ଇକନୀୟରେ କାର୍ଯ୍ୟ

1ଇକନୀୟରେ ମଧ୍ୟ ସେହି ପ୍ରକାର ଘଟିଲା; ପାଉଲ ଓ ବର୍ଣ୍ଣବ୍ବା ଯିହୁଦୀମାନଙ୍କ ସମାଜଗୃହରେ ପ୍ରବେଶ କରି ଏପରି କଥା କହିଲେ ଯେ, ଯିହୁଦୀ ଓ ଗ୍ରୀକ୍‍ମାନଙ୍କ ମଧ୍ୟରୁ ବହୁସଂଖ୍ୟକ ଲୋକ ବିଶ୍ୱାସ କଲେ। 2କିନ୍ତୁ ଯେଉଁ ଯିହୁଦୀମାନେ ବିଶ୍ୱାସ କଲେ ନାହିଁ, ସେମାନେ ଅଣଯିହୁଦୀମାନଙ୍କର ମନକୁ ଉତ୍ତେଜିତ କରି ଭାଇମାନଙ୍କ ବିରୁଦ୍ଧରେ ମନ୍ଦ ଭାବ ଜନ୍ମାଇଦେଲେ। 3ସେମାନେ ଅନେକ ଦିନ ପର୍ଯ୍ୟନ୍ତ ସେହି ସ୍ଥାନରେ ରହି ପ୍ରଭୁଙ୍କ ଉପରେ ନିର୍ଭର କରି ସାହସରେ ପ୍ରଚାର କଲେ; ଆଉ ସେ ସେମାନଙ୍କ ହସ୍ତ ଦ୍ଵାରା ନାନା ଲକ୍ଷଣ ଓ ଅଦ୍ଭୁତ କର୍ମ ସାଧନ କରି ଆପଣା ଅନୁଗ୍ରହ ବାକ୍ୟ ସପକ୍ଷରେ ସାକ୍ଷ୍ୟ ଦେଲେ। 4କିନ୍ତୁ ନଗରର ଲୋକସମୂହ ଦୁଇ ଦଳ ହେଲେ, ଦଳେ ଯିହୁଦୀମାନଙ୍କ ପକ୍ଷରେ ଆଉ ଦଳେ ପ୍ରେରିତମାନଙ୍କ ପକ୍ଷରେ। 5ଯେତେବେଳେ ଅଣଯିହୁଦୀ ଓ ଯିହୁଦୀମାନେ ସେମାନଙ୍କର ଅଧ୍ୟକ୍ଷମାନଙ୍କ ସହିତ ସେମାନଙ୍କ ପ୍ରତି ଦୌରାତ୍ମ୍ୟ କରିବାକୁ ଓ ପଥର ଫୋପାଡ଼ିବାକୁ ଉଠିଲେ, 6ସେତେବେଳେ ସେମାନେ ତାହା ଜାଣି ପାରି ଲୁକାୟନିଆ ଦେଶରେ ଲୁସ୍ତ୍ରା ଓ ଦର୍ବୀ ସହର ପୁଣି, ଚାରିଆଡ଼ର ଅଞ୍ଚଳକୁ ପଳାଇଗଲେ, 7ଆଉ ସେମାନେ ସେଠାରେ ସୁସମାଚାର ପ୍ରଚାର କରିବାକୁ ଲାଗିଲେ।