ସେବାକାର୍ଯ୍ୟାର୍ଥେ ସାତ ଜଣ ମନୋନୀତ

1ଏହି ସମୟରେ, ଯେତେବେଳେ ଶିଷ୍ୟମାନଙ୍କର ସଂଖ୍ୟା ବୃଦ୍ଧି ପାଉଥିଲା, ସେତେବେଳେ ଗ୍ରୀକ୍‍ ଭାଷାବାଦୀ ଯିହୁଦୀ ବିଶ୍ୱାସୀମାନେ, ଏବ୍ରୀୟ ବିଶ୍ୱାସୀମାନଙ୍କ ବିପକ୍ଷରେ ବଚସା କରିବାକୁ ଲାଗିଲେ, କାରଣ ଦୈନିକ ଖାଦ୍ୟ ବିତରଣ କରିବାରେ ବିଧବାମାନଙ୍କୁ ଅବହେଳା କରାଯାଉଥିଲା। 2ସେଥିରେ ବାର ଜଣ ପ୍ରେରିତମାନେ ଶିଷ୍ୟସମୁହକୁ ନିକଟକୁ ଡାକି କହିଲେ, ଈଶ୍ବରଙ୍କର ବାକ୍ୟ ପ୍ରଚାର ପରିତ୍ୟାଗ କରି ଖାଦ୍ୟ ପରିବେଷଣରେ ଆମ୍ଭମାନଙ୍କର ବ୍ୟସ୍ତ ରହିବା ଉପଯୁକ୍ତ ନୁହେଁ। 3ଅତଏବ ହେ ଭାଇମାନେ, ଯେଉଁମାନଙ୍କୁ ଆମ୍ଭେମାନେ ଏହି କାର୍ଯ୍ୟରେ ନିଯୁକ୍ତ କରିପାରୁ, ଏପରି ସୁଖ୍ୟାତି ସମ୍ପନ୍ନ ଏବଂ ଆତ୍ମା ଓ ଜ୍ଞାନରେ ପରିପୂର୍ଣ୍ଣ ସାତ ଜଣଙ୍କୁ ଆପଣମାନଙ୍କ ମଧ୍ୟରୁ ବାଛି ସ୍ଥିର କରନ୍ତୁ; 4କିନ୍ତୁ ଆମ୍ଭେମାନେ ପ୍ରାର୍ଥନାରେ ଓ ବାକ୍ୟ ପ୍ରଚାର ସେବା କାର୍ଯ୍ୟରେ ଏକାଗ୍ରଭାବେ ଲାଗିରହିବା। 5ଏହି କଥା ସମସ୍ତ ବିଶ୍ୱାସୀମାନଙ୍କ ଦୃଷ୍ଟିରେ ଉତ୍ତମ ଦେଖାଗଲା, ଆଉ ସେମାନେ ବିଶ୍ୱାସ ଓ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ସ୍ତିଫାନ ନାମକ ଜଣେ ବ୍ୟକ୍ତିଙ୍କୁ, ପୁଣି, ଫିଲିପ୍ପ, ପ୍ରଖର, ନୀକାନୋର, ତୀମୋନ, ପାର୍ମନା ଓ ଆନ୍ତିୟଖିଆର ଯିହୁଦୀମତାବଲମ୍ବୀ ନୀକଲାୟଙ୍କୁ ମନୋନୀତ କରି, 6ପ୍ରେରିତମାନଙ୍କ ସମ୍ମୁଖରେ ଉପସ୍ଥିତ କଲେ, ଆଉ ସେମାନେ ପ୍ରାର୍ଥନା କରି ସେମାନଙ୍କ ମସ୍ତକ ଉପରେ ହାତ ରଖି ସମର୍ପଣ କଲେ। 7ଏଣୁ ଈଶ୍ବରଙ୍କ ବାକ୍ୟ ଅଧିକ ବ୍ୟାପିଗଲା ଏବଂ ଯିରୂଶାଲମ ସହରରେ ଶିଷ୍ୟମାନଙ୍କ ସଂଖ୍ୟା ଅତିଶୟ ବୃଦ୍ଧି ପାଇବାକୁ ଲାଗିଲା; ଆଉ, ଯାଜକମାନଙ୍କ ମଧ୍ୟରୁ ଅନେକ ଅନେକ ଲୋକ ବିଶ୍ୱାସମାର୍ଗ ଅବଲମ୍ବନ କରିବାକୁ ଲାଗିଲେ।