ପାଉଲଙ୍କ ଯୋଜନାରେ ପରିବର୍ତ୍ତନ

12ଜଗତରେ, ବିଶେଷତଃ ତୁମ୍ଭମାନଙ୍କ ପ୍ରତି, ଆମ୍ଭେମାନେ ସାଂସାରିକ ଜ୍ଞାନରେ ଆଚରଣ ନ କରି ବରଂ ଈଶ୍ବରଙ୍କ ଅନୁଗ୍ରହରେ, ତାହାଙ୍କ ପବିତ୍ର ଓ ସରଳ ଭାବାନୁସାରେ ଆଚରଣ କରିଥିଲୁ ବୋଲି ଆମ୍ଭମାନଙ୍କର ବିବେକ ଯେ ସାକ୍ଷ୍ୟ ଦେଉଅଛି, ଏହା ଆମ୍ଭମାନଙ୍କ ଦର୍ପର ବିଷୟ। 13କାରଣ ତୁମ୍ଭେମାନେ ଯାହା ଯାହା ପାଠ କରି ବୁଝିପାର, ସେହିସବୁ ବିନା, ଆମ୍ଭେମାନେ ତୁମ୍ଭମାନଙ୍କ ନିକଟକୁ ଆଉ କିଛି ଲେଖୁ ନାହୁଁ, 14ପୁଣି, ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ଦିନରେ ତୁମ୍ଭେମାନେ ଯେପ୍ରକାରେ ଆମ୍ଭମାନଙ୍କ ଦର୍ପର କାରଣ, ସେହି ପ୍ରକାରେ ଆମ୍ଭେମାନେ ଯେ ତୁମ୍ଭମାନଙ୍କ ଦର୍ପର କାରଣ, ଏହା ତୁମ୍ଭେମାନେ ଯେପରି ଆମ୍ଭମାନଙ୍କ ବିଷୟରେ ଆଂଶିକ ଭାବରେ ବୁଝିଅଛ, ସେପରି ଶେଷ ପର୍ଯ୍ୟନ୍ତ ବୁଝୁଥିବ ବୋଲି ମୁଁ ଭରସା କରୁଅଛି। 15ଆଉ, ତୁମ୍ଭେମାନେ ଯେପରି ଦ୍ୱିତୀୟ ଥର ଅନୁଗ୍ରହ ଲାଭ କରିପାର, 16ପୁଣି, ତୁମ୍ଭମାନଙ୍କ ନିକଟ ଦେଇ ମାକିଦନିଆକୁ ଯାଇ ଓ ପୁନର୍ବାର ମାକିଦନିଆରୁ ତୁମ୍ଭମାନଙ୍କ ନିକଟକୁ ଆସି ତୁମ୍ଭମାନଙ୍କ ସାହାଯ୍ୟରେ ଯିହୂଦିୟା ପ୍ରଦେଶକୁ ଯାତ୍ରା କରିପାରେ, ଏଥିପାଇଁ ମୁଁ ସେହି ବିଶ୍ୱାସରେ ପ୍ରଥମରେ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ଇଚ୍ଛା କରୁଥିଲି। 17ତେବେ ଏହି ପ୍ରକାର ଇଚ୍ଛା କରିବାରେ ମୁଁ କଅଣ ଅସ୍ଥିର ଭାବରେ ଆଚରଣ କରିଥିଲି? ଅବା, ମୁଁ ଯାହା ସଙ୍କଳ୍ପ କରିଥାଏ, ତାହା କଅଣ ସାଂସାରିକ ଭାବରେ କରିଥାଏ ଯେ, ମୋହର କଥା ହଁ ଓ ନା ଉଭୟ ହୁଏ? 18କିନ୍ତୁ ଈଶ୍ବର ବିଶ୍ୱସ୍ତ, ଏଣୁ ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କ ବାକ୍ୟ ହଁ ଓ ନା ହୁଏ ନାହିଁ। 19କାରଣ ଈଶ୍ବରଙ୍କ ପୁତ୍ର ଖ୍ରୀଷ୍ଟ ଯୀଶୁ, ଯେ ଆମ୍ଭମାନଙ୍କ ଦ୍ୱାରା, ଅର୍ଥାତ୍‍, ମୋʼ ଦ୍ୱାରା ଏବଂ ସିଲ୍ୱାନ ଓ ତୀମଥିଙ୍କ ଦ୍ୱାରା ତୁମ୍ଭମାନଙ୍କ ମଧ୍ୟରେ ପ୍ରଚାରିତ ହେଲେ, ସେ ହଁ ଓ ନା ହୋଇ ନାହାନ୍ତି, ବରଂ ତାହାଙ୍କଠାରେ ହଁ ହୋଇଅଛି। 20ଯେଣୁ ଈଶ୍ବରଙ୍କର ଯେତେ ପ୍ରତିଜ୍ଞା, ସେସମସ୍ତର ହଁ ତାହାଙ୍କଠାରେ ଅଛି; ଏଥିସକାଶେ ମଧ୍ୟ ତାହାଙ୍କ ଦ୍ୱାରା ଈଶ୍ବରଙ୍କ ଗୌରବ ଉଦ୍ଦେଶ୍ୟରେ ଆମ୍ଭେମାନେ ଆମେନ୍‍ କହିଥାଉ। 21ପୁଣି, ଯେ ଆମ୍ଭମାନଙ୍କୁ ତୁମ୍ଭମାନଙ୍କ ସହିତ ଖ୍ରୀଷ୍ଟଙ୍କଠାରେ ସ୍ଥିର କରନ୍ତି, ପୁଣି, ଆମ୍ଭମାନଙ୍କୁ ଅଭିଷେକ କରିଅଛନ୍ତି, ସେ ଈଶ୍ବର; 22ସେ ମଧ୍ୟ ଆମ୍ଭମାନଙ୍କୁ ମୁଦ୍ରାଙ୍କିତ କରିଅଛନ୍ତି ଓ ଆମ୍ଭମାନଙ୍କ ହୃଦୟରେ ପବିତ୍ର ଆତ୍ମାଙ୍କୁ ବଇନା ସ୍ୱରୂପେ ଦାନ କରିଅଛନ୍ତି। 23କିନ୍ତୁ ମୁଁ ଈଶ୍ବରଙ୍କୁ ସାକ୍ଷୀ ମାନି ମୋʼ ପ୍ରାଣର ଶପଥ କରୁଅଛି ଯେ, ତୁମ୍ଭମାନଙ୍କ ପ୍ରତି ଦୟା ବହି ମୁଁ କରିନ୍ଥ ସହରକୁ ପୁନର୍ବାର ଯାଇ ନାହିଁ। 24ତୁମ୍ଭମାନଙ୍କ ବିଶ୍ୱାସ ଉପରେ ଯେ ଆମ୍ଭମାନଙ୍କର ପ୍ରଭୁତ୍ୱ ଅଛି, ତାହା ନୁହେଁ, ବରଂ ତୁମ୍ଭମାନଙ୍କର ଆନନ୍ଦ ନିମନ୍ତେ ତୁମ୍ଭମାନଙ୍କର ସହକର୍ମୀ ଅଟୁ ଯେଣୁ ବିଶ୍ୱାସରେ ତୁମ୍ଭେମାନେ ସ୍ଥିର ହୋଇ ରହିଅଛ।

1ମାତ୍ର ତୁମ୍ଭମାନଙ୍କ ନିକଟକୁ ମୋହର ଯିବା ଯେପରି ପୁନର୍ବାର ଦୁଃଖଜନକ ନ ହୁଏ, ଏହା ମୁଁ ମନରେ ସ୍ଥିର କଲି। 2ଯେଣୁ ମୁଁ ଯଦି ତୁମ୍ଭମାନଙ୍କୁ ଦୁଃଖ ଦିଏ, ତେବେ ଯାହାକୁ ମୁଁ ଦୁଃଖ ଦିଏ, ତାହା ଛଡ଼ା ଆଉ କିଏ ମୋତେ ଆନନ୍ଦ ଦେବ? 3ପୁଣି, ଯେଉଁମାନଙ୍କଠାରୁ ମୋହର ଆନନ୍ଦ ପାଇବା ଉଚିତ, ସେମାନଙ୍କଠାରୁ ମୁଁ ଆସି ଯେପରି ଦୁଃଖ ନ ପାଏ, ଏଥିନିମନ୍ତେ ମୁଁ ଏହି କଥା ଲେଖିଥିଲି, ଯେଣୁ ମୋହର ଆନନ୍ଦରେ ଯେ ତୁମ୍ଭମାନଙ୍କର ଆନନ୍ଦ, ଏହା ତୁମ୍ଭ ସମସ୍ତଙ୍କ ବିଷୟରେ ମୋହର ବିଶ୍ୱାସ। 4କାରଣ ବହୁତ କ୍ଳେଶ ଓ ହୃଦୟର ବେଦନାରେ ବହୁ-ଅଶ୍ରୁପାତ ସହିତ ମୁଁ ତୁମ୍ଭମାନଙ୍କୁ ଲେଖିଥିଲି ଯେପରି ତୁମ୍ଭେମାନେ ଦୁଃଖିତ ହୁଅ, ଏପରି ନୁହେଁ, ମାତ୍ର ତୁମ୍ଭମାନଙ୍କ ପ୍ରତି ମୋହର ଯେ ଅଧିକ ପ୍ରଚୁର ପ୍ରେମ ଅଛି, ଏହା ଯେପରି ତୁମ୍ଭେମାନେ ଜ୍ଞାତ ହୁଅ।