ଫିଲିପ୍ପ ଓ ଇଥିଓପିଆ ନପୁଂସକ

26ପରେ ପ୍ରଭୁଙ୍କ ଜଣେ ଦୂତ ଫିଲିପ୍ପଙ୍କୁ କହିଲେ, ଉଠ, ଦକ୍ଷିଣ ଦିଗରେ ଯେଉଁ ପଥ ଯିରୂଶାଲମ ସହରରୁ ଗଜ୍ଜା ସହର ଆଡ଼କୁ ଯାଇଅଛି, ସେହି ପଥକୁ ଯାଅ। ତାହା ମରୁଭୂମି। 27ସେଥିରେ ସେ ଉଠି ଗମନ କଲେ। ଆଉ ଦେଖ, ଇଥିଓପିଆ ଦେଶୀୟମାନଙ୍କ କାଣ୍ଡାକୀ ନାମ୍ନୀ ରାଣୀଙ୍କର ଅଧୀନସ୍ଥ ଜଣେ ଉଚ୍ଚପଦ ପ୍ରାପ୍ତ ଇଥିଓପିଆର ନପୁଂସକ, ଯେ ତାହାଙ୍କ ସମସ୍ତ ଥିଲେ, ସେ ଉପାସନା କରିବା ନିମନ୍ତେ ଯିରୂଶାଲମ ସହରକୁ ଆସିଥିଲେ; 28ସେ ବାହୁଡ଼ି ଯାଉ ଯାଉ ଆପଣା ରଥରେ ବସି ଯିଶାଇୟ ଭାବବାଦୀଙ୍କ ଶାସ୍ତ୍ରପାଠ କରୁଥିଲେ। 29ସେତେବେଳେ ପବିତ୍ର ଆତ୍ମା ଫିଲିପ୍ପଙ୍କୁ କହିଲେ, ନିକଟକୁ ଯାଇ ଏହି ରଥର ସାଙ୍ଗ ଧର। 30ସେଥିରେ ଫିଲିପ୍ପ ଦୌଡ଼ିଯାଇ ସେ ଯିଶାଇୟ ଭାବବାଦୀଙ୍କ ଶାସ୍ତ୍ର ପାଠ କରୁଥିବା ଶୁଣି ପଚାରିଲେ, ଆପଣ ଯାହା ପାଠ କରୁଅଛନ୍ତି, ତାହା କଅଣ ବୁଝୁଅଛନ୍ତି? 31ସେ କହିଲେ, କେହି ମୋତେ ବୁଝାଇ ନ ଦେଲେ ମୁଁ କିପରି ବୁଝି ପାରିବି? ଆଉ, ସେ ଫିଲିପ୍ପଙ୍କୁ ରଥରେ ଚଢ଼ି ଆସି ଆପଣା ନିକଟରେ ବସିବାକୁ ବିନତି କଲେ। 32ଶାସ୍ତ୍ରର ଯେଉଁ ଅଂଶ ସେ ପାଠ କରୁଥିଲେ, ତାହା ଏହି,

“ସେ ମେଷ ତୁଲ୍ୟ ହତ ହେବା ନିମନ୍ତେ ନିଆଗଲେ

ପୁଣି, ଲୋମଚ୍ଛେଦକ ସମ୍ମୁଖରେ ମେଷଶାବକ ଯେପରି ନୀରବ ରୁହେ,

ସେହିପରି ସେ ଆପଣା ମୁଖ ଫିଟାଇଲେ ନାହିଁ।

33ତାହାଙ୍କ ଅବନତ ହେବାରେ ତାହାଙ୍କ ଦଣ୍ଡ ଅପସାରିତ ହେଲା;

ତାହାଙ୍କ ବଂଶ କିଏ ବର୍ଣ୍ଣନା କରିପାରିବ?

କାରଣ ତାହାଙ୍କ ପ୍ରାଣ ପୃଥିବୀରୁ ଅପସାରିତ ହେଲା।”

34ନପୁଂସକ ଉତ୍ତର ଦେଇ ଫିଲିପ୍ପଙ୍କୁ କହିଲେ, ମୁଁ ଆପଣଙ୍କୁ ନିବେଦନ କରେ, ଭାବବାଦୀ କାହା ବିଷୟରେ ଏ କଥା କହନ୍ତି? ଆପଣା ବା ଆଉ କାହା ବିଷୟରେ? 35ସେଥିରେ ଫିଲିପ୍ପ ମୁଖ ଫିଟାଇ ଶାସ୍ତ୍ରର ଏହି ବାକ୍ୟରୁ ଆରମ୍ଭ କରି ତାହାଙ୍କ ନିକଟରେ ଯୀଶୁଙ୍କ ସୁସମାଚାର ପ୍ରଚାର କଲେ। 36ଆଉ ସେମାନେ ପଥରେ ଯାଉ ଯାଉ କୌଣସି ଗୋଟିଏ ଜଳାଶୟ ନିକଟରେ ଉପସ୍ଥିତ ହେଲେ; ସେଥିରେ ନପୁଂସକ କହିଲେ, ଏଠାରେ ତ ଜଳ ଅଛି, ମୋହର ବାପ୍ତିଜିତ ହେବା ନିମନ୍ତେ କଅଣ ବାଧା ଅଛି? 37[ଫିଲିପ୍ପ କହିଲେ, ଆପଣ ସମସ୍ତ ଅନ୍ତଃକରଣ ସହିତ ଯଦି ବିଶ୍ୱାସ କରନ୍ତି, ତାହାହେଲେ ହୋଇପାରେ। ସେଥିରେ ସେ ଉତ୍ତର ଦେଲେ, ଯୀଶୁ ଖ୍ରୀଷ୍ଟ ଯେ ଈଶ୍ବରଙ୍କ ପୁତ୍ର, ଏହା ମୁଁ ବିଶ୍ୱାସ କରୁଅଛି।] 38ପୁଣି, ସେ ରଥ ଠିଆ କରିବାକୁ ଆଜ୍ଞା ଦେଲେ, ଆଉ ଫିଲିପ୍ପ ଓ ନପୁଂସକ ଉଭୟ ଜଳ ଭିତରକୁ ଓହ୍ଲାଇଗଲେ, ଆଉ ଫିଲିପ୍ପ ତାହାଙ୍କୁ ବାପ୍ତିସ୍ମ ଦେଲେ। 39ସେମାନେ ଜଳ ମଧ୍ୟରୁ ଉଠି ଆସନ୍ତେ ପ୍ରଭୁଙ୍କର ଆତ୍ମା ଫିଲିପ୍ପଙ୍କୁ ଘେନିଗଲେ, ପୁଣି, ନପୁଂସକ ତାହାଙ୍କୁ ଆଉ ଦେଖିଲେ ନାହିଁ; ତଥାପି ସେ ଆନନ୍ଦ କରୁ କରୁ ଆପଣା ପଥରେ ଚାଲିଗଲେ। 40କିନ୍ତୁ ଫିଲିପ୍ପ ଅଷ୍‌ଦୋଦ୍ ନାମକ ନଗରରେ ଦେଖାଗଲେ, ଆଉ ସେ ଯାଉ ଯାଉ ନଗରେ ନଗରେ ସୁସମାଚାର ପ୍ରଚାର କରି କାଇସରିୟାରେ ଯାଇ ପହଞ୍ଚିଲେ।