ପିତରଙ୍କ ଦର୍ଶନ

9ପରଦିନ ସେମାନେ ଯାଉ ଯାଉ ଯେତେବେଳେ ସେହି ନଗରର ନିକଟବର୍ତ୍ତୀ ହେଲେ, ସେତେବେଳେ ପିତର ପ୍ରାୟ ଦିନ ବାର ଘଣ୍ଟା ସମୟରେ ପ୍ରାର୍ଥନା କରିବା ନିମନ୍ତେ ଛାତ ଉପରକୁ ଗଲେ, 10ଆଉ ସେ କ୍ଷୁଧିତ ହୋଇ ଖାଇବାକୁ ଇଚ୍ଛା କଲେ, କିନ୍ତୁ ସେମାନେ ଖାଦ୍ୟ ପ୍ରସ୍ତୁତ କରୁଥିବା ସମୟରେ ସେ ମୂର୍ଚ୍ଛିତ ହୋଇ ଦର୍ଶନ ଦେଖିଲେ, 11ଆକାଶ ଖୋଲା ହୋଇଅଛି, ପୁଣି, ଗୋଟିଏ ପାତ୍ର ତଳକୁ ଆସୁଅଛି, ଯେପରି ଗୋଟିଏ ବଡ଼ ଚାଦର ଚାରି କୋଣରେ ଧରା ହୋଇ ପୃଥିବୀ ଉପରକୁ ଖସାଇ ଦିଆଯାଉଅଛି; 12ସେଥିରେ ପୃଥିବୀର ସବୁପ୍ରକାର ଚାରିଗୋଡ଼ିଆ ପ୍ରାଣୀ, ସରୀସୃପ ଓ ଆକାଶର ପକ୍ଷୀଗୁଡ଼ିକ ଅଛନ୍ତି। 13ଆଉ, ତାହାଙ୍କ ପ୍ରତି ଏହି ବାଣୀ ହେଲା, “ହେ ପିତର, ଉଠ, ବଧ କରି ଖାଅ।” 14କିନ୍ତୁ ପିତର କହିଲେ, ନାହିଁ, ପ୍ରଭୁ, ମୁଁ କେବେହେଲେ କୌଣସି ଅପବିତ୍ର ଓ ଅଶୁଚି ପଦାର୍ଥ ଖାଇ ନାହିଁ। 15ପୁଣି, ଦ୍ୱିତୀୟ ଥର ତାହାଙ୍କ ପ୍ରତି ଏହି ବାଣୀ ହେଲା, “ଈଶ୍ବର ଯାହା ଶୁଚି କରିଅଛନ୍ତି, ତାହା ତୁମ୍ଭେ ଅଶୁଚି ବୋଲି ନ କୁହ।” 16ଏହି ପ୍ରକାର ତିନି ଥର ହେଲା, ଆଉ ସଙ୍ଗେ ସଙ୍ଗେ ସେହି ପାତ୍ରଟି ଆକାଶକୁ ଉଠାଇ ନିଆଗଲା। 17ପିତର ଯେଉଁ ଦର୍ଶନ ପାଇଥିଲେ, ସେଥିର ଅର୍ଥ କଅଣ, ତାହା ଭାବି ସେ ଅବାକ୍ ହେଉଥିବା ସମୟରେ, ଦେଖ, କର୍ଣ୍ଣିଲୀୟଙ୍କ ପ୍ରେରିତ ଲୋକମାନେ ଶିମୋନଙ୍କ ଗୃହର ଅନୁସନ୍ଧାନ କରି ଦ୍ୱାର ନିକଟରେ ଠିଆ ହୋଇ, 18ପିତର ଉପନାମପ୍ରାପ୍ତ ଶିମୋନ ସେଠାରେ ଅତିଥି ସ୍ୱରୂପେ ବାସ କରୁଅଛନ୍ତି କି ନାହିଁ, ତାହା ଡାକି ପଚାରିଲେ। 19ପିତର ସେହି ଦର୍ଶନ ବିଷୟ ଚିନ୍ତା କରୁଥିବା ସମୟରେ ଆତ୍ମା ତାହାଙ୍କୁ କହିଲେ, ଦେଖ, ତିନି ଜଣ ଲୋକ ତୁମ୍ଭକୁ ଖୋଜୁଅଛନ୍ତି। 20ଉଠ, ତଳକୁ ଯାଇ କିଛି ସନ୍ଦେହ ନ କରି ସେମାନଙ୍କ ସାଙ୍ଗରେ ଯାଅ, କାରଣ ଆମ୍ଭେ ସେମାନଙ୍କୁ ପଠାଇଅଛୁ। 21ସେଥିରେ ପିତର ସେହି ଲୋକମାନଙ୍କ ନିକଟକୁ ଓହ୍ଲାଇ ଆସି କହିଲେ, ଦେଖ, ତୁମ୍ଭେମାନେ ଯାହାକୁ ଖୋଜୁଅଛ, ମୁଁ ସେହି। ତୁମ୍ଭମାନଙ୍କ ଆସିବାର କାରଣ କଅଣ? 22ସେମାନେ କହିଲେ, କର୍ଣ୍ଣିଲୀୟ ନାମକ ଜଣେ ଶତ-ସେନାପତି, ଯେ ଧାର୍ମିକ ବ୍ୟକ୍ତି ଓ ଈଶ୍ବରଙ୍କୁ ଭୟ କରନ୍ତି, ପୁଣି, ସମସ୍ତ ଯିହୁଦୀ ଜାତିଙ୍କ ନିକଟରେ ସୁଖ୍ୟାତି ପ୍ରାପ୍ତ, ସେ ନିଜ ଗୃହକୁ ଆପଣଙ୍କୁ ଡକାଇପଠାଇ ଆପଣଙ୍କଠାରୁ କଥା ଶୁଣିବା ନିମନ୍ତେ ପବିତ୍ର ଦୂତଙ୍କ ଦ୍ୱାରା ପ୍ରତ୍ୟାଦେଶ ପାଇଅଛନ୍ତି। 23ସେଥିରେ ସେ ସେମାନଙ୍କୁ ଭିତରକୁ ଡାକି ନେଇ ସେମାନଙ୍କର ଆତିଥ୍ୟ କଲେ। ତହିଁ ଆରଦିନ ସେ ଉଠି ସେମାନଙ୍କ ସହିତ ପ୍ରସ୍ଥାନ କଲେ, ପୁଣି, ଯାଫୋ ସହରନିବାସୀ ଭାଇମାନଙ୍କ ମଧ୍ୟରୁ କେତେକ ଜଣ ତାହାଙ୍କ ସାଙ୍ଗରେ ଗଲେ।