ପାଉଲ ଓ ଶୀଲାଙ୍କ ସହିତ ତୀମଥିଙ୍କ ଯାତ୍ରା

1ପରେ ପାଉଲ ଦର୍ବୀ ଓ ଲୁସ୍ତ୍ରାକୁ ମଧ୍ୟ ଆସିଲେ, ଆଉ ଦେଖ, ସେ ସ୍ଥାନରେ ତୀମଥି ନାମରେ ଜଣେ ଶିଷ୍ୟ ଥିଲେ, ସେ ଜଣେ ବିଶ୍ୱାସିନୀ ଯିହୁଦୀ ମହିଳାର ପୁତ୍ର, କିନ୍ତୁ ତାହାଙ୍କର ପିତା ଜଣେ ଗ୍ରୀକ୍‍ ଲୋକ। 2ଲୁସ୍ତ୍ରା ଓ ଇକନୀୟରେ ଥିବା ଭାଇମାନେ ତାହାଙ୍କ ସୁଖ୍ୟାତି କରୁଥିଲେ। 3ତାହାଙ୍କୁ ସାଙ୍ଗରେ ନେଇଯିବାକୁ ପାଉଲ ଇଚ୍ଛା କଲେ, ଆଉ ସେହିସବୁ ଅଞ୍ଚଳରେ ଥିବା ଯିହୁଦୀମାନଙ୍କ ହେତୁ ତାହାଙ୍କୁ ଘେନିଯାଇ ସୁନ୍ନତ କଲେ; କାରଣ ତାହାଙ୍କର ପିତା ଜଣେ ଗ୍ରୀକ୍‍ ଲୋକ ବୋଲି ସମସ୍ତେ ଜାଣିଥିଲେ। 4ପୁଣି, ସେମାନେ ନଗରସମୂହ ଦେଇ ଯାଉ ଯାଉ ଯିରୂଶାଲମସ୍ଥ ପ୍ରେରିତ ଓ ପ୍ରାଚୀନମାନଙ୍କ ଦ୍ୱାରା ନିରୂପିତ ଆଜ୍ଞାସବୁ ପାଳନ କରିବା ନିମନ୍ତେ ସେମାନଙ୍କ ନିକଟରେ ସମର୍ପଣ କରୁଥିଲେ। 5ଏହି ପ୍ରକାରେ ମଣ୍ଡଳୀ-ସମୂହ ବିଶ୍ୱାସରେ ଦୃଢ଼ୀଭୂତ ହୋଇ ଦିନକୁ ଦିନ ସଂଖ୍ୟାରେ ବୃଦ୍ଧି ପାଇବାକୁ ଲାଗିଲା।