ଲୂଦ ଓ ଯାଫୋରେ ପିତର
32ଇତିମଧ୍ୟରେ ପିତର ସମସ୍ତ ଅଞ୍ଚଳ ଭ୍ରମଣ କରୁ କରୁ ଲୂଦ ନଗରବାସୀ ସାଧୁମାନଙ୍କ ନିକଟକୁ ମଧ୍ୟ ଆସିଲେ। 33ସେ ସ୍ଥାନରେ ସେ ଏନୀୟ ନାମକ ଜଣେ ଲୋକଙ୍କର ଦେଖାପାଇଲେ, ସେ ଆଠ ବର୍ଷ ପର୍ଯ୍ୟନ୍ତ ଶଯ୍ୟାଶାୟୀ ଥିଲେ; ତାହାଙ୍କୁ ପକ୍ଷାଘାତ ହୋଇଥିଲା। 34ପିତର ତାହାଙ୍କୁ କହିଲେ, ଏନୀୟ, ଯୀଶୁ ଖ୍ରୀଷ୍ଟ ତୁମ୍ଭକୁ ସୁସ୍ଥ କରୁଅଛନ୍ତି; ଉଠ, ତୁମ୍ଭର ଶେଯ ସଜାଡ଼। ସେଥିରେ ସେ ସେହିକ୍ଷଣି ଉଠିଲେ। 35ଆଉ, ଲୂଦ ଓ ଶାରୋଣନିବାସୀ ସମସ୍ତେ ତାହାଙ୍କୁ ଦେଖି ପ୍ରଭୁଙ୍କ ପ୍ରତି ଫେରିଲେ। 36ଯାଫୋ ସହରରେ ଟାବୀଥା ନାମକ ଜଣେ ଶିଷ୍ୟା ଥିଲେ, ଅନୁବାଦ କଲେ ଏହି ନାମର ଅର୍ଥ ଦର୍କା। ସେ ନାନା ସତ୍କର୍ମ ଓ ଦାନ-କ୍ରିୟାରେ ପୂର୍ଣ୍ଣ ଥିଲେ। 37ସେହି ସମୟରେ ସେ ପୀଡ଼ିତା ହୋଇ ପ୍ରାଣତ୍ୟାଗ କଲେ, ସେଥିରେ ସେମାନେ ତାହାଙ୍କୁ ସ୍ନାନ କରାଇ ଗୋଟିଏ ଉପର କୋଠରୀରେ ଶୁଆଇଦେଲେ। 38ପୁଣି, ଲୂଦ ଯାଫୋ ସହରର ନିକଟବର୍ତ୍ତୀ ଥିବାରୁ ଶିଷ୍ୟମାନେ ପିତର ସେଠାରେ ଅଛନ୍ତି ବୋଲି ଶୁଣି, ଦୁଇ ଜଣ ଲୋକଙ୍କୁ ତାହାଙ୍କ ନିକଟକୁ ପଠାଇ ଏହା ନିବେଦନ କଲେ, ଆମ୍ଭମାନଙ୍କ ନିକଟକୁ ଆସିବା ପାଇଁ ବିଳମ୍ବ କରନ୍ତୁ ନାହିଁ। 39ଏଣୁ ପିତର ଉଠି ସେମାନଙ୍କ ସାଙ୍ଗରେ ଗଲେ। ସେ ଆସନ୍ତେ, ସେମାନେ ତାହାଙ୍କୁ ସେହି ଉପର କୋଠରୀକୁ ଘେନିଗଲେ, ଆଉ ବିଧବାମାନେ ସମସ୍ତେ ତାହାଙ୍କୁ ଘେରି ବିଳାପ କରୁ କରୁ, ଦର୍କା ସେମାନଙ୍କ ସାଙ୍ଗରେ ଥିବା ସମୟରେ ଯେଉଁ ସବୁ ଅଙ୍ଗରଖା ଓ ବସ୍ତ୍ରଗୁଡ଼ିକ ବୁଣିଥିଲେ, ସେହିସବୁ ଦେଖାଇବାକୁ ଲାଗିଲେ। 40କିନ୍ତୁ, ପିତର ସମସ୍ତଙ୍କୁ ବାହାର କରିଦେଇ ଆଣ୍ଠୁ ମାଡ଼ି ପ୍ରାର୍ଥନା କଲେ, ପୁଣି, ଶବ ଆଡ଼କୁ ବୁଲିପଡ଼ି କହିଲେ, ଟାବୀଥା, ଉଠ। ସେଥିରେ ସେ ଆଖି ମେଲା କଲେ, ଆଉ ପିତରକୁ ଦେଖି ଉଠି ବସିଲେ। 41ପୁଣି, ସେ ହାତ ଦେଇ ତାହାଙ୍କୁ ଉଠାଇଲେ ଏବଂ ସାଧୁମାନଙ୍କୁ ଓ ବିଧବାମାନଙ୍କୁ ଡାକି ତାହାଙ୍କୁ ଜୀବିତ ଦେଖାଇଲେ। 42ଏହି କଥା ଯାଫୋ ସହରର ସବୁଆଡ଼େ ଜଣାପଡ଼ିଲା ଓ ଅନେକେ ପ୍ରଭୁଙ୍କଠାରେ ବିଶ୍ୱାସ କଲେ। 43ପୁଣି, ପିତର ଅନେକ ଦିନ ଯାଫୋ ସହରରେ ଶିମୋନ ନାମକ ଜଣେ ଚର୍ମକାରକ ସହିତ ବାସ କଲେ।


