କର୍ଣ୍ଣିଲୀୟଙ୍କ ଘରେ ପିତର
24ପରଦିନ ସେମାନେ କାଇସରିୟାରେ ପ୍ରବେଶ କଲେ, ଆଉ କର୍ଣ୍ଣିଲୀୟ ଆପଣା ଆତ୍ମୀୟ ଓ ନିକଟସ୍ଥ ବନ୍ଧୁମାନଙ୍କୁ ଡାକି ଏକତ୍ର କରି ସେମାନଙ୍କ ଅପେକ୍ଷାରେ ଥିଲେ। 25ପିତର ପ୍ରବେଶ କରନ୍ତେ କର୍ଣ୍ଣିଲୀୟ ତାହାଙ୍କୁ ଭେଟି ଚରଣ ତଳେ ପଡ଼ି ତାହାଙ୍କୁ ପ୍ରଣାମ କଲେ। 26କିନ୍ତୁ ପିତର ତାହାଙ୍କୁ ଉଠାଇ କହିଲେ, ଠିଆ ହୁଅ; ମୁଁ ମଧ୍ୟ ଜଣେ ମନୁଷ୍ୟ। 27ସେଥିରେ ସେ ତାହାଙ୍କ ସାଙ୍ଗରେ ଆଳାପ କରୁ କରୁ ଭିତରକୁ ଯାଇ ଦେଖିଲେ, ଅନେକ ଲୋକ ଏକତ୍ରିତ ହୋଇଅଛନ୍ତି, 28ଆଉ ସେ ସେମାନଙ୍କୁ କହିଲେ, କୌଣସି ଅଣଯିହୁଦୀ ସାଙ୍ଗରେ ମିଶିବା କିମ୍ବା ତାହା ପାଖକୁ ଯିବା ଯିହୁଦୀ ଲୋକ ପକ୍ଷରେ କିପରି ବିଧିସଙ୍ଗତ ନୁହେଁ, ତାହା ଆପଣମାନେ ଜାଣନ୍ତି; ତଥାପି କୌଣସି ଲୋକକୁ ଅପବିତ୍ର କି ଅଶୁଚି ବୋଲି ନ କହିବାକୁ ଈଶ୍ବର ମୋତେ ଦେଖାଇଅଛନ୍ତି। 29ସେଥିପାଇଁ ମୋତେ ଆହ୍ୱାନ କରାଯିବା ମାତ୍ରେ ମୁଁ ମଧ୍ୟ ଆପତ୍ତି ନ କରି ଆସିଲି। ଏଣୁ ମୁଁ ପଚାରେ, କି ନିମନ୍ତେ ଆପଣମାନେ ମୋତେ ଡକାଇଅଛନ୍ତି? 30କର୍ଣ୍ଣିଲୀୟ କହିଲେ, ଚାରି ଦିନ ପୂର୍ବେ ଠିକ୍ ଏହି ସମୟରେ ମୁଁ ଆପଣା ଗୃହରେ ଅପରାହ୍ନ ତିନି ଘଣ୍ଟା ସମୟର ପ୍ରାର୍ଥନା କରୁଥିଲି; ଆଉ ଦେଖନ୍ତୁ, ଉଜ୍ଜ୍ୱଳବସ୍ତ୍ର ପରିହିତ ଜଣେ ବ୍ୟକ୍ତି ମୋ ସମ୍ମୁଖରେ ଠିଆ ହୋଇ କହିଲେ, କର୍ଣ୍ଣିଲୀୟ, ତୁମ୍ଭର ପ୍ରାର୍ଥନା ଶୁଣାଯାଇଅଛି, 31ପୁଣି, ତୁମ୍ଭର ଦାନସବୁ ଈଶ୍ବରଙ୍କ ସାକ୍ଷାତରେ ସ୍ମରଣ କରାଯାଇଅଛି। 32ଅତଏବ ଯାଫୋ ସହରକୁ ଲୋକ ପଠାଇ ପିତର ଉପନାମପ୍ରାପ୍ତ ଶିମୋନଙ୍କୁ ପାଖକୁ ଡକାଇ ଆଣ, ସେ ସମୁଦ୍ରକୂଳରେ ଶିମୋନ ଚର୍ମକାରକଙ୍କ ଗୃହରେ ଅତିଥି ରୂପେ ବାସ କରୁଅଛନ୍ତି। 33ଏନିମନ୍ତେ ମୁଁ ଅବିଳମ୍ବରେ ଆପଣଙ୍କ ନିକଟକୁ ଲୋକ ପଠାଇଲି, ଆଉ ଆପଣ ଯେ ଆସିଅଛନ୍ତି, ଭଲ କରିଅଛନ୍ତି। ଅତଏବ ପ୍ରଭୁ ଆପଣଙ୍କୁ ଯାହାସବୁ ଆଦେଶ ଦେଇଅଛନ୍ତି, ତାହା ଶୁଣିବା ନିମନ୍ତେ ଆମ୍ଭେମାନେ ସମସ୍ତେ ଈଶ୍ବରଙ୍କ ସାକ୍ଷାତରେ ଉପସ୍ଥିତ ଅଛୁ। 34ସେଥିରେ ପିତର ମୁଖ ଫିଟାଇ କହିଲେ, ପ୍ରକୃତରେ ବର୍ତ୍ତମାନ ମୁଁ ଜାଣିଲି ଯେ ଈଶ୍ବର ପକ୍ଷପାତ କରନ୍ତି ନାହିଁ,


