ଶାଉଲଙ୍କ ମନ-ପରିବର୍ତ୍ତନ
(ପ୍ରେରିତ 22:6-16; 26:12-18)
1କିନ୍ତୁ ଶାଉଲ ଏପର୍ଯ୍ୟନ୍ତ ସୁଦ୍ଧା ପ୍ରଭୁଙ୍କ ଶିଷ୍ୟମାନଙ୍କ ବିରୁଦ୍ଧରେ ଭୟ ଓ ପ୍ରାଣନାଶର କଥା କହି ମହାଯାଜକଙ୍କ ନିକଟକୁ ଗଲେ, 2ପୁଣି, ଏହି ମାର୍ଗର ଯେକୌଣସି ପୁରୁଷ କି ସ୍ତ୍ରୀର ଦେଖା ପାଆନ୍ତି, ସେମାନଙ୍କୁ ଯେପରି ବାନ୍ଧି ଯିରୂଶାଲମ ସହରକୁ ଆଣି ପାରନ୍ତି, ଏଥିସକାଶେ ଦମ୍ମେଶକର ସମସ୍ତ ସମାଜଗୃହ ନିକଟକୁ ତାହାଙ୍କଠାରୁ ପତ୍ର ମାଗିଲେ। 3ପରେ ସେ ଯାଉ ଯାଉ ଦମ୍ମେଶକର ନିକଟବର୍ତ୍ତୀ ହୁଅନ୍ତେ ଅକସ୍ମାତ୍ ଆକାଶରୁ ଆଲୋକ ତାହାଙ୍କ ଚାରିଆଡ଼େ ଚମକି ଉଠିଲା। 4ସେଥିରେ ସେ ଭୂମିରେ ପଡ଼ିଯାଇ ତାହାଙ୍କ ପ୍ରତି ଉକ୍ତ ଏହି ବାଣୀ ଶୁଣିଲେ, “ହେ ଶାଉଲ, ହେ ଶାଉଲ କାହିଁକି ଆମ୍ଭକୁ ତାଡ଼ନା କରୁଅଛ?” 5ସେ କହିଲେ, ହେ ପ୍ରଭୁ, ଆପଣ କିଏ? ଆଉ ସେ କହିଲେ, “ଯାହାଙ୍କୁ ତୁମ୍ଭେ ତାଡ଼ନା କରୁଅଛ, ଆମ୍ଭେ ସେହି ଯୀଶୁ।” 6“କିନ୍ତୁ ଉଠ, ନଗରରେ ପ୍ରବେଶ କର, ଆଉ ତୁମ୍ଭକୁ କଅଣ କରିବାକୁ ହେବ, ତାହା କୁହାଯିବ।” 7ଯେଉଁ ଲୋକମାନେ ତାହାଙ୍କ ସାଙ୍ଗରେ ଯାତ୍ରା କରୁଥିଲେ, ସେମାନେ ସେହି ଶବ୍ଦ ଶୁଣି କାହାରିକୁ ନ ଦେଖିବାରୁ ଅବାକ୍ ହୋଇ ରହିଲେ। 8ପୁଣି, ଶାଉଲ ଭୂମିରୁ ଉଠି ଯେତେବେଳେ ଆପଣା ଆଖି ଫିଟାଇଲେ, ସେତେବେଳେ ସେ କିଛି ଦେଖି ପାରିଲେ ନାହିଁ। ଏଣୁ ସେମାନେ ତାହାଙ୍କ ହାତ ଧରି ତାହାଙ୍କୁ ଦମ୍ମେଶକ ସହରକୁ ଘେନିଗଲେ। 9ଆଉ, ସେ ତିନି ଦିନ ପର୍ଯ୍ୟନ୍ତ ଦୃଷ୍ଟିହୀନ ହୋଇ ରହିଲେ, ପୁଣି, କିଛି ଖାଇଲେ ନାହିଁ କି ପିଇଲେ ନାହିଁ। 10ଦମ୍ମେଶକରେ ହନନୀୟ ନାମକ ଜଣେ ଶିଷ୍ୟ ଥିଲେ; ପ୍ରଭୁ ତାହାଙ୍କୁ ଦର୍ଶନ ଦେଇ କହିଲେ, “ହନନୀୟ।” ସେ କହିଲେ, ହେ ପ୍ରଭୁ, ଆଜ୍ଞା କରିବା ହେଉନ୍ତୁ। 11ସେଥିରେ ପ୍ରଭୁ ତାହାଙ୍କୁ କହିଲେ, “ଉଠ, ସଳଖ ନାମକ ପଥକୁ ଯାଇ ଯିହୂଦାର ଗୃହରେ ତାର୍ଷ ସହରର ଶାଉଲ ନାମକ ଜଣେ ବ୍ୟକ୍ତିର ଅନୁସନ୍ଧାନ କର; କାରଣ ଦେଖ, ସେ ପ୍ରାର୍ଥନା କରୁଅଛି; 12ଆଉ, ସେ ଯେପରି ଦୃଷ୍ଟିପ୍ରାପ୍ତ ହୁଏ, ଏଥିନିମନ୍ତେ ହନନୀୟ ନାମକ ଜଣେ ଲୋକ ଆସି ତାହା ଉପରେ ହସ୍ତାର୍ପଣ କରୁଅଛି ବୋଲି ସେ ଦର୍ଶନ ପାଇଅଛି।” 13କିନ୍ତୁ ହନନୀୟ ଉତ୍ତର ଦେଲେ, ପ୍ରଭୁ, ଯିରୂଶାଲମ ସହରରେ ଆପଣଙ୍କ ସାଧୁମାନଙ୍କ ପ୍ରତି ଏହି ଲୋକ ଯେ କେତେ ଅତ୍ୟାଚାର କରିଅଛି, ତାହା ମୁଁ ଅନେକଙ୍କଠାରୁ ଏହି ଲୋକ ବିଷୟରେ ଶୁଣିଅଛି। 14ଆଉ, ଏହି ସ୍ଥାନରେ ଯେତେ ଲୋକ ଆପଣଙ୍କ ନାମରେ ପ୍ରାର୍ଥନା କରନ୍ତି, ସେମାନଙ୍କୁ ବାନ୍ଧିବା ନିମନ୍ତେ ସେ ପ୍ରଧାନ ଯାଜକମାନଙ୍କ ପାଖରୁ କ୍ଷମତା ପାଇଅଛି। 15କିନ୍ତୁ ପ୍ରଭୁ ତାହାଙ୍କୁ କହିଲେ, “ଯାଅ; କାରଣ ସେ ଅଣଯିହୁଦୀ, ରାଜା ଓ ଇସ୍ରାଏଲର ସନ୍ତାନମାନଙ୍କ ସମ୍ମୁଖରେ ଆମ୍ଭର ନାମ ବହନ କରିବା ନିମନ୍ତେ ଆମ୍ଭର ଜଣେ ମନୋନୀତ ପାତ୍ର ଅଟେ; 16ଯେଣୁ ଆମ୍ଭର ନାମ ସକାଶେ ତାହାକୁ ଯେ କେତେ ଦୁଃଖଭୋଗ କରିବାକୁ ହେବ, ତାହା ଆମ୍ଭେ ତାହାକୁ ଜଣାଇବା।” 17ସେଥିରେ ହନନୀୟ ପ୍ରସ୍ଥାନ କରି ସେହି ଗୃହରେ ପ୍ରବେଶ କଲେ, ପୁଣି, ତାହାଙ୍କ ଉପରେ ହସ୍ତାର୍ପଣ କରି କହିଲେ, ଶାଉଲ ଭାଇ, ପ୍ରଭୁ, ଅର୍ଥାତ୍, ଯେଉଁ ଯୀଶୁ ତୁମ୍ଭର ଆସୁଥିବା ପଥରେ ତୁମ୍ଭକୁ ଦର୍ଶନ ଦେଲେ, ତୁମ୍ଭେ ଯେପରି ଦୃଷ୍ଟିପ୍ରାପ୍ତ ହୁଅ ଓ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହୁଅ, ଏଥିନିମନ୍ତେ ସେ ମୋତେ ପ୍ରେରଣ କରିଅଛନ୍ତି। 18ସେହିକ୍ଷଣି ତାହାଙ୍କ ଆଖିରୁ କାତି ପରି କଅଣ ଖସିପଡ଼ିଲା ଓ ସେ ଦୃଷ୍ଟି ପାଇଲେ; ପୁଣି, ସେ ଉଠି ବାପ୍ତିଜିତ ହେଲେ, 19ଆଉ ସେ ଭୋଜନ କରି ବଳ ପାଇଲେ। ଏଥିଉତ୍ତାରେ ସେ ଦମ୍ମେଶକରେ ଥିବା ଶିଷ୍ୟମାନଙ୍କ ସହିତ କେତେକ ଦିନ ରହିଲେ;


