ସାଇପ୍ରସ୍‌ରେ କାର୍ଯ୍ୟ

4ଏହି ପ୍ରକାରେ ସେମାନେ ପବିତ୍ର ଆତ୍ମାଙ୍କ ଦ୍ୱାରା ପ୍ରେରିତ ହୋଇ ସେଲୂକିଆକୁ ଗଲେ; ସେଠାରୁ ସେମାନେ ଜାହାଜରେ ଚଢ଼ି ସାଇପ୍ରସ୍ ଦ୍ବୀପକୁ ଗଲେ। 5ସେମାନେ ସାଲାମି ସହରରେ ପହଞ୍ଚିଲା ଉତ୍ତାରେ ଯିହୁଦୀମାନଙ୍କ ସମସ୍ତ ସମାଜଗୃହରେ ଈଶ୍ବରଙ୍କ ବାକ୍ୟ ପ୍ରଚାର କରିବାକୁ ଲାଗିଲେ; ଆଉ ଯୋହନ ମଧ୍ୟ ପରିଚାରକସ୍ୱରୂପେ ସେମାନଙ୍କ ସହିତ ଥିଲେ। 6ପୁଣି, ସେମାନେ ସମସ୍ତ ଦ୍ୱୀପ ପରିଭ୍ରମଣ କରି ପାଫ ସହରକୁ ଆସି ଜଣେ ମାୟାବୀ ଭଣ୍ଡ ଭାବବାଦୀଙ୍କୁ ଦେଖିଲେ; ସେ ଜଣେ ଯିହୁଦୀ, ଆଉ ତାହାର ନାମ ବର୍ଯୀଶୁ। 7ସେ ଶାସନକର୍ତ୍ତା ସେର୍ଗିୟ ପାଉଲଙ୍କ ସାଙ୍ଗରେ ଥିଲା, ସେହି ଶାସନକର୍ତ୍ତା ଜଣେ ବୁଦ୍ଧିମାନ ବ୍ୟକ୍ତି। ସେ ବର୍ଣ୍ଣବ୍ବା ଓ ଶାଉଲଙ୍କୁ ଆପଣା ନିକଟକୁ ଡାକି ଈଶ୍ବରଙ୍କ ବାକ୍ୟ ଶୁଣିବାକୁ ଇଚ୍ଛା କଲେ। 8କିନ୍ତୁ ସେହି ମାୟାବୀ ଅଲ୍ଲୀମା (ଅନୁବାଦ କଲେ ଏହି ନାମର ଅର୍ଥ ମାୟାବୀ) ସେହି ଶାସନକର୍ତ୍ତାଙ୍କୁ ବିଶ୍ୱାସରୁ ବିମୁଖ କରିବା ଚେଷ୍ଟାରେ ସେମାନଙ୍କର ପ୍ରତିରୋଧ କରିବାକୁ ଲାଗିଲା। 9ମାତ୍ର ଶାଉଲ, ଯାହାକୁ ପାଉଲ ମଧ୍ୟ କହନ୍ତି, ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ତାହାକୁ ନିରୀକ୍ଷଣ କରି କହିଲେ, 10ଆରେ ସମସ୍ତ ପ୍ରକାର ଛଳ ଓ ମନ୍ଦତାରେ ପରିପୂର୍ଣ୍ଣ ଆଉ ସମସ୍ତ ପ୍ରକାର ଧାର୍ମିକତାର ଶତ୍ରୁ, ଶୟତାନର ସନ୍ତାନ, ତୁମ୍ଭେ ପ୍ରଭୁଙ୍କର ସରଳ ପଥକୁ ବକ୍ର କରିବାରୁ କି କ୍ଷାନ୍ତ ହେବ ନାହିଁ? 11ଆଉ ଏବେ ଦେଖ, ପ୍ରଭୁଙ୍କର ହସ୍ତ ତୁମ୍ଭ ଉପରେ ରହିଅଛି, ତୁମ୍ଭେ ଅନ୍ଧ ହୋଇ କେତେକ ସମୟ ପର୍ଯ୍ୟନ୍ତ ସୂର୍ଯ୍ୟ ଦେଖିବ ନାହିଁ। ସେହିକ୍ଷଣି କୁହୁଡ଼ି ଓ ଅନ୍ଧକାର ତାହାକୁ ଘୋଡ଼ାଇ ପକାଇଲା, ତେଣୁ ତାହାକୁ ହାତ ଧରି ବାଟ କଢ଼ାଇବା ନିମନ୍ତେ ସେ ଏଣେ-ତେଣେ ଦରାଣ୍ଡି ଲୋକ ଖୋଜିବାକୁ ଲାଗିଲା। 12ସେହି ଶାସନକର୍ତ୍ତା ଏହି ଘଟଣା ଦେଖି ପ୍ରଭୁଙ୍କ ଶିକ୍ଷାରେ ଆଶ୍ଚର୍ଯ୍ୟ ହୋଇ ବିଶ୍ୱାସ କଲେ।