ହେରୋଦଙ୍କ ମୃତ୍ୟୁ
20ସେତେବେଳେ ହେରୋଦ ସୋର ଓ ସୀଦୋନ ଲୋକଙ୍କ ଉପରେ ଭୟଙ୍କର ଅସନ୍ତୁଷ୍ଟ ଥିଲେ, ଆଉ ସେମାନେ ଏକମତ ହୋଇ ତାହାଙ୍କ ନିକଟକୁ ଆସିଲେ ଓ ରାଜାଙ୍କ ଶୟନାଗାରର ଅଧ୍ୟକ୍ଷ ବ୍ଲାସ୍ତଙ୍କୁ ଆପଣାମାନଙ୍କ ସପକ୍ଷ କରି ଶାନ୍ତି ପ୍ରାର୍ଥନା କରିବାକୁ ଲାଗିଲେ, କାରଣ ରାଜାଙ୍କ ଦେଶରୁ ସେମାନଙ୍କ ଦେଶକୁ ଖାଦ୍ୟସାମଗ୍ରୀ ଯାଉଥିଲା। 21ଏଣୁ ଗୋଟିଏ ନିରୂପିତ ଦିନରେ ହେରୋଦ ରାଜବସ୍ତ୍ର ପରିଧାନ କରି ସିଂହାସନରେ ବସି ସେମାନଙ୍କ ନିକଟରେ ଗୋଟିଏ ଭାଷଣ ଦେଲେ; 22ସେଥିରେ ଲୋକମାନେ ପାଟି କରି କହିବାକୁ ଲାଗିଲେ, ଏ ତ ଦେବତାଙ୍କ ସ୍ୱର ମନୁଷ୍ୟର ସ୍ୱର ନୁହେଁ। 23ତତ୍କ୍ଷଣାତ୍ ପ୍ରଭୁଙ୍କର ଜଣେ ଦୂତ ତାହାଙ୍କୁ ଆଘାତ କଲେ, କାରଣ ସେ ଈଶ୍ବରଙ୍କୁ ଗୌରବ ଦେଲେ ନାହିଁ, ଆଉ ତାହାଙ୍କୁ ପୋକ ଖାଇବା ଦ୍ୱାରା ସେ ମଲେ। 24କିନ୍ତୁ ଈଶ୍ବରଙ୍କ ବାକ୍ୟ ବୃଦ୍ଧି ପାଇ ଅଧିକ ବ୍ୟାପିବାକୁ ଲାଗିଲା। 25ପରେ ବର୍ଣ୍ଣବ୍ବା ଓ ଶାଉଲ ଆପଣାମାନଙ୍କର ସେବାକାର୍ଯ୍ୟ ସମାପ୍ତ କରି ମାର୍କ ଉପନାମପ୍ରାପ୍ତ ଯୋହନଙ୍କୁ ସାଙ୍ଗରେ ଘେନି ଯିରୂଶାଲମ ସହରରୁ ବାହୁଡ଼ିଗଲେ।


