ଶମିରୋଣରେ ଫିଲିପ୍ପଙ୍କ ପ୍ରଚାର

4ସେଥିରେ ଯେଉଁମାନେ ଛିନ୍ନଭିନ୍ନ ହୋଇଥିଲେ, ସେମାନେ ଚତୁର୍ଦ୍ଦିଗରେ ଭ୍ରମଣ କରୁ କରୁ ସୁସମାଚାରର ବାକ୍ୟ ପ୍ରଚାର କଲେ। 5ପୁଣି, ଫିଲିପ୍ପ ଶମିରୋଣର ପ୍ରଧାନ ନଗରକୁ ଯାଇ ଲୋକମାନଙ୍କ ନିକଟରେ ଖ୍ରୀଷ୍ଟଙ୍କୁ ଘୋଷଣା କରିବାକୁ ଲାଗିଲେ। 6ଆଉ ଲୋକସମୂହ ଫିଲିପ୍ପଙ୍କ କଥା ଶୁଣି ଓ ସେ କରିଥିବା ଆଶ୍ଚର୍ଯ୍ୟକର୍ମଗୁଡ଼ିକ ଦେଖି ଏକଚିତ୍ତରେ ତାହାଙ୍କ କଥାରେ ମନୋଯୋଗ କରୁଥିଲେ। 7କାରଣ ଅଶୁଚି ଆତ୍ମାବିଷ୍ଟ ଅନେକ ଲୋକଙ୍କଠାରୁ ସେହି ଆତ୍ମାଗୁଡ଼ାକ ଉଚ୍ଚସ୍ୱରରେ ଚିତ୍କାର କରି ବାହାରିଆସିବାକୁ ଲାଗିଲେ, ପୁଣି, ଅନେକ ପକ୍ଷାଘାତରୋଗୀ ଓ ଖଞ୍ଜ ସୁସ୍ଥ ହେଲେ। 8ସେଥିରେ ସେ ନଗରରେ ମହା ଆନନ୍ଦ ହେଲା।