ପବିତ୍ର ଆତ୍ମାଙ୍କ ଅବତରଣ

1ପେଣ୍ଟିକଷ୍ଟ ଦିବସ ଉପସ୍ଥିତ ହୁଅନ୍ତେ, ସମସ୍ତେ ଏକ ସ୍ଥାନରେ ଏକାଠି ଥିଲେ। 2ଆଉ, ପ୍ରବଳ ବେଗରେ ବହୁଥିବା ପ୍ରଚଣ୍ଡ ପବନର ଶବ୍ଦ ତୁଲ୍ୟ ଗୋଟିଏ ଶବ୍ଦ ହଠାତ୍‍ ଆକାଶରୁ ଆସି, ଯେଉଁ ଗୃହରେ ସେମାନେ ବସିଥିଲେ, ସେହି ଗୃହର ଚାରିଆଡ଼େ ବ୍ୟାପିଗଲା, 3ଆଉ ନିଆଁ ଭଳି ଜିହ୍ୱାଗୁଡ଼ିକ ସେମାନଙ୍କ ଦୃଷ୍ଟିଗୋଚର ହୋଇ ଗୋଟି ଗୋଟି କରି ସେମାନଙ୍କ ପ୍ରତ୍ୟେକ ଜଣଙ୍କ ଉପରକୁ ଓହ୍ଲାଇ ଆସିଲା। 4ସେଥିରେ ସମସ୍ତେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେଲେ, ପୁଣି, ଆତ୍ମା ସେମାନଙ୍କୁ ଯେପରି କହିବାକୁ ଶକ୍ତି ଦେଲେ, ତଦନୁସାରେ ସେମାନେ ଅନ୍ୟାନ୍ୟ ଭାଷାରେ କଥା କହିବାକୁ ଲାଗିଲେ। 5ଏହି ସମୟରେ ପେଣ୍ଟିକଷ୍ଟ ପର୍ବ ପାଳନ ଉଦ୍ଦେଶ୍ୟରେ ଆକାଶ ତଳେ ଥିବା ପ୍ରତ୍ୟେକ ଜାତିରୁ ଭକ୍ତ ଯିହୁଦୀମାନେ ଆସି ଯିରୂଶାଲମ ସହରରେ ବାସ କରୁଥିଲେ। 6ଆଉ, ସେହି ଶବ୍ଦ ହୁଅନ୍ତେ, ବହୁ ଜନତା ଏକାଠି ହୋଇ ପ୍ରତ୍ୟେକ ଜଣ ଆପଣା ଆପଣା ଭାଷାରେ ସେମାନଙ୍କୁ କଥା କହୁଥିବା ଶୁଣିବାରୁ ଅବାକ୍ ହୋଇଗଲେ। 7ପୁଣି, ସେମାନେ ଆଚମ୍ଭିତ ଓ ଚମତ୍କୃତ ହୋଇ କହିବାକୁ ଲାଗିଲେ, ଦେଖ, ଏହି ଯେଉଁ ଲୋକମାନେ କଥା କହୁଛନ୍ତି, ସେମାନେ ସମସ୍ତେ କଅଣ ଗାଲିଲୀୟ ନୁହଁନ୍ତି? 8ତେବେ, ଆମ୍ଭେମାନେ କିପରି ପ୍ରତ୍ୟେକ ଜଣ ଆପଣା ଆପଣା ଜନ୍ମଭୂମିର ଭାଷାରେ କଥା ଶୁଣୁଅଛୁ? 9ପାର୍ଥୀୟ, ମାଦୀୟ ଓ ଏଲାମୀୟ, ପୁଣି, ମେସୋପଟାମିଆ, ଯିହୂଦିୟା ପ୍ରଦେଶ, କାପ୍ପାଦକିଆ, ପନ୍ତ ଓ ଏସିଆ, 10ଫ୍ରୁଗିଆ ଓ ପଂଫୂଲିଆ, ମିସର ଓ କୂରୀଣୀ ନିକଟବର୍ତ୍ତୀ ଲିବିଆ ଅଞ୍ଚଳ ନିବାସୀ ଏବଂ ରୋମରୁ ଆସିଥିବା ଯିହୁଦୀ ଓ ଯିହୁଦୀ ଧର୍ମାବଲମ୍ବୀ ପ୍ରବାସୀ, 11ପୁଣି, ଆମ୍ଭେମାନେ କ୍ରୀତୀୟ ଓ ଆରବୀୟ ଲୋକେ, ଆପଣା ଆପଣା ଭାଷାରେ ଏମାନଙ୍କୁ ଈଶ୍ବରଙ୍କ ମହତ ମହତ କର୍ମର କଥା କହିବା ଶୁଣୁଅଛୁ। 12ଆଉ, ସମସ୍ତେ ଆଚମ୍ଭିତ ଓ ଅବାକ୍ ହୋଇ ପରସ୍ପର କହିବାକୁ ଲାଗିଲେ, ଏହାର ଅର୍ଥ କଅଣ? 13କିନ୍ତୁ ଅନ୍ୟମାନେ ପରିହାସ କରି କହିଲେ, ଏମାନେ ନୂତନ ଦ୍ରାକ୍ଷାରସରେ ମତ୍ତ ହୋଇଅଛନ୍ତି।