ଈଶ୍ବରଙ୍କ ଅନୁଗ୍ରହର ଭଣ୍ଡାରଘରିଆ

1ଖ୍ରୀଷ୍ଟ ଶରୀରରେ ଦୁଃଖଭୋଗ କରିଥିବାରୁ ତୁମ୍ଭେମାନେ ମଧ୍ୟ ସେହିପରି ମନ ଧରି ଆପଣାମାନଙ୍କୁ ସୁସଜ୍ଜିତ କର, କାରଣ ଯେ, ଶରୀରରେ ଦୁଃଖଭୋଗ କରିଅଛି, ସେ ପାପରୁ ନିବୃତ୍ତ ହୋଇଅଛି, 2ଯେପରି ତୁମ୍ଭେମାନେ ଜାଗତିକ ଜୀବନର ଅବଶିଷ୍ଟ କାଳ ମନୁଷ୍ୟର କୁଅଭିଳାଷ ଅନୁସାରେ କ୍ଷେପଣ ନ କରି ଈଶ୍ବରଙ୍କ ଇଚ୍ଛାନୁସାରେ କ୍ଷେପଣ କର। 3ଯେଣୁ ଅଣଯିହୁଦୀମାନଙ୍କର ଇଚ୍ଛାନୁସାରେ କାର୍ଯ୍ୟ କରି ତୁମ୍ଭେମାନେ ଯେତେକାଳ କାମୁକତା, କୁଅଭିଳାଷ, ମଦ୍ୟପାନ, ରଙ୍ଗରସ, ମତ୍ତତା ଓ ଘୃଣ୍ୟ ପ୍ରତିମାପୂଜା କରୁଥିଲ, ତାହା ଯଥେଷ୍ଟ; 4ଏପ୍ରକାର ଉଚ୍ଛୃଙ୍ଖଳ ପନ୍ଥାରେ ତୁମ୍ଭେମାନେ ଯେ ସେମାନଙ୍କ ସହିତ ଧାବମାନ ହେଉ ନାହଁ, ଏହା ସେମାନେ ଆଶ୍ଚର୍ଯ୍ୟ ମଣି ତୁମ୍ଭମାନଙ୍କର ନିନ୍ଦା କରନ୍ତି; 5କିନ୍ତୁ ଯେ ଜୀବିତ ଓ ମୃତ ଲୋକମାନଙ୍କର ବିଚାର କରିବାକୁ ଉଦ୍ୟତ, ସେହି ଈଶ୍ବରଙ୍କ ଛାମୁରେ ସେମାନଙ୍କୁ ହିସାବ ଦେବାକୁ ହେବ। 6କାରଣ ଏହି ଉଦ୍ଦେଶ୍ୟରେ ମୃତମାନଙ୍କ ନିକଟରେ ମଧ୍ୟ ସୁସମାଚାର ପ୍ରଚାରିତ ହେଲା, ଯେପରି ସେମାନେ ମନୁଷ୍ୟମାନଙ୍କ ସଦୃଶ ଶରୀରରେ ବିଚାରିତ ହେଲେ ହଁ ଈଶ୍ବରଙ୍କ ସଦୃଶ ଆତ୍ମାରେ ସଜୀବ ହେବେ। 7ମାତ୍ର ସମସ୍ତ ବିଷୟର ଅନ୍ତିମ ସମୟ ସନ୍ନିକଟ। ଅତଏବ ସୁବୁଦ୍ଧି ହୁଅ, ପୁଣି, ପ୍ରାର୍ଥନା କରିବା ପାଇଁ ଜାଗ୍ରତ ଥାଅ, 8ବିଶେଷରେ ପ୍ରଗାଢ଼ ପ୍ରେମରେ ପରସ୍ପରକୁ ପ୍ରେମ କରୁଥାଅ, କାରଣ ପ୍ରେମ ବହୁଳ ପାପ ଆଚ୍ଛାଦନ କରେ। 9କୁଣ୍ଠିତ ନ ହୋଇ ପରସ୍ପରର ଆତିଥ୍ୟ କର; 10ପ୍ରତ୍ୟେକ ଜଣ ଯେଉଁପରି ଅନୁଗ୍ରହ ଦାନ ପାଇଅଛ, ସେହି ପ୍ରକାରେ ଈଶ୍ବରଙ୍କ ବହୁବିଧ ଅନୁଗ୍ରହର ଉତ୍ତମ ଭଣ୍ଡାରଘରିଆ ସ୍ୱରୂପେ ତଦ୍ୱାରା ପରସ୍ପରର ସେବା କର; 11କେହି ଯଦି ପ୍ରଚାର କରେ, ତେବେ ସେ ଈଶ୍ବରଙ୍କ ବାକ୍ୟର ପ୍ରଚାରକ ପରି ପ୍ରଚାର କରୁ; କେହି ଯଦି ସେବା କରେ, ତେବେ ସେ ଈଶ୍ବରଙ୍କଠାରୁ ଶକ୍ତିପ୍ରାପ୍ତ ଲୋକ ପରି ସେବା କରୁ, ଯେପରି ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଈଶ୍ବର ଗୌରବାନ୍ୱିତ ହେବେ; ଯୁଗେ ଯୁଗେ ଗୌରବ ଓ ପରାକ୍ରମ ତାହାଙ୍କର। ଆମେନ୍‍।