ଯିରୂଶାଲମ ସହରର ଖ୍ରୀଷ୍ଟୀୟ ସଭା
1ଏଥିମଧ୍ୟରେ କେତେକ ଲୋକ ଯିହୂଦିୟା ପ୍ରଦେଶରୁ ଆସି ଭାଇମାନଙ୍କୁ ଏହି ଶିକ୍ଷା ଦେବାକୁ ଲାଗିଲେ, ମୋଶାଙ୍କ ବିଧି ଅନୁସାରେ ତୁମ୍ଭମାନଙ୍କର ସୁନ୍ନତ ନ ହେଲେ ପରିତ୍ରାଣ ପାଇ ପାରିବ ନାହିଁ। 2ଏଥିରେ ପାଉଲ ଓ ବର୍ଣ୍ଣବ୍ବାଙ୍କର ସେମାନଙ୍କ ସାଙ୍ଗରେ ଅନେକ ବାଗ୍ଯୁଦ୍ଧ ଓ ବାଦାନୁବାଦ ହେବାରୁ ଭାଇମାନେ ପାଉଲ, ବର୍ଣ୍ଣବ୍ବା ଓ ଆପଣାମାନଙ୍କ ମଧ୍ୟରୁ ଆଉ କେତେକ ଜଣ ଏହି ପ୍ରଶ୍ନ ଘେନି ଯିରୂଶାଲମସ୍ଥ ପ୍ରେରିତ ଓ ପ୍ରାଚୀନମାନଙ୍କ ନିକଟକୁ ଯାଆନ୍ତୁ ବୋଲି ସ୍ଥିର କଲେ। 3ଅତଏବ ମଣ୍ଡଳୀ ସେମାନଙ୍କୁ ବାଟ ବଳାଇ ବିଦାୟ ଦେଲା ଉତ୍ତାରେ ସେମାନେ ଫୈନୀକିଆ ଓ ଶମିରୋଣ ଦେଇ ଯାଉ ଯାଉ ଅଣଯିହୁଦୀମାନଙ୍କ ମନ-ପରିବର୍ତ୍ତନ ବିଷୟ ବର୍ଣ୍ଣନା କରି ସମସ୍ତ ଭାଇମାନଙ୍କର ମହାନନ୍ଦ ଜନ୍ମାଇଲେ। 4ପରେ ସେମାନେ ଯିରୂଶାଲମ ସହରରେ ଉପସ୍ଥିତ ହୋଇ ମଣ୍ଡଳୀ ପୁଣି, ପ୍ରେରିତ ଓ ପ୍ରାଚୀନମାନଙ୍କ ଦ୍ୱାରା ଅଭ୍ୟର୍ଥନା ପ୍ରାପ୍ତ ହେଲେ, ଆଉ ଈଶ୍ବର ସେମାନଙ୍କ ସାଙ୍ଗରେ ଥାଇ ଯେ ସମସ୍ତ କାର୍ଯ୍ୟ କରିଥିଲେ, ସେହିସବୁ ବର୍ଣ୍ଣନା କଲେ। 5କିନ୍ତୁ ଫାରୂଶୀ-ଦଳର କେତେକ ଜଣ ଯେଉଁମାନେ ବିଶ୍ୱାସ କରୁଥିଲେ ଉଠି କହିଲେ, ଅଣଯିହୁଦୀ ଶିଷ୍ୟମାନଙ୍କୁ ସୁନ୍ନତ କରିବା ଓ ମୋଶାଙ୍କ ବ୍ୟବସ୍ଥା ପାଳନ କରିବା ନିମନ୍ତେ ସେମାନଙ୍କୁ ଆଜ୍ଞା ଦେବା ଆବଶ୍ୟକ। 6ପରେ ଏହି ବିଷୟ ଆଲୋଚନା କରିବା ନିମନ୍ତେ ପ୍ରେରିତ ଓ ପ୍ରାଚୀନମାନେ ସମବେତ ହେଲେ। 7ଅନେକ ତର୍କବିତର୍କ ହେଲା ଉତ୍ତାରେ ପିତର ଉଠି ସେମାନଙ୍କୁ କହିଲେ, ହେ ଭାଇମାନେ, ଆପଣମାନେ ଜାଣନ୍ତି ଯେ, ମୋହର ମୁଖ ଦ୍ୱାରା ଅଣଯିହୁଦୀମାନେ ଯେପରି ସୁସମାଚାର ବାକ୍ୟ ଶୁଣି ବିଶ୍ୱାସ କରନ୍ତି, ଏଥିପାଇଁ ଅନେକ ଦିନ ପୂର୍ବେ ଈଶ୍ବର ଆପଣମାନଙ୍କ ମଧ୍ୟରୁ ମୋତେ ମନୋନୀତ କରିଥିଲେ। 8ସର୍ବାନ୍ତର୍ଯ୍ୟାମୀ ଈଶ୍ବର ଆମ୍ଭମାନଙ୍କୁ ଯେପରି ପବିତ୍ର ଆତ୍ମା ଦାନ କରିଅଛନ୍ତି, ସେମାନଙ୍କୁ ମଧ୍ୟ ସେହିପରି ଦାନ କରି ସେମାନଙ୍କ ପକ୍ଷରେ ସାକ୍ଷ୍ୟ ଦେଇଅଛନ୍ତି। 9ଆଉ ସେ ଆମ୍ଭମାନଙ୍କ ଓ ସେମାନଙ୍କ ମଧ୍ୟରେ କୌଣସି ଦଳଭେଦ ନ ରଖି ବିଶ୍ୱାସ ଦ୍ୱାରା ସେମାନଙ୍କର ହୃଦୟ ଶୁଚି କରିଅଛନ୍ତି। 10ଏଣୁ ଯେଉଁ ଯୁଆଳି ଆମ୍ଭମାନଙ୍କ ପିତୃ-ପୁରୁଷ ଓ ଆମ୍ଭେମାନେ ବହିବାକୁ ଅକ୍ଷମ ହେଲୁ, ସେହି ଜୁଆଳି ଶିଷ୍ୟମାନଙ୍କ କାନ୍ଧରେ ଦେଇ କାହିଁକି ଆପଣମାନେ ଈଶ୍ବରଙ୍କ ପରୀକ୍ଷା କରୁଅଛନ୍ତି? 11କିନ୍ତୁ ସେମାନେ ଯେପ୍ରକାର, ଆମ୍ଭେମାନେ ମଧ୍ୟ ସେପ୍ରକାର ପ୍ରଭୁ ଯୀଶୁଙ୍କ ଅନୁଗ୍ରହରେ ପରିତ୍ରାଣ ପାଇବୁ ବୋଲି ବିଶ୍ୱାସ କରୁଅଛୁ। 12ଏଥିରେ ସଭାସ୍ଥ ସମସ୍ତେ ନୀରବ ରହିଲେ, ଆଉ ବର୍ଣ୍ଣବ୍ବା ଓ ପାଉଲଙ୍କ ଦ୍ୱାରା ଅଣଯିହୁଦୀମାନଙ୍କ ମଧ୍ୟରେ ଈଶ୍ବର ଯେ ସମସ୍ତ ଲକ୍ଷଣ ଓ ଅଦ୍ଭୁତ କର୍ମମାନ ସାଧନ କରିଥିଲେ, ସେମାନଙ୍କଠାରୁ ସେଥିର ବିବରଣୀ ଶୁଣିବାକୁ ଲାଗିଲେ। 13ସେମାନଙ୍କ କଥା ଶେଷ ହେଲା ଉତ୍ତାରେ ଯାକୁବ ଉତ୍ତର ଦେଇ କହିଲେ, ହେ ଭାଇମାନେ ମୋହର କଥା ଶୁଣନ୍ତୁ। 14ଈଶ୍ବର ଆପଣା ନାମ ନିମନ୍ତେ ଅଣଯିହୁଦୀମାନଙ୍କ ମଧ୍ୟରୁ ଦଳେ ଲୋକ ଗ୍ରହଣ କରିବା ପାଇଁ କିପ୍ରକାରେ ପ୍ରଥମେ ସେମାନଙ୍କ ପ୍ରତି କୃପାଦୃଷ୍ଟି କରିଥିଲେ, ତାହା ଶିମୋନ ବର୍ଣ୍ଣନା କରିଅଛନ୍ତି। 15ପୁଣି, ଭାବବାଦୀମାନଙ୍କର ବାକ୍ୟ ଏହା ସହିତ ମିଶୁଅଛି, ଯେପରି ଲେଖାଅଛି,
16“‘ଏଥିଉତ୍ତାରେ ଆମ୍ଭେ ବାହୁଡ଼ିଆସି
ଦାଉଦର ପତିତ କୁଟୀର ପୁନଃନିର୍ମାଣ କରିବା,
ପୁଣି, ତାହାର ଧ୍ୱଂସସ୍ଥାନସବୁ ପୁନଃନିର୍ମାଣ କରି
ତାହା ପୁନଃସ୍ଥାପନ କରିବା,
17ଯେପରି ଅବଶିଷ୍ଟ ଲୋକେ ଓ ଯେ ସମସ୍ତ ଅଣଯିହୁଦୀ ଆମ୍ଭ ନାମରେ ଖ୍ୟାତ,
ସେମାନେ ପ୍ରଭୁଙ୍କୁ ଅନ୍ୱେଷଣ କରନ୍ତି,
ସର୍ବ ସାଧନକର୍ତ୍ତା ପ୍ରଭୁ ଏହା କହନ୍ତି।
18ପ୍ରାଚୀନକାଳରୁ ଈଶ୍ବର ଆପଣାର ସମସ୍ତ କର୍ମ ଜଣାଇଛନ୍ତି।’
19ଅତଏବ, ମୋହର ବିଚାର ଏହି, ଅଣଯିହୁଦୀମାନଙ୍କ ମଧ୍ୟରୁ ଯେଉଁମାନେ ଈଶ୍ବରଙ୍କ ପ୍ରତି ଫେରନ୍ତି, ସେମାନଙ୍କୁ ଆମ୍ଭେମାନେ ଭାରଗ୍ରସ୍ତ କରିବା ନାହିଁ; 20କିନ୍ତୁ ପ୍ରତିମା ସମ୍ବନ୍ଧୀୟ ଅଶୁଚିତା, ଯୌନକ୍ରିୟା, ଶ୍ୱାସରୋଧ ଦ୍ୱାରା ମୃତ ପ୍ରାଣୀ ଓ ରକ୍ତରୁ ପୃଥକ୍ ରହିବା ନିମନ୍ତେ ଆମ୍ଭେମାନେ ସେମାନଙ୍କୁ ଲେଖୁ। 21କାରଣ ପ୍ରାଚୀନକାଳରୁ ପ୍ରତି ନଗରରେ ମୋଶାଙ୍କର ପ୍ରଚାରକମାନେ ଅଛନ୍ତି, ଯେଣୁ ପ୍ରତି ବିଶ୍ରାମବାର ଦିନରେ ସମାଜଗୃହ ସମୂହରେ ତାହାଙ୍କ ବ୍ୟବସ୍ଥା ପାଠ କରାଯାଉଅଛି।”


