ଶାଉଲ ଓ ଯୋନାଥନ ପାଇଁ ଦାଉଦଙ୍କ ଶୋକ
17ଏଥିଉତ୍ତାରେ ଦାଉଦ ଶାଉଲ ଓ ତାଙ୍କ ପୁତ୍ର ଯୋନାଥନଙ୍କ ମୃତ୍ୟୁୁରେ ବିଳାପ କଲେ; 18ପୁଣି ଯିହୁଦା-ସନ୍ତାନମାନଙ୍କୁ ସେହି ଧନୁର୍ଗୀତ ଶିଖାଇବାକୁ ଆଜ୍ଞା ଦେଲେ; ଦେଖ, ତାହା ଯାଶେର୍ ପୁସ୍ତକରେ ଲେଖାଅଛି।
19“ହେ ଇସ୍ରାଏଲ, ତୁମ୍ଭର ଭୂଷଣ ସ୍ୱରୂପ,
ତୁମ୍ଭ ଉଚ୍ଚସ୍ଥଳୀରେ ହତ ହେଲେ!
ବୀରମାନେ କିପରି ପତିତ ହେଲେ!
20ଗାଥ୍ରେ ଏହା ନ ଜଣାଅ,
ଅସ୍କିଲୋନର ଦାଣ୍ଡରେ ଏହା ପ୍ରଚାର ନ କର;
କଲେ ପଲେଷ୍ଟୀୟ କନ୍ୟାମାନେ ଆନନ୍ଦ କରିବେ
ଓ ଅସୁନ୍ନତମାନଙ୍କ କନ୍ୟାଗଣ ଜୟଧ୍ୱନି କରିବେ।
21ହେ ଗିଲ୍ବୋୟ ପର୍ବତଗଣ,
ତୁମ୍ଭମାନଙ୍କ ଉପରେ କାକର କି ବୃଷ୍ଟି ନ ପଡ଼ୁ
କିଅବା ଉପହାରଜନକ କ୍ଷେତ୍ର ନ ହେଉ;
କାରଣ ସେଠାରେ ବୀରମାନଙ୍କର ଢାଲ ମଳିନ ହେଲା,
ଶାଉଲଙ୍କର ଢାଲ ତୈଳରେ ଅନଭିଷିକ୍ତ ରହିଲା।
22ହତ ଲୋକମାନଙ୍କ ରକ୍ତରୁ,
ବୀରମାନଙ୍କ ମେଦରୁ ଯୋନାଥନଙ୍କ ଧନୁ ଫେରେ ନାହିଁ
ଓ ଶାଉଲଙ୍କର ଖଡ୍ଗ ଖାଲି ହୋଇ ଫେରେ ନାହିଁ।
23ଶାଉଲ ଓ ଯୋନାଥନ ଜୀବଦ୍ଦଶାରେ ପରସ୍ପର ପ୍ରିୟ ଓ ତୁଷ୍ଟିଜନକ ଥିଲେ,
ମରଣ ସମୟରେ ହେଁ ସେମାନେ ଭିନ୍ନ ହେଲେ ନାହିଁ;
ସେମାନେ ଉତ୍କ୍ରୋଶ ପକ୍ଷୀଠାରୁ ବେଗବାନ,
ସେମାନେ ସିଂହଠାରୁ ବଳବାନ ଥିଲେ।
24ହେ ଇସ୍ରାଏଲର କନ୍ୟାଗଣ, ଶାଉଲଙ୍କ ପାଇଁ ରୋଦନ କର,
ସେ ତୁମ୍ଭମାନଙ୍କୁ ସିନ୍ଦୂର ବର୍ଣ୍ଣ ବସ୍ତ୍ରରେ ସୁନ୍ଦର ରୂପେ ବସ୍ତ୍ରାନ୍ୱିତ କଲେ,
ସେ ତୁମ୍ଭମାନଙ୍କ ବସ୍ତ୍ର ଉପରେ ସ୍ୱର୍ଣ୍ଣ-ଅଳଙ୍କାର ମଣ୍ଡିଲେ।
25ବୀରମାନେ ଯୁଦ୍ଧ ମଧ୍ୟରେ କିପରି ମରିଅଛନ୍ତି।
ଯୋନାଥନ ତୁମ୍ଭ ଉଚ୍ଚସ୍ଥଳୀରେ ହତ ହେଲେ।
26ହେ ମୋହର ଭାଇ ଯୋନାଥନ, ମୁଁ ତୁମ୍ଭ ଲାଗି ବ୍ୟାକୁଳ ହେଉଅଛି;
ତୁମ୍ଭେ ମୋହର ଅତି ତୁଷ୍ଟିଜନକ ଥିଲ;
ମୋʼ ପ୍ରତି ତୁମ୍ଭର ପ୍ରେମ ଆଶ୍ଚର୍ଯ୍ୟ,
ତାହା ସ୍ତ୍ରୀମାନଙ୍କ ପ୍ରେମରୁ ବଳିଗଲା।
27ବୀରମାନେ କିପରି ପତିତ ହେଲେ
ଓ ଯୁଦ୍ଧାସ୍ତ୍ରସକଳ ବିନଷ୍ଟ ହେଲା।”


