ଯାକୁବ ହତ ଓ ପିତର ବନ୍ଦୀ

1ପ୍ରାୟ ସେହି ସମୟରେ ହେରୋଦ ରାଜା ମଣ୍ଡଳୀର କେତେକ ଜଣଙ୍କୁ ଅତ୍ୟାଚାର କରିବା ନିମନ୍ତେ ହସ୍ତକ୍ଷେପ କଲେ। 2ସେ ଯୋହନଙ୍କ ଭାଇ ଯାକୁବଙ୍କୁ ଖଡ୍ଗରେ ବଧ କଲେ। 3ଆଉ ଯିହୁଦୀ ନେତାମାନଙ୍କୁ ସେଥିରେ ସନ୍ତୁଷ୍ଟ ହେବାର ଦେଖି ସେ ପିତରଙ୍କୁ ମଧ୍ୟ ଧରିବାକୁ ଅଗ୍ରସର ହେଲେ। ସେହି ସମୟରେ ଖମୀରଶୂନ୍ୟ ରୁଟିର ପର୍ବ ଥିଲା। 4ପରେ ସେ ତାହାଙ୍କୁ ଧରି କାରାଗାରରେ ନିକ୍ଷେପ କଲେ, ପୁଣି, ନିସ୍ତାର ପର୍ବ ଉତ୍ତାରେ ସେ ତାହାଙ୍କୁ ଲୋକମାନଙ୍କ ନିକଟକୁ ବାହାର କରି ଆଣିବା ନିମନ୍ତେ ମନସ୍ଥ କରି ପ୍ରତ୍ୟେକ ଦଳରେ ଚାରି ଜଣ ଲେଖାଏଁ ଥିବା ଚାରୋଟି ସେନାଦଳ ନିକଟରେ ତାହାଙ୍କୁ ଜଗିବା ପାଇଁ ସମର୍ପଣ କଲେ। 5ଅତଏବ ପିତର କାରାଗାରରେ ରୁଦ୍ଧ ହୋଇ ରହିଲେ, କିନ୍ତୁ ତାହାଙ୍କ ନିମନ୍ତେ ମଣ୍ଡଳୀ ଦ୍ୱାରା ଏକାଗ୍ରଭାବେ ଈଶ୍ବରଙ୍କ ଛାମୁରେ ପ୍ରାର୍ଥନା କରାଯାଉଥିଲା।