ପିସିଦିଆର ଆନ୍ତିୟଖିଆରେ କାର୍ଯ୍ୟ

13ପରେ ପାଉଲ ଓ ତାହାଙ୍କ ସଙ୍ଗୀମାନେ ପାଫ ସହରରୁ ଜଳଯାତ୍ରା କରି ପଂଫୂଲିଆ ଦେଶରେ ପର୍ଗୀ ସହରକୁ ଆସିଲେ; କିନ୍ତୁ ଯୋହନ ସେମାନଙ୍କୁ ପରିତ୍ୟାଗ କରି ଯିରୂଶାଲମ ସହରକୁ ବାହୁଡ଼ିଗଲେ। 14ସେମାନେ ପର୍ଗୀଠାରୁ ଯାତ୍ରା କରି ପିସିଦିଆ ଦେଶରେ ଆନ୍ତିୟଖିଆ ସହରରେ ପହଞ୍ଚିଲେ, ଆଉ ବିଶ୍ରାମବାର ଦିନରେ ସମାଜଗୃହକୁ ଯାଇ ବସିଲେ। 15ପୁଣି, ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଶାସ୍ତ୍ରପାଠ ପରେ ସମାଜଗୃହର ଅଧ୍ୟକ୍ଷମାନେ ସେମାନଙ୍କ ନିକଟକୁ ଏହା କହି ପଠାଇଲେ, ଭାଇମାନେ, ଲୋକମାନଙ୍କ ନିମନ୍ତେ ଯଦି ଆପଣମାନଙ୍କର କୌଣସି ଉପଦେଶର ବିଷୟ ଅଛି, ତେବେ କହନ୍ତୁ। 16ସେଥିରେ ପାଉଲ ଠିଆ ହୋଇ ହସ୍ତରେ ସଙ୍କେତ କରି କହିବାକୁ ଲାଗିଲେ, ହେ ଇସ୍ରାଏଲୀୟ ଲୋକମାନେ ଓ ଈଶ୍ବର ଭୟକାରୀମାନେ, ଶ୍ରବଣ କରନ୍ତୁ। 17ଏହି ଇସ୍ରାଏଲ ଜାତିର ଈଶ୍ବର ଆମ୍ଭମାନଙ୍କ ପିତୃପୁରୁଷମାନଙ୍କୁ ମନୋନୀତ କଲେ, ଆଉ ସେମାନେ ମିସର ଦେଶରେ ପ୍ରବାସ କରୁଥିବା ସମୟରେ ସେମାନଙ୍କୁ ଉନ୍ନତ କଲେ, ପୁଣି, ପରାକ୍ରମୀ ବାହୁ ଦ୍ୱାରା ସେଠାରୁ ସେମାନଙ୍କୁ କଢ଼ାଇ ଆଣିଲେ। 18ପରେ ପ୍ରାୟ ଚାଳିଶ ବର୍ଷ ପର୍ଯ୍ୟନ୍ତ ପ୍ରାନ୍ତରରେ ସେ ସେମାନଙ୍କ ବ୍ୟବହାର ସହ୍ୟ କଲେ, 19ପୁଣି, କିଣାନ ଦେଶରେ ସାତଗୋଟି ଜାତିକୁ ବିନାଶ କରି ପ୍ରାୟ ଚାରିଶହ ପଚାଶ ବର୍ଷ ପର୍ଯ୍ୟନ୍ତ ସେମାନଙ୍କୁ ଆପଣା ଦେଶ ଅଧିକାରସ୍ୱରୂପେ ଦେଲେ। 20ଏଥିଉତ୍ତାରେ ଭାବବାଦୀ ଶାମୁୟେଲଙ୍କ ପର୍ଯ୍ୟନ୍ତ ବିଚାରକର୍ତ୍ତାମାନଙ୍କୁ ନିଯୁକ୍ତ କଲେ। 21ତତ୍ପରେ ସେମାନେ ଜଣେ ରାଜା ପାଇବା ନିମନ୍ତେ ପ୍ରାର୍ଥନା କଲେ, ଆଉ ଈଶ୍ବର ଚାଳିଶ ବର୍ଷ ପର୍ଯ୍ୟନ୍ତ ବିନ୍ୟାମୀନ୍ ଗୋଷ୍ଠୀର କୀଶଙ୍କ ପୁତ୍ର ଶାଉଲଙ୍କୁ ସେମାନଙ୍କୁ ଦେଲେ। 22ପରେ ସେ ତାହାଙ୍କୁ ପଦଚ୍ୟୁତ କରି ସେମାନଙ୍କର ରାଜା ହେବା ନିମନ୍ତେ ଦାଉଦଙ୍କୁ ଉତ୍ଥାପନ କଲେ; ସେ ମଧ୍ୟ ତାହାଙ୍କ ବିଷୟରେ ସାକ୍ଷ୍ୟ ଦେଇ କହିଲେ, ଆମ୍ଭେ ଯିଶୀର ପୁତ୍ର ଦାଉଦଙ୍କୁ ପାଇଅଛୁ, ସେ ଆମ୍ଭର ମନର ମତ ବ୍ୟକ୍ତି, ସେ ସମସ୍ତ ବିଷୟରେ ଆମ୍ଭର ଇଚ୍ଛା ପାଳନ କରିବେ। 23ତାହାଙ୍କ ବଂଶରୁ ଈଶ୍ବର ପ୍ରତିଜ୍ଞାନୁସାରେ ଇସ୍ରାଏଲ ନିମନ୍ତେ ଜଣେ ତ୍ରାଣକର୍ତ୍ତା; ଅର୍ଥାତ୍‍ ଯୀଶୁଙ୍କୁ ଉତ୍ପନ୍ନ କରିଅଛନ୍ତି। 24ତାହାଙ୍କ ଆଗମନ ପୂର୍ବେ ଯୋହନ ସମସ୍ତ ଇସ୍ରାଏଲ ଲୋକଙ୍କ ନିକଟରେ ପ୍ରଥମରେ ମନ-ପରିବର୍ତ୍ତନର ବାପ୍ତିସ୍ମ ଘୋଷଣା କରିଥିଲେ; 25ଆଉ ଯୋହନ ଆପଣାର ନିରୂପିତ କର୍ମ ସମାପ୍ତ କରୁ କରୁ କହିଲେ, ମୁଁ ଯେ ବୋଲି ତୁମ୍ଭେମାନେ ମନେ କରୁଅଛ, ମୁଁ ସେ ନୁହେଁ। କିନ୍ତୁ ଦେଖ, ମୋ ପଛରେ ଜଣେ ଆସୁଅଛନ୍ତି, ତାହାଙ୍କ ପାଦର ପାଦୁକା ଫିଟାଇବାକୁ ମୁଁ ଯୋଗ୍ୟ ନୁହେଁ। 26ହେ ଭାଇମାନେ, ଅବ୍ରହାମଙ୍କ ବଂଶର ସନ୍ତାନସନ୍ତତି ଓ ଆପଣମାନଙ୍କ ମଧ୍ୟରୁ ଈଶ୍ବର ଭୟକାରୀମାନେ, ଆମ୍ଭମାନଙ୍କ ନିକଟକୁ ଏହି ପରିତ୍ରାଣର ବାକ୍ୟ ପ୍ରେରିତ ହୋଇଅଛି। 27କାରଣ ଯିରୂଶାଲମ ନିବାସୀମାନେ ଆଉ ସେମାନଙ୍କର ଅଧ୍ୟକ୍ଷଗଣ ତାହାଙ୍କୁ ପୁଣି, ପ୍ରତି ବିଶ୍ରାମବାର ଦିନରେ ପାଠ କରାଯାଉଥିବା ଭାବବାଦୀମାନଙ୍କର ବାକ୍ୟସବୁକୁ ନ ଜାଣିବାରୁ ତାହାଙ୍କୁ ଦୋଷୀ କରି ସେ ସମସ୍ତ ସଫଳ କଲେ, 28ଆଉ ପ୍ରାଣଦଣ୍ଡର କୌଣସି କାରଣ ନ ପାଇଲେ ସୁଦ୍ଧା ତାହାଙ୍କୁ ବଧ କରିବା ନିମନ୍ତେ ପୀଲାତଙ୍କୁ ନିବେଦନ କଲେ। 29ପୁଣି, ତାହାଙ୍କ ବିଷୟରେ ଯାହାସବୁ ଲେଖାଅଛି, ସେ ସମସ୍ତ ପୂର୍ଣ୍ଣ କଲା ଉତ୍ତାରେ ତାହାଙ୍କୁ କ୍ରୁଶରୁ ଓହ୍ଲାଇ ଆଣି ସମାଧିରେ ରଖିଦେଲେ। 30କିନ୍ତୁ ଈଶ୍ବର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଲେ, 31ପୁଣି, ଯେଉଁମାନେ ତାହାଙ୍କ ସହିତ ଗାଲିଲୀରୁ ଯିରୂଶାଲମ ସହରକୁ ଆସିଥିଲେ, ସେମାନେ ଅନେକ ଦିନ ପର୍ଯ୍ୟନ୍ତ ତାହାଙ୍କ ଦର୍ଶନ ପାଇଲେ; ସେମାନେ ବର୍ତ୍ତମାନ ଲୋକମାନଙ୍କ ନିକଟରେ ତାହାଙ୍କର ସାକ୍ଷୀ। 32ଆଉ ପିତୃ-ପୁରୁଷମାନଙ୍କ ନିକଟରେ କୃତ ପ୍ରତିଜ୍ଞା ବିଷୟରେ ଆମ୍ଭେମାନେ ଆପଣମାନଙ୍କୁ ଏହି ସୁସମାଚାର ଜଣାଉଅଛୁ ଯେ, 33ଈଶ୍ବର ଯୀଶୁଙ୍କୁ ଉତ୍ଥାପନ କରି ସେମାନଙ୍କର ସନ୍ତାନ ଯେ ଆମ୍ଭେମାନେ, ଆମ୍ଭମାନଙ୍କ ପ୍ରତି ସେହି ପ୍ରତିଜ୍ଞା ସଫଳ କରିଅଛନ୍ତି, ଯେପରି ଦ୍ବିତୀୟ ଗୀତସଂହିତାରେ ମଧ୍ୟ ଲେଖାଅଛି, “ତୁମ୍ଭେ ଆମ୍ଭର ପୁତ୍ର, ଆଜି ଆମ୍ଭେ ତୁମ୍ଭକୁ ଜନ୍ମ ଦେଲୁ।” 34ସେ ଯେ ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଅଛନ୍ତି; ପୁଣି, ସେ ଯେ ଆଉ କ୍ଷୟସ୍ଥାନକୁ ଫେରିବେ ନାହିଁ, ଏହି ବିଷୟରେ ସେ ଏହି ପ୍ରକାର କହିଅଛନ୍ତି,

“‘ଆମ୍ଭେ ଦାଉଦଙ୍କ ନିକଟରେ ପ୍ରତିଜ୍ଞାତ ପବିତ୍ର ଓ ଅଟଳ ଆଶୀର୍ବାଦ ସବୁ ତୁମ୍ଭମାନଙ୍କୁ ପ୍ରଦାନ କରିବା।’

35ପୁଣି, ସେ ମଧ୍ୟ ଆଉ ଗୋଟିଏ ଗୀତସଂହିତାରେ କହିଅଛନ୍ତି,

‘ତୁମ୍ଭେ ଆପଣା ପବିତ୍ର ଜଣକୁ କ୍ଷୟ ପାଇବାକୁ ଦେବ ନାହିଁ।’”

36ଦାଉଦ ତ ଆପଣା ସମକାଳୀନ ଲୋକମାନଙ୍କ ମଧ୍ୟରେ ଈଶ୍ବରଙ୍କର ସଙ୍କଳ୍ପ ଅନୁସାରେ ସେବକର କାର୍ଯ୍ୟ କଲା ଉତ୍ତାରେ ମହାନିଦ୍ରାପ୍ରାପ୍ତ ହେଲେ ଏବଂ ଆପଣା ପିତୃ-ପୁରୁଷମାନଙ୍କ ନିକଟରେ ସମାଧିସ୍ଥ ହୋଇ କ୍ଷୟ ପାଇଲେ; 37କିନ୍ତୁ ଯାହାଙ୍କୁ ଈଶ୍ବର ଉଠାଇଅଛନ୍ତି, ସେ କ୍ଷୟ ପାଇ ନାହାନ୍ତି। 38ଅତଏବ, ହେ ଭାଇମାନେ, ଆପଣମାନେ ଏହା ଅବଗତ ହେଉନ୍ତୁ, ଏହି ବ୍ୟକ୍ତିଙ୍କ ଦ୍ୱାରା ଆପଣମାନଙ୍କ ନିକଟରେ ପାପ କ୍ଷମା ପ୍ରଚାର କରାଯାଉଅଛି, 39ପୁଣି, ମୋଶାଙ୍କ ବ୍ୟବସ୍ଥା ଦ୍ୱାରା ଯେ ସମସ୍ତ ବିଷୟରୁ ଆପଣମାନେ ମୁକ୍ତ ହୋଇ ଧାର୍ମିକ ଗଣିତ ହୋଇପାରିଲେ ନାହିଁ, ବିଶ୍ୱାସକାରୀ ପ୍ରତ୍ୟେକ ଲୋକ ତାହାଙ୍କ ଦ୍ୱାରା ସେହି ସମସ୍ତ ବିଷୟରୁ ମୁକ୍ତ ହୋଇ ଧାର୍ମିକ ଗଣିତ ହୁଅନ୍ତି। 40ତେଣୁ ସାବଧାନ, କାଳେ ଭାବବାଦୀମାନଙ୍କ ଶାସ୍ତ୍ରରେ ଯାହା କୁହାଯାଇଅଛି, ତାହା ଯେପରି ଆପଣମାନଙ୍କ ପ୍ରତି ନ ଘଟେ,

41“‘ହେ ଅବଜ୍ଞାକାରୀମାନେ, ତୁମ୍ଭେମାନେ ଦେଖି ପୁଣି,

ଚମତ୍କୃତ ହୋଇ ବିନଷ୍ଟ ହୁଅ; ଯେଣୁ ଆମ୍ଭେ ତୁମ୍ଭମାନଙ୍କ ସମୟରେ ଗୋଟିଏ କାର୍ଯ୍ୟ ସାଧନ କରୁଅଛୁ,

ଯଦି କେହି ସେହି କାର୍ଯ୍ୟ ତୁମ୍ଭମାନଙ୍କ ନିକଟରେ ବର୍ଣ୍ଣନା କରେ,

ତେବେ ତୁମ୍ଭେମାନେ କୌଣସି ପ୍ରକାରେ ତାହା ବିଶ୍ୱାସ କରିବ ନାହିଁ।’”

42ସେମାନେ ବାହାରିଯାଉଥିବା ସମୟରେ, ଯେପରି ପରବର୍ତ୍ତୀ ବିଶ୍ରାମବାର ଦିନରେ ସେହିସବୁ କଥା ସେମାନଙ୍କୁ କୁହାଯାଏ, ଏଥିପାଇଁ ସେମାନେ ବିନତି କରିବାକୁ ଲାଗିଲେ। 43ସଭା ସମାପ୍ତ ହେଲା ଉତ୍ତାରେ ଯିହୁଦୀ ଓ ଯିହୁଦୀମତାବଲମ୍ବୀ ଅଣଯିହୁଦୀମାନଙ୍କ ମଧ୍ୟରୁ ଅନେକେ ପାଉଲ ଓ ବର୍ଣ୍ଣବ୍ବାଙ୍କ ପଛେ ପଛେ ଗଲେ; ସେମାନେ ସେମାନଙ୍କ ସହିତ କଥାବାର୍ତ୍ତା କରି ଈଶ୍ବରଙ୍କ ଅନୁଗ୍ରହରେ ସ୍ଥିର ହୋଇ ରହିବାକୁ ସେମାନଙ୍କୁ ପ୍ରବର୍ତ୍ତାଇଲେ।