ପ୍ରଭୁଙ୍କ ଦୃଷ୍ଟି ଅଛି,

ସେମାନଙ୍କ ବିନତି ପ୍ରତି ତାହାଙ୍କ କର୍ଣ୍ଣ ଉନ୍ମୁକ୍ତ ଅଟେ,

କିନ୍ତୁ ପ୍ରଭୁଙ୍କର ମୁଖ ଦୁଷ୍କର୍ମକାରୀମାନଙ୍କ ପ୍ରତିକୂଳ।”

13ଆଉ ତୁମ୍ଭେମାନେ ଯଦି ଉତ୍ତମ ବିଷୟରେ ଉଦ୍‌ଯୋଗୀ ହୁଅ, ତେବେ କିଏ ତୁମ୍ଭମାନଙ୍କର ଅନିଷ୍ଟ କରିବ? 14ପୁଣି, ଯଦିବା ଧାର୍ମିକତା ସକାଶେ ତୁମ୍ଭମାନଙ୍କୁ ଦୁଃଖଭୋଗ କରିବାକୁ ପଡ଼େ, ତାହାହେଲେ ତୁମ୍ଭେମାନେ ଧନ୍ୟ। ସେମାନେ ଭୟ ଦେଖାଇଲେ ଭୀତ କିଅବା ଉଦ୍‍ବିଗ୍ନ ହୁଅ ନାହିଁ; 15କିନ୍ତୁ ଖ୍ରୀଷ୍ଟଙ୍କୁ ପ୍ରଭୁ ବୋଲି ଆପଣା ଆପଣା ହୃଦୟରେ ପବିତ୍ର ରୂପେ ମାନ୍ୟ କର। ତୁମ୍ଭମାନଙ୍କଠାରେ ଥିବା ଭରସାର କାରଣ ସମ୍ବନ୍ଧରେ ଯେ କେହି ପ୍ରଶ୍ନ କରେ, ତାହାକୁ ପ୍ରତ୍ୟୁତ୍ତର ଦେବାକୁ ପ୍ରସ୍ତୁତ ରୁହ, କିନ୍ତୁ ନମ୍ର ଭାବରେ ଓ ସଭୟରେ ଉତ୍ତମ ବିବେକ ସହ ଉତ୍ତର ଦିଅ, 16ଯେପରି ତୁମ୍ଭମାନଙ୍କ ନିନ୍ଦକମାନେ ଯେଉଁ ବିଷୟରେ ତୁମ୍ଭମାନଙ୍କର ଖ୍ରୀଷ୍ଟୀୟ ଆଚରଣର ଦୋଷାରୋପ କରନ୍ତି, ସେଥିରେ ସେମାନେ ଲଜ୍ଜିତ ହେବେ। 17କାରଣ ଦୁଷ୍କର୍ମ ସକାଶେ ଦୁଃଖଭୋଗ କରିବାଠାରୁ ବରଂ ଯଦି ଈଶ୍ବରଙ୍କର ଇଚ୍ଛା ହୁଏ, ତାହାହେଲେ ସତ୍କର୍ମ ସକାଶେ ଦୁଃଖଭୋଗ କରିବା ଭଲ। 18ଯେଣୁ ଆମ୍ଭମାନଙ୍କୁ ଈଶ୍ବରଙ୍କ ନିକଟକୁ ଆଣିବା ପାଇଁ ଖ୍ରୀଷ୍ଟ ମଧ୍ୟ ଧାର୍ମିକ ହୋଇ ଅଧାର୍ମିକମାନଙ୍କ ନିମନ୍ତେ ପାପ ହେତୁ ଥରେ ମୃତ୍ୟୁଭୋଗ କଲେ। ସେ ଶରୀରରେ ମୃତ୍ୟୁଭୋଗ କଲେ ସତ, କିନ୍ତୁ ଆତ୍ମାରେ ଜୀବିତ ହେଲେ; 19ସେଥିରେ ମଧ୍ୟ ସେ ବନ୍ଦୀ ଆତ୍ମାମାନଙ୍କ ନିକଟକୁ ଯାଇ ପ୍ରଚାର କଲେ; 20ପୂର୍ବକାଳରେ ନୋହଙ୍କ ସମୟରେ ଜାହାଜ ନିର୍ମିତ ହେଉଥିବା ବେଳେ, ଯେତେବେଳେ ଈଶ୍ବର ଦୀର୍ଘସହିଷ୍ଣୁ ହୋଇ ଅପେକ୍ଷା କରୁଥିଲେ, ସେହି ସମୟରେ ସେମାନେ ଅବାଧ୍ୟ ହୋଇଥିଲେ। ସେହି ଜାହାଜରେ ପ୍ରବେଶ କରି ଅଳ୍ପ ଲୋକ, ଅର୍ଥାତ୍‍ ଆଠ ପ୍ରାଣୀ, ଜଳ ମଧ୍ୟ ଦେଇ ରକ୍ଷା ପାଇଲେ; 21ସେଥିର ପ୍ରତିରୂପ ବାପ୍ତିସ୍ମ ଅର୍ଥାତ୍‍ ଶରୀରର ମଳିନତା ଦୂରୀକରଣ ନୁହେଁ, କିନ୍ତୁ ଈଶ୍ବରଙ୍କ ନିକଟରେ ଶୁଚି ବିବେକ ପାଇବା ନିମନ୍ତେ ପ୍ରାର୍ଥନା, ଯୀଶୁ ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଦ୍ୱାରା ଏବେ ତୁମ୍ଭମାନଙ୍କୁ ପରିତ୍ରାଣ କରୁଅଛି; 22ସେହି ଯୀଶୁ ଖ୍ରୀଷ୍ଟ ସ୍ୱର୍ଗାରୋହଣ କରି ଈଶ୍ବରଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଅଛନ୍ତି, ଆଉ ଦୂତମାନେ, କ୍ଷମତାବାନ ଓ ଶକ୍ତିଶାଳୀମାନେ ତାହାଙ୍କ ବଶୀଭୂତ ହୋଇଅଛନ୍ତି।