ଦମ୍ମେଶକରେ ଶାଉଲଙ୍କ ପ୍ରଚାର
20ପୁଣି, ଯୀଶୁ ଯେ ଈଶ୍ବରଙ୍କର ପୁତ୍ର, ଏହା ସେ ଅବିଳମ୍ବରେ ସମାଜଗୃହ ସମୂହରେ ଘୋଷଣା କରିବାକୁ ଲାଗିଲେ। 21ଆଉ, ଯେଉଁମାନେ ତାହାଙ୍କ କଥା ଶୁଣିଲେ, ସେମାନେ ସମସ୍ତେ ଆଚମ୍ଭିତ ହୋଇ କହିବାକୁ ଲାଗିଲେ, ଏହି ନାମ ଧରି ପ୍ରାର୍ଥନା କରୁଥିବା ଲୋକମାନଙ୍କୁ ଯେ ଯିରୂଶାଲମ ସହରରେ ବିନଷ୍ଟ କରୁଥିଲା, ଆଉ ଯେପରି ସେମାନଙ୍କୁ ବାନ୍ଧି ପ୍ରଧାନ ଯାଜକମାନଙ୍କ ନିକଟକୁ ଘେନିଯାଇପାରେ, ସେହି ଅଭିପ୍ରାୟରେ ଏହି ସ୍ଥାନକୁ ଆସିଥିଲା, ଏ କି ସେହି ନୁହେଁ? 22କିନ୍ତୁ, ଶାଉଲ ଅଧିକତର ଶକ୍ତିଶାଳୀ ହୋଇ ଉଠିଲେ, ପୁଣି, ଏ ଯେ ଖ୍ରୀଷ୍ଟ, ଏହା ପ୍ରମାଣ କରି ଦମ୍ମେଶକନିବାସୀ ଯିହୁଦୀମାନଙ୍କୁ ନିରୁତ୍ତର କରିଦେଉଥିଲେ। 23ଅନେକ ଦିନ ଗତ ହେଲା ଉତ୍ତାରେ ଯିହୁଦୀମାନେ ତାହାଙ୍କୁ ବଧ କରିବା ପାଇଁ ଏକତ୍ର ମନ୍ତ୍ରଣା କଲେ; 24କିନ୍ତୁ ସେମାନଙ୍କର ଚକ୍ରାନ୍ତ ଶାଉଲଙ୍କର କର୍ଣ୍ଣଗୋଚର ହେଲା। ଆଉ, ସେମାନେ ଯେପରି ତାହାଙ୍କୁ ବଧ କରିପାରନ୍ତି, ଏଥିନିମନ୍ତେ ଦିବାରାତ୍ର ମଧ୍ୟ ନଗରଦ୍ୱାରସବୁ ଜଗି ରହିଲେ, 25କିନ୍ତୁ ତାହାଙ୍କର ଶିଷ୍ୟମାନେ ରାତ୍ରିକାଳରେ ତାହାଙ୍କୁ ଘେନି ଗୋଟିଏ ଟୋକେଇରେ ପ୍ରାଚୀର ଦେଇ ତଳକୁ ଓହ୍ଲାଇଦେଲେ।


