କୁହୁକ ଶିମୋନ

9କିନ୍ତୁ ଶିମୋନ ନାମକ ଜଣେ ଲୋକ ଏଥିପୂର୍ବେ ସେହି ନଗରରେ କୁହୁକକର୍ମ କରି ନିଜକୁ ଜଣେ ମହାପୁରୁଷ ବୋଲି କହି ଶମିରୋଣୀୟ ଲୋକମାନଙ୍କୁ ଆଚମ୍ଭିତ କରୁଥିଲା; 10ଈଶ୍ବରଙ୍କର ଯେଉଁ ଶକ୍ତିକୁ ମହାନ ବୋଲି କୁହାଯାଏ, ସାନଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଏ ସେହି ବୋଲି କହି ତାହାଙ୍କୁ ମାନ୍ୟ କରୁଥିଲେ। 11ସେମାନେ ତାହାକୁ ମାନ୍ୟ କରୁଥିବାର କାରଣ ଏହି ଯେ, ସେ ବହୁକାଳ ହେଲା ନିଜ କୁହୁକକର୍ମ ଦ୍ୱାରା ସେମାନଙ୍କୁ ଆଚମ୍ଭିତ କରିଥିଲା। 12କିନ୍ତୁ ଫିଲିପ୍ପ ଈଶ୍ବରଙ୍କ ରାଜ୍ୟ ଓ ଯୀଶୁ ଖ୍ରୀଷ୍ଟଙ୍କ ନାମ ବିଷୟକ ସୁସମାଚାର ପ୍ରଚାର କରିବାରୁ ସେମାନେ ଯେତେବେଳେ ତାହାଙ୍କ କଥାରେ ବିଶ୍ୱାସ କଲେ, ସେତେବେଳେ ପୁରୁଷ ଓ ସ୍ତ୍ରୀ ଉଭୟ ବାପ୍ତିଜିତ ହେବାକୁ ଲାଗିଲେ। 13ଆଉ, ଶିମୋନ ନିଜେ ମଧ୍ୟ ବିଶ୍ୱାସ କରି ବାପ୍ତିଜିତ ହେଲା ଓ ଫିଲିପ୍ପଙ୍କ ସାଥେ ସାଥେ ରହିଲା, ଆଉ ନାନା ଲକ୍ଷଣ ଓ ମହା ମହା ଆଶ୍ଚର୍ଯ୍ୟର କାର୍ଯ୍ୟ ଦେଖି ଆଚମ୍ଭିତ ହେବାକୁ ଲାଗିଲା।