ପିତର ଓ କର୍ଣ୍ଣିଲୀୟ
1କାଇସରିୟା ସହରରେ କର୍ଣ୍ଣିଲୀୟ ନାମକ ଜଣେ ବ୍ୟକ୍ତି ଥିଲେ, ସେ ଇତାଲିକ ନାମକ ସୈନ୍ୟଦଳର ଜଣେ ଶତ-ସେନାପତି ଥିଲେ; 2ସେ ଜଣେ ଭକ୍ତ, ଆଉ ସପରିବାରରେ ଈଶ୍ବରଙ୍କୁ ଭୟ କରୁଥିଲେ। ସେ ଲୋକମାନଙ୍କୁ ବହୁତ ଦାନ ଦେଉଥିଲେ, ଆଉ ସର୍ବଦା ଈଶ୍ବରଙ୍କ ଛାମୁରେ ପ୍ରାର୍ଥନା କରୁଥିଲେ। 3ଦିନେ ଅପରାହ୍ନ ପ୍ରାୟ ତିନି ଘଣ୍ଟା ସମୟରେ ସେ ସ୍ପଷ୍ଟ ରୂପେ ଗୋଟିଏ ଦର୍ଶନ ପାଇଲେ, ଯେପରି ଈଶ୍ବରଙ୍କର ଜଣେ ଦୂତ ତାହାଙ୍କ ନିକଟକୁ ଆସି କହୁଅଛନ୍ତି, ହେ କର୍ଣ୍ଣିଲୀୟ। 4ସେ ସେଥିରେ ତାହାଙ୍କ ପ୍ରତି ଏକଦୃଷ୍ଟିରେ ଚାହିଁ ଭୀତ ହୋଇ କହିଲେ, ହେ ପ୍ରଭୁ କଅଣ? ସେ ତାହାଙ୍କୁ କହିଲେ, ତୁମ୍ଭର ପ୍ରାର୍ଥନା ଓ ଦାନସବୁ ସ୍ମରଣାର୍ଥକ ବଳି ସ୍ୱରୂପେ ଊର୍ଦ୍ଧ୍ୱରେ ଈଶ୍ବରଙ୍କ ଛାମୁରେ ଉଠିଅଛି। 5ଏବେ ତୁମ୍ଭେ ଯାଫୋ ସହରକୁ ଲୋକ ପଠାଇ ଶିମୋନଙ୍କୁ ଡକାଇ ଆଣ, ତାହାଙ୍କ ଉପନାମ ପିତର; 6ସେ ଶିମୋନ ନାମକ ଜଣେ ଚର୍ମକାରକଙ୍କ ଅତିଥି ସ୍ୱରୂପେ ବାସ କରୁଅଛନ୍ତି, ତାହାଙ୍କ ଘର ସମୁଦ୍ରକୂଳରେ। 7ତାହାଙ୍କ ସାଙ୍ଗରେ କଥା କହୁଥିବା ଦୂତ ଗଲା ପରେ ସେ ଆପଣା ଗୃହର ଦାସମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ, ପୁଣି, ତାହାଙ୍କର ସେବା କରୁଥିବା ସୈନ୍ୟମାନଙ୍କ ମଧ୍ୟରୁ ଜଣେ ଭକ୍ତ ସୈନ୍ୟକୁ ଡାକିଲେ, 8ଆଉ ସେମାନଙ୍କୁ ସମସ୍ତ କଥା ବୁଝାଇ ଯାଫୋ ସହରକୁ ପଠାଇଲେ।


