ଯିରୂଶାଲମ ମଣ୍ଡଳୀରେ ପିତରଙ୍କ ବିବୃତି

1ଅଣଯିହୁଦୀମାନେ ମଧ୍ୟ ଯେ ଈଶ୍ବରଙ୍କ ବାକ୍ୟ ଗ୍ରହଣ କରିଅଛନ୍ତି, ଏହା ପ୍ରେରିତମାନେ ଓ ଯିହୂଦିୟା ପ୍ରଦେଶରେ ଥିବା ଭାଇମାନେ ଶୁଣିଲେ। 2ଆଉ, ଯେତେବେଳେ ପିତର ଯିରୂଶାଲମ ସହରକୁ ଆସିଲେ, ସେତେବେଳେ ସୁନ୍ନତି ଶିଷ୍ୟମାନେ ତାହାଙ୍କ ସହିତ ବିବାଦ କରି କହିଲେ, 3ତୁମ୍ଭେ ଅସୁନ୍ନତି ବିଶ୍ୱାସୀମାନଙ୍କ ଗୃହରେ ପ୍ରବେଶ କରି ସେମାନଙ୍କ ସହିତ ଭୋଜନ କରିଅଛ। 4କିନ୍ତୁ ପିତର ବିଷୟଟିର ସବୁ କଥା ବୁଝାଇବାକୁ ଆରମ୍ଭ କରି କହିଲେ, 5ମୁଁ ଯାଫୋ ନଗରରେ ପ୍ରାର୍ଥନା କରୁଥିଲି ଏବଂ ମୂର୍ଚ୍ଛିତ ହୋଇ ଏହି ଦର୍ଶନ ପାଇଲି, ଗୋଟିଏ ପାତ୍ର ତଳକୁ ଆସୁଅଛି, ଯେପରି ଗୋଟିଏ ବଡ଼ ଚାଦର ଚାରି କୋଣରେ ଧରା ହୋଇ ଆକାଶରୁ ଖସାଇ ଦିଆଯାଉଅଛି, 6ଆଉ ତାହା ମୋ ପର୍ଯ୍ୟନ୍ତ ଆସିଲା; ମୁଁ ତାହା ପ୍ରତି ଏକଦୃଷ୍ଟିରେ ଚାହିଁ ଚିନ୍ତା କରିବାକୁ ଲାଗିଲି ଓ ସେଥିରେ ପୃଥିବୀର ଚାରିଗୋଡ଼ିଆ ପ୍ରାଣୀ, ବନ୍ୟ-ପଶୁ, ସରୀସୃପ ଓ ଆକାଶର ପକ୍ଷୀସବୁ ଦେଖିଲି, 7ପୁଣି, ମୋତେ କୁହାଯାଉଥିବା ଗୋଟିଏ ବାଣୀ ମଧ୍ୟ ମୁଁ ଶୁଣିଲି, “ହେ ପିତର, ଉଠ, ବଧ କରି ଭୋଜନ କର।” 8କିନ୍ତୁ ମୁଁ କହିଲି, ନାହିଁ ପ୍ରଭୁ, ଅପବିତ୍ର କି ଅଶୁଚି ବସ୍ତୁ ମୋହର ମୁଖରେ କେବେହେଲେ ପ୍ରବେଶ କରି ନାହିଁ। 9କିନ୍ତୁ ଦ୍ୱିତୀୟ ଥର ଆକାଶରୁ ଗୋଟିଏ ସ୍ୱର ଉତ୍ତର ଦେଲା, “ଈଶ୍ବର ଯାହା ଶୁଚି କରିଅଛନ୍ତି, ତୁମ୍ଭେ ତାହା ଅଶୁଚି ବୋଲି ନ କୁହ।” 10ଏହି ପ୍ରକାରେ ତିନି ଥର ହେଲା, ପରେ ସମସ୍ତ ପୁନର୍ବାର ଆକାଶକୁ ନିଆଗଲା। 11ପୁଣି, ଦେଖନ୍ତୁ, ସେହିକ୍ଷଣି ତିନି ଜଣ ଲୋକ, ଆମ୍ଭେମାନେ ଯେଉଁ ଗୃହରେ ଥିଲୁ, ସେଥିର ସମ୍ମୁଖରେ ଆସି ଠିଆ ହେଲେ, ସେମାନେ କାଇସରିୟାରୁ ମୋ ନିକଟକୁ ପ୍ରେରିତ ହୋଇଥିଲେ। 12ପୁଣି, କିଛି ସନ୍ଦେହ ନ କରି ସେମାନଙ୍କ ସାଙ୍ଗରେ ଯିବା ନିମନ୍ତେ ଆତ୍ମା ମୋତେ କହିଲେ। ଆଉ, ଏହି ଛଅ ଜଣ ଭାଇ ମଧ୍ୟ ମୋ ସାଙ୍ଗରେ ଗଲେ, ପୁଣି, ଆମ୍ଭେମାନେ ସେହି ବ୍ୟକ୍ତିଙ୍କ ଗୃହରେ ପ୍ରବେଶ କଲୁ। 13ସେ କିପରି ଜଣେ ଦୂତଙ୍କର ଦର୍ଶନ ପାଇଥିଲେ, ତାହା ଆମ୍ଭମାନଙ୍କୁ ଜଣାଇଲେ, ସେହି ଦୂତ କିପରି ତାହାଙ୍କ ଗୃହରେ ଠିଆ ହୋଇ କହିଲେ, ଯାଫୋ ସହରକୁ ଲୋକ ପଠାଇ ପିତର ଉପନାମପ୍ରାପ୍ତ ଶିମୋନଙ୍କୁ ଡକାଇ ଆଣ; 14ଯେ ସମସ୍ତ ବାକ୍ୟ ଦ୍ୱାରା ତୁମ୍ଭେ ଓ ତୁମ୍ଭର ସମସ୍ତ ପରିବାର ପରିତ୍ରାଣ ପାଇବ, ସେ ତୁମ୍ଭକୁ ସେହିସବୁ କହିବେ। 15ପରେ ମୁଁ କଥା କହିବାକୁ ଆରମ୍ଭ କରିବା ସମୟରେ ପବିତ୍ର ଆତ୍ମା ପ୍ରଥମରେ ଆମ୍ଭମାନଙ୍କ ଉପରେ ଅବତରଣ କଲା ପରି ସେମାନଙ୍କ ଉପରେ ସୁଦ୍ଧା ଅବତରଣ କଲେ। 16ସେତେବେଳେ ପ୍ରଭୁଙ୍କ ଉକ୍ତ ଏହି ବାକ୍ୟ ମୋହର ସ୍ମରଣରେ ପଡ଼ିଲା, “ଯୋହନ ଜଳରେ ବାପ୍ତିସ୍ମ ଦେଲେ ସତ, କିନ୍ତୁ ତୁମ୍ଭେମାନେ ପବିତ୍ର ଆତ୍ମାରେ ବାପ୍ତିଜିତ ହେବ।” 17ଅତଏବ, ଆମ୍ଭେମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ସମୟରେ ଈଶ୍ବର ଯେପରି ଆମ୍ଭମାନଙ୍କୁ ଦାନ ଦେଇଥିଲେ, ସେହିପରି ଯେବେ ସେମାନଙ୍କୁ ସୁଦ୍ଧା ସମାନ ଦାନ ଦେଲେ, ମୁଁ କିଏ ଯେ ଈଶ୍ବରଙ୍କୁ ପ୍ରତିରୋଧ କରିପାରିଥାନ୍ତି? 18ଏହି ସମସ୍ତ କଥା ଶୁଣିବାରୁ ସେମାନେ ନିରୁତ୍ତର ହେଲେ ଓ ଈଶ୍ବରଙ୍କର ପ୍ରଶଂସା କରି କହିଲେ, ତେବେ ଈଶ୍ବର ଅଣଯିହୁଦୀମାନଙ୍କୁ ମଧ୍ୟ ଜୀବନପ୍ରାପ୍ତି ନିମନ୍ତେ ମନ-ପରିବର୍ତ୍ତନ ଦାନ କରିଅଛନ୍ତି।