ବିଶ୍ୱାସୀମାନେ ସମ୍ପତ୍ତିରେ ସମାନ ଅଧିକାର

32ବିଶ୍ୱାସକାରୀ ଲୋକସମୂହ ଏକଚିତ୍ତ ଓ ଏକପ୍ରାଣ ଥିଲେ; ସେମାନଙ୍କ ମଧ୍ୟରୁ କେହିହେଲେ ଆପଣା ସମ୍ପତ୍ତି ମଧ୍ୟରୁ କିଛି ନିଜର ବୋଲି କହୁ ନ ଥିଲେ, କିନ୍ତୁ ସେମାନଙ୍କର ସମସ୍ତ ବିଷୟ ସାଧାରଣ ଥିଲା। 33ପ୍ରେରିତମାନେ ମହାଶକ୍ତି ସହିତ ପ୍ରଭୁ ଯୀଶୁଙ୍କ ପୁନରୁତ୍ଥାନ ବିଷୟରେ ସାକ୍ଷ୍ୟ ଦେବାକୁ ଲାଗିଲେ, ପୁଣି, ସମସ୍ତଙ୍କ ଉପରେ ମହା ଅନୁଗ୍ରହ ଥିଲା। 34ଯେଣୁ ସେମାନଙ୍କ ମଧ୍ୟରେ କାହାରି କୌଣସି ଅଭାବ ନ ଥିଲା, କାରଣ ଯେତେ ଲୋକଙ୍କର ଭୂମି ବା ଗୃହ ଥିଲା, ସେମାନେ ତାହା ବିକ୍ରୟ କରି ବିକ୍ରୀତ ସମ୍ପତ୍ତିର ମୂଲ୍ୟ ଆଣି ପ୍ରେରିତମାନଙ୍କର ପାଦ ତଳେ ରଖୁଥିଲେ, 35ଆଉ ପ୍ରତ୍ୟେକ ଜଣକୁ ତାହାର ଅଭାବ ଅନୁସାରେ ତାହା ବିତରଣ କରାଯାଉଥିଲା। 36ପୁଣି, ଯୋଷେଫ, ସାଇପ୍ରସ୍ ଦ୍ବୀପରୁ ଲେବୀ ବଂଶଜାତ ଜଣେ ଲୋକ, ଯାହାଙ୍କୁ ପ୍ରେରିତମାନେ ବର୍ଣ୍ଣବ୍ବା ବୋଲି ଉପନାମ ଦେଇଥିଲେ (ଅର୍ଥାତ୍‍ ସାନ୍ତ୍ୱନାର ପୁତ୍ର), 37ତାଙ୍କର ଖଣ୍ଡେ କ୍ଷେତ୍ର ଥିଲା; ସେ ତାହା ବିକ୍ରୟ କରି ସେଥିର ଟଙ୍କା ଆଣି ପ୍ରେରିତମାନଙ୍କର ପାଦ ତଳେ ଥୋଇଲେ।