ଅଣଯିହୁଦୀ ବିଶ୍ୱାସୀମାନଙ୍କ ନିକଟକୁ ପତ୍ର

22ସେତେବେଳେ ପ୍ରେରିତ ଓ ପ୍ରାଚୀନମାନେ ସମସ୍ତ ମଣ୍ଡଳୀ ସହିତ ଆପଣାମାନଙ୍କ ମଧ୍ୟରୁ ଲୋକ, ଅର୍ଥାତ୍‍ ଭ୍ରାତୃବୃନ୍ଦଙ୍କ ମଧ୍ୟରେ ଅଗ୍ରଗଣ୍ୟ ବର୍ଶବ୍ବା ନାମରେ ଖ୍ୟାତ ଯିହୂଦା ଓ ଶୀଲାଙ୍କୁ ମନୋନୀତ କରି ପାଉଲ ଓ ବର୍ଣ୍ଣବ୍ବାଙ୍କ ସହିତ ଆନ୍ତିୟଖିଆକୁ ପଠାଇବାକୁ ନିଷ୍ପତ୍ତି ନେଲେ, 23ଆଉ, ସେମାନେ ସେମାନଙ୍କ ହାତରେ ଏହା ଲେଖି ପଠାଇଲେ,

ଆନ୍ତିୟଖିଆ, ସିରିୟା ଓ କିଲିକିୟାସ୍ଥ

ଅଣଯିହୁଦୀ ଭ୍ରାତୃବୃନ୍ଦଙ୍କୁ ପ୍ରେରିତ ଓ ପ୍ରାଚୀନ ଭ୍ରାତୃବୃନ୍ଦଙ୍କର

ନମସ୍କାର।

24ଆମ୍ଭେମାନେ ଶୁଣିଅଛୁ ଯେ, ଆମ୍ଭେମାନେ ଯେଉଁ ଲୋକମାନଙ୍କୁ କୌଣସି ଆଜ୍ଞା ଦେଇ ନାହୁଁ, ଆମ୍ଭମାନଙ୍କ ମଧ୍ୟରୁ ଏପ୍ରକାର କେତେକ ଲୋକ କଥା ଦ୍ୱାରା ଆପଣମାନଙ୍କର ମନକୁ ଅସ୍ଥିର କରି ଆପଣମାନଙ୍କୁ ବିଚଳିତ କରିଅଛନ୍ତି; 25ଏଥିନିମନ୍ତେ ଆମ୍ଭମାନଙ୍କର ପ୍ରିୟପାତ୍ର ଯେଉଁ ବର୍ଣ୍ଣବ୍ବା ଓ ପାଉଲ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମ ନିମନ୍ତେ ପ୍ରାଣପଣ କରିଅଛନ୍ତି, 26ଆମ୍ଭେମାନେ ଏକମତ ହୋଇ କେତେକ ଲୋକଙ୍କୁ ମନୋନୀତ କରି ସେମାନଙ୍କ ସହିତ ଆପଣମାନଙ୍କ ନିକଟକୁ ପଠାଇବା ବିହିତ ବୁଝିଲୁ। 27ଏଣୁ ଆମ୍ଭେମାନେ ଯିହୂଦା ଓ ଶୀଲାଙ୍କୁ ପଠାଇଲୁ, ଏମାନେ ମଧ୍ୟ ମୁଖରେ ଆପଣମାନଙ୍କୁ ସେହି ସମସ୍ତ କଥା ଜଣାଇଦେବେ। 28କାରଣ ପ୍ରତିମା ନିକଟରେ ଉତ୍ସର୍ଗୀକୃତ ପ୍ରସାଦ, ରକ୍ତ, ଶ୍ୱାସରୋଧ ଦ୍ୱାରା ମୃତ ପ୍ରାଣୀର ମାଂସ ଓ ଯୌନକ୍ରିୟାଠାରୁ ପୃଥକ୍ ରହିବା, ଏହି କେତୋଟି ଆବଶ୍ୟକୀୟ ବିଷୟ ବ୍ୟତୀତ ଆପଣମାନଙ୍କ ଉପରେ ଆଉ ଅଧିକ ଭାର ନ ଦେବାକୁ, ପବିତ୍ର ଆତ୍ମା ଓ ଆମ୍ଭମାନଙ୍କ ଦୃଷ୍ଟିରେ ଉତ୍ତମ ଦେଖାଗଲା; 29ଏହିସବୁରୁ ଆପଣା ଆପଣାକୁ ଯତ୍ନ ସହ ରକ୍ଷା କଲେ ଆପଣମାନଙ୍କର ଭଲ ହେବ।

ଆପଣମାନଙ୍କର ମଙ୍ଗଳ ହେଉ।

30ସେମାନେ ବିଦାୟ ହୋଇ ଆନ୍ତିୟଖିଆକୁ ଆସିଲେ ଆଉ ଶିଷ୍ୟସମୂହକୁ ଏକତ୍ର କରି ପତ୍ର ଖଣ୍ଡିକ ଦେଲେ। 31ସେମାନେ ତାହା ପାଠ କରି ଆଶ୍ୱାସନା ପାଇ ଆନନ୍ଦିତ ହେଲେ। 32ପୁଣି, ଯିହୂଦା ଓ ଶୀଲା ନିଜେ ନିଜେ ମଧ୍ୟ ଭାବବାଦୀ ଥିବାରୁ ଅନେକ କଥା ଦ୍ୱାରା ଭାଇମାନଙ୍କୁ ଉତ୍ସାହ ଦେଇ ସେମାନଙ୍କୁ ସୁସ୍ଥିର କଲେ। 33ଆଉ ସେମାନେ ସେଠାରେ କେତେକ କାଳ ରହିଲା ପରେ ସେମାନଙ୍କୁ ପ୍ରେରଣ କରିଥିବା ଲୋକମାନଙ୍କ ନିକଟକୁ ବାହୁଡ଼ିଯିବାକୁ ଭାଇମାନଙ୍କଠାରୁ ଶାନ୍ତିରେ ବିଦାୟ ନେଲେ, 34[କିନ୍ତୁ ଶୀଲା ସେଠାରେ ରହିବା ଉତ୍ତମ ମନେ କଲେ।] 35ପୁଣି, ପାଉଲ ଓ ବର୍ଣ୍ଣବ୍ବା ଆନ୍ତିୟଖିଆରେ ରହି ଅନ୍ୟାନ୍ୟ ଅନେକ ଲୋକଙ୍କ ସହିତ ମଧ୍ୟ ପ୍ରଭୁଙ୍କ ବାକ୍ୟ ଶିକ୍ଷା ଦେଇ ସୁସମାଚାର ପ୍ରଚାର କରିବାକୁ ଲାଗିଲେ।