ପାଉଲ ଓ ବର୍ଣ୍ଣବ୍ବାଙ୍କ ମଧ୍ୟରେ ବିଚ୍ଛେଦ

36କେତେକ ଦିନ ପରେ ପାଉଲ ବର୍ଣ୍ଣବ୍ବାଙ୍କୁ କହିଲେ, ଆସ, ଆମ୍ଭେମାନେ ଯେଉଁ ସବୁ ନଗରରେ ପ୍ରଭୁଙ୍କର ବାକ୍ୟ ପ୍ରଚାର କରିଥିଲୁ, ସେହି ସମସ୍ତ ନଗରକୁ ଏବେ ବାହୁଡ଼ିଯାଇ ଭାଇମାନଙ୍କୁ ସାକ୍ଷାତ କରି, ସେମାନେ କିପ୍ରକାରେ ଅଛନ୍ତି ଦେଖିବା। 37ସେଥିରେ ମାର୍କ ନାମରେ ଖ୍ୟାତ ଯୋହନଙ୍କୁ ମଧ୍ୟ ସାଙ୍ଗରେ ଘେନିଯିବା ପାଇଁ ବର୍ଣ୍ଣବ୍ବାଙ୍କର ଇଚ୍ଛା ଥିଲା, 38କିନ୍ତୁ ସେ ସେମାନଙ୍କୁ ଛାଡ଼ି ପଂଫୂଲିଆରୁ ଚାଲି ଆସିଥିଲେ ଓ ସେମାନଙ୍କ ସହିତ କାର୍ଯ୍ୟକୁ ଯାଇ ନ ଥିଲେ, ତାହାଙ୍କୁ ସାଙ୍ଗରେ ନେବାକୁ ପାଉଲ ଉଚିତ୍ ମନେ କଲେ ନାହିଁ। 39ସେଥିରେ ଘୋର ବିବାଦ ଘଟିବାରୁ ସେମାନେ ପରସ୍ପରଠାରୁ ପୃଥକ୍ ହେଲେ, ବର୍ଣ୍ଣବ୍ବା ମାର୍କଙ୍କୁ ସାଙ୍ଗରେ ଘେନି ଜାହାଜରେ ସାଇପ୍ରସ୍ ଦ୍ବୀପକୁ ଗମନ କଲେ, 40କିନ୍ତୁ ପାଉଲ ଶୀଲାଙ୍କୁ ମନୋନୀତ କରି ଭାଇମାନଙ୍କ ଦ୍ୱାରା ପ୍ରଭୁଙ୍କ ଅନୁଗ୍ରହରେ ସମର୍ପିତ ହୋଇ ପ୍ରସ୍ଥାନ କଲେ, 41ଆଉ ସେ ସିରିୟା ଓ କିଲିକିୟା ଦେଇ ଯାଉ ଯାଉ ମଣ୍ଡଳୀ-ସମୂହକୁ ସୁସ୍ଥିର କଲେ।