ପିତରଙ୍କ ଶିକ୍ଷା
35କିନ୍ତୁ ପ୍ରତ୍ୟେକ ଜାତିରେ ଯେ କେହି ତାହାଙ୍କୁ ଭୟ କରି ଧର୍ମାଚରଣ କରେ, ସେ ଯେ ତାହାଙ୍କ ନିକଟରେ ଗ୍ରାହ୍ୟ ହୁଏ, ଏହା ମୁଁ ସତ୍ୟ ବୁଝୁଅଛି। 36ସେ ତ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଶାନ୍ତିର ସୁସମାଚାର ପ୍ରଚାର କରାଇ ଇସ୍ରାଏଲ ସନ୍ତାନମାନଙ୍କ ନିକଟକୁ ଏହି ବାକ୍ୟ ପ୍ରେରଣ କଲେ; ସେହି ଯୀଶୁ ଖ୍ରୀଷ୍ଟ ସମସ୍ତଙ୍କର ପ୍ରଭୁ। 37ଆପଣମାନେ ଜାଣନ୍ତି ଯେ ବାପ୍ତିଜକ ଯୋହନଙ୍କ ଦ୍ୱାରା ପ୍ରଚାରିତ ବାପ୍ତିସ୍ମ ସମୟ ପରେ ସେହି ସୁସମ୍ବାଦ ଗାଲିଲୀରୁ ଆରମ୍ଭ କରି ସମଗ୍ର ଯିହୂଦିୟା ପ୍ରଦେଶରେ ପ୍ରଚାରିତ ହୋଇଅଛି, 38ଅର୍ଥାତ୍ ନାଜରିତୀୟ ଯୀଶୁଙ୍କ କଥା, କିପରି ଈଶ୍ବର ତାହାଙ୍କୁ ପବିତ୍ର ଆତ୍ମା ଓ ଶକ୍ତିରେ ଅଭିଷିକ୍ତ କଲେ, ଆଉ ସେ ମଙ୍ଗଳ ସାଧନ କରୁ କରୁ ଓ ଶୟତାନ କର୍ତ୍ତୃକ ପ୍ରପୀଡ଼ିତ ସମସ୍ତ ଲୋକଙ୍କୁ ସୁସ୍ଥ କରୁ କରୁ ସର୍ବତ୍ର ଭ୍ରମଣ କଲେ, କାରଣ ଈଶ୍ବର ତାହାଙ୍କ ସହବର୍ତ୍ତୀ ଥିଲେ। 39ପୁଣି, ସେ ଯିହୁଦୀମାନଙ୍କ ଦେଶ ଓ ଯିରୂଶାଲମ ସହରରେ ଯାହା ଯାହା ସାଧନ କଲେ, ଆମ୍ଭେମାନେ ସେହି ସମସ୍ତର ସାକ୍ଷୀ; ତାହାଙ୍କୁ ସେମାନେ କ୍ରୁଶରେ ଟଙ୍ଗାଇ ବଧ କଲେ। 40ତାହାଙ୍କୁ ଈଶ୍ବର ତୃତୀୟ ଦିବସରେ ଉଠାଇ ପ୍ରତ୍ୟକ୍ଷ ହେବାକୁ ଦେଲେ; 41ସମସ୍ତ ଲୋକଙ୍କର ପ୍ରତ୍ୟକ୍ଷ ହେବାକୁ ଦେଲେ ନାହିଁ, ମାତ୍ର ଈଶ୍ବରଙ୍କ ଦ୍ୱାରା ପୂର୍ବନିରୂପିତ ସାକ୍ଷୀ ଯେ ଆମ୍ଭେମାନେ, ଆମ୍ଭମାନଙ୍କର ପ୍ରତ୍ୟକ୍ଷ ହେବାକୁ ଦେଲେ। ସେ ମୃତମାନଙ୍କ ମଧ୍ୟରୁ ଉଠିଲା ପରେ ଆମ୍ଭେମାନେ ତାହାଙ୍କ ସହିତ ଭୋଜନପାନ କଲୁ, 42ଆଉ ଲୋକମାନଙ୍କ ନିକଟରେ ପ୍ରଚାର କରିବାକୁ, ପୁଣି, ମୃତ ଓ ଜୀବିତମାନଙ୍କର ବିଚାରକର୍ତ୍ତା ହେବା ନିମନ୍ତେ ଈଶ୍ବର ତାହାଙ୍କୁ ନିଯୁକ୍ତ କରିଅଛନ୍ତି ବୋଲି ସାକ୍ଷ୍ୟ ଦେବାକୁ ସେ ଆମ୍ଭମାନଙ୍କୁ ଆଜ୍ଞା ଦେଲେ। 43ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ଯେ ତାହାଙ୍କ ନାମରେ ପାପ କ୍ଷମା ପାଇବ, ଏହା ସମସ୍ତ ଭାବବାଦୀ ତାହାଙ୍କ ବିଷୟରେ ସାକ୍ଷ୍ୟ ଦିଅନ୍ତି।


