ଭ୍ରାନ୍ତ ଶିକ୍ଷକଙ୍କ ପ୍ରତି ସତର୍କତା

3ମୁଁ ମାକିଦନିଆକୁ ଯିବା ସମୟରେ ତୁମ୍ଭକୁ ଯେପ୍ରକାର ଅନୁରୋଧ କରିଥିଲି, ସେହିପରି ତୁମ୍ଭେ ଏଫିସରେ ରହି କେତେକ ଲୋକ ଯେପରି ଭିନ୍ନ ଶିକ୍ଷା ନ ଦିଅନ୍ତି 4କି କଳ୍ପିତ ଗଳ୍ପ ଓ ଅଶେଷ ବଂଶାବଳୀରେ ମନୋଯୋଗ ନ କରନ୍ତି, ଏଥିନିମନ୍ତେ ସେମାନଙ୍କୁ ଆଜ୍ଞା ଦିଅ; ସେହିସବୁ ତ ବିଶ୍ୱାସ ସମ୍ବନ୍ଧୀୟ ଈଶ୍ବରଙ୍କ କାର୍ଯ୍ୟର ଉପକାରୀ ନ ହୋଇ ବରଂ ଯୁକ୍ତିତର୍କ ସୃଷ୍ଟି କରେ। 5କିନ୍ତୁ ଶୁଦ୍ଧ ହୃଦୟ, ଶୁଚି ବିବେକ ଓ ନିଷ୍କପଟ ବିଶ୍ୱାସରୁ ଜାତ ଯେଉଁ ପ୍ରେମ, 6ତାହା ଧର୍ମ ଶିକ୍ଷାର ଉଦ୍ଦେଶ୍ୟ ଅଟେ; କେହି କେହି ଏସମସ୍ତ ବିଷୟ ପ୍ରତି ଲକ୍ଷ୍ୟ ନ କରି ଅସାର କଥାରେ ଆସକ୍ତ ହୋଇ ପଥଭ୍ରଷ୍ଟ ହୋଇଅଛନ୍ତି; 7ସେମାନେ ମୋଶାଙ୍କ ବ୍ୟବସ୍ଥାର ଶିକ୍ଷକ ହେବାକୁ ଇଚ୍ଛା କରନ୍ତି, ମାତ୍ର ଯାହା କହନ୍ତି, କି କେଉଁ ବିଷୟରେ ଦୃଢ଼ ଶିକ୍ଷା ଦିଅନ୍ତି, ତାହା ନିଜେ ବୁଝନ୍ତି ନାହିଁ। 8କିନ୍ତୁ ମୋଶାଙ୍କ ବ୍ୟବସ୍ଥା ଧାର୍ମିକ ଲୋକ ନିମନ୍ତେ ନିରୂପିତ ନ ହୋଇ ସ୍ୱେଚ୍ଛାଚାରୀ ଓ ଅବାଧ୍ୟ, ଅଧାର୍ମିକ ଓ ପାପୀ, ଅଶୁଚି ଓ ଧର୍ମଦ୍ୱେଷୀ, ପିତୃହନ୍ତା ଓ ମାତୃହନ୍ତା, 9ନରହନ୍ତା, ବ୍ୟଭିଚାରୀ, ପୁଂମୈଥୁନକାରୀ, ମନୁଷ୍ୟ-ଚୋର, ମିଥ୍ୟାବାଦୀ ଓ ମିଥ୍ୟା ଶପଥକାରୀମାନଙ୍କ ନିମନ୍ତେ ପୁଣି, ଉତ୍ତମ ଶିକ୍ଷାର ବିପରୀତରେ ଯେକୌଣସି ବିଷୟ ଥାଏ, ତାହା ନିମନ୍ତେ ଯେ ନିରୂପିତ ହୋଇଅଛି, 10ଏହା ଜାଣି ଯଦି କେହି ମୋଶାଙ୍କ ବ୍ୟବସ୍ଥାର ଉଚିତ୍ ବ୍ୟବହାର କରେ, ତେବେ ତାହା ଯେ ଉତ୍ତମ, ଏହା ଅାମ୍ଭେମାନେ ଜାଣୁ; 11ଏହା ତ ମୋ ନିକଟରେ ସମର୍ପିତ ପରମଧନ୍ୟ ଈଶ୍ବରଙ୍କ ଗୌରବମୟ ସୁସମାଚାରର ଶିକ୍ଷା ଅନୁଯାୟୀ ଅଟେ।