ଯିରୂଶାଲମ ସହରରେ ଶାଉଲ

26ପରେ ସେ ଯିରୂଶାଲମ ସହରକୁ ଯାଇ ଶିଷ୍ୟମାନଙ୍କ ସହିତ ମିଶିବାକୁ ଚେଷ୍ଟା କରୁଥିଲେ; ମାତ୍ର ସେ ଯେ ଜଣେ ଶିଷ୍ୟ, ଏହା ବିଶ୍ୱାସ ନ କରି ସମସ୍ତେ ତାହାଙ୍କୁ ଭୟ କରୁଥିଲେ। 27କିନ୍ତୁ ବର୍ଣ୍ଣବ୍ବା ତାହାଙ୍କୁ ସଙ୍ଗରେ ଘେନି ପ୍ରେରିତମାନଙ୍କ ନିକଟକୁ ଆଣିଲେ, ପୁଣି, ବାଟରେ ସେ କିପରି ପ୍ରଭୁଙ୍କର ଦର୍ଶନ ପାଇଥିଲେ ଓ ସେ ଯେ ତାହାଙ୍କ ସହିତ କଥା କହିଥିଲେ, ଆଉ କିପ୍ରକାରେ ସେ ଦମ୍ମେଶକରେ ଯୀଶୁଙ୍କ ନାମରେ ସାହସପୂର୍ବକ ପ୍ରଚାର କରିଥିଲେ, ଏହିସବୁ ସେ ସେମାନଙ୍କ ନିକଟରେ ବର୍ଣ୍ଣନା କଲେ। 28ଆଉ, ସେ ସେମାନଙ୍କ ସହିତ ଯିରୂଶାଲମ ସହରରେ ଗମନାଗମନ କରି, 29ପ୍ରଭୁଙ୍କର ନାମ ସାହସପୂର୍ବକ ପ୍ରଚାର କରିବାକୁ ଲାଗିଲେ, ପୁଣି, ସେ ଗ୍ରୀକ୍‍ ଭାଷାବାଦୀ ଯିହୁଦୀମାନଙ୍କ ସହିତ କଥାବାର୍ତ୍ତା ଓ ତର୍କବିତର୍କ କରୁଥିଲେ, କିନ୍ତୁ ସେମାନେ ତାହାଙ୍କୁ ବଧ କରିବା ନିମନ୍ତେ ଚେଷ୍ଟା କରିବାକୁ ଲାଗିଲେ। 30ତାହା ଜାଣି ପାରି ଭାଇମାନେ ତାହାଙ୍କୁ କାଇସରିୟାକୁ ଘେନିଯାଇ ତାର୍ଷକୁ ପଠାଇଦେଲେ। 31ଏହି ପ୍ରକାରେ ସମୁଦାୟ ଯିହୂଦିୟା ପ୍ରଦେଶ, ଗାଲିଲୀ ଓ ଶମିରୋଣ ମଣ୍ଡଳୀ ନିଷ୍ଠାପ୍ରାପ୍ତ ହୋଇ ଓ ପ୍ରଭୁଙ୍କର ଭୟରେ ଆଚରଣ କରି ଶାନ୍ତି ଭୋଗ କଲେ, ପୁଣି, ପବିତ୍ର ଆତ୍ମାଙ୍କ ସାହାଯ୍ୟରେ ବୃଦ୍ଧି ପାଇବାକୁ ଲାଗିଲେ।