ସୁସମାଚାରର ଆଲୋକ
1ଅତଏବ, ଆମ୍ଭେମାନେ ଦୟା ପ୍ରାପ୍ତ ହୋଇ ଏହି ସେବକପଦ ପାଇବାରୁ ସାହସବିହୀନ ନୋହୁଁ, 2ମାତ୍ର ଆମ୍ଭେମାନେ ଲଜ୍ଜାଜନକ ଗୁପ୍ତ ବିଷୟସବୁ ପରିତ୍ୟାଗ କରିଅଛୁ; ଏଣୁ ଆମ୍ଭେମାନେ ଧୂର୍ତ୍ତତାରେ ଆଚରଣ କରୁ ନାହୁଁ ଅବା ଈଶ୍ବରଙ୍କ ବାକ୍ୟ ଛଳରେ ବ୍ୟବହାର କରୁ ନାହୁଁ, କିନ୍ତୁ ସତ୍ୟ ପ୍ରକାଶ ଦ୍ୱାରା ଈଶ୍ବରଙ୍କ ସାକ୍ଷାତରେ ପ୍ରତ୍ୟେକ ମନୁଷ୍ୟର ବିବେକ ନିକଟରେ ଆପଣା ଆପଣାକୁ ଯୋଗ୍ୟ ଦେଖାଉଅଛ। 3କିନ୍ତୁ ଯଦ୍ୟପି ଆମ୍ଭମାନଙ୍କ ସୁସମାଚାର ଆଚ୍ଛାଦିତ ଥାଏ, ତାହା ବିନାଶପ୍ରାପ୍ତମାନଙ୍କ ପକ୍ଷରେ ଆଚ୍ଛାଦିତ; 4ଈଶ୍ବରଙ୍କ ପ୍ରତିମୂର୍ତ୍ତି ଯେ ଖ୍ରୀଷ୍ଟ ତାହାଙ୍କ ଗୌରବମୟ ସୁସମାଚାରର ଆଲୋକ ଯେପରି ଏହି ପ୍ରକାର ଲୋକଙ୍କ ପ୍ରତି ପ୍ରକାଶିତ ନ ହୁଏ, ଏଥିନିମନ୍ତେ ଏହି ଜଗତ୍ପତି ଅବିଶ୍ୱାସୀମାନଙ୍କର ଜ୍ଞାନଚକ୍ଷୁ ଅନ୍ଧ କରିଅଛି। 5କାରଣ ଆମ୍ଭେମାନେ ଆପଣା ଆପଣାକୁ ପ୍ରଚାର କରୁ ନାହୁଁ, ମାତ୍ର ଖ୍ରୀଷ୍ଟ ଯୀଶୁ ଯେ ପ୍ରଭୁ, ପୁଣି, ଯୀଶୁଙ୍କ ସକାଶେ ଆମ୍ଭେମାନେ ଯେ ତୁମ୍ଭମାନଙ୍କର ସେବକ, ଏହା ପ୍ରଚାର କରୁ। 6ଯେଣୁ ଅନ୍ଧକାରରୁ ଦୀପ୍ତି ପ୍ରକାଶ ପାଉ ବୋଲି ଆଜ୍ଞା ଦେଇଥିଲେ ଯେଉଁ ଈଶ୍ବର, ସେ ଖ୍ରୀଷ୍ଟଙ୍କ ମୁଖରେ ପ୍ରକାଶିତ ଈଶ୍ବରଙ୍କ ଗୌରବମୟ ଜ୍ଞାନର ଆଲୋକ ଦେଖାଇବା ନିମନ୍ତେ ଆମ୍ଭମାନଙ୍କ ହୃଦୟରେ ଆଲୋକ ପ୍ରକାଶ କରିଅଛନ୍ତି।


