ମାକିଦନିଆର ଆହ୍ୱାନ

6ସେମାନେ ଏସିଆ ଦେଶରେ ବାକ୍ୟ ପ୍ରଚାର କରିବାକୁ ପବିତ୍ର ଆତ୍ମାଙ୍କ ଦ୍ୱାରା ନିବାରିତ ହୋଇ ଫ୍ରୁଗିଆ ଓ ଗାଲାତୀୟ ଅଞ୍ଚଳ ଦେଇ ଯାତ୍ରା କଲେ, 7ଆଉ ସେମାନେ ମୂସିଆ ନିକଟରେ ଉପସ୍ଥିତ ହୋଇ ବୀଥୂନିଆ ପ୍ରଦେଶକୁ ଯିବା ପାଇଁ ଚେଷ୍ଟା କଲେ, କିନ୍ତୁ ଯୀଶୁଙ୍କର ଆତ୍ମା ସେମାନଙ୍କୁ ଅନୁମତି ଦେଲେ ନାହିଁ। 8ସେମାନେ ମୂସିଆ ପାଖ ଦେଇ ତ୍ରୋୟା ସହରକୁ ଆସିଲେ। 9ଆଉ ରାତ୍ରିକାଳରେ ପାଉଲ ଗୋଟିଏ ଦର୍ଶନ ପାଇଲେ, ମାକିଦନିଆର ଜଣେ ଠିଆ ହୋଇ ତାହାଙ୍କୁ ବିନତି କରି କହୁଅଛି, ମାକିଦନିଆକୁ ପାର ହୋଇ ଆସି ଆମ୍ଭମାନଙ୍କର ଉପକାର କର। 10ସେ ଏହି ଦର୍ଶନ ପାଇଲା ପରେ ଆମ୍ଭେମାନେ ତତ୍‌କ୍ଷଣାତ୍ ମାକିଦନିଆକୁ ଯିବା ପାଇଁ ଚେଷ୍ଟା କଲୁ, କାରଣ ସେମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବାକୁ ଈଶ୍ବର ଆମ୍ଭମାନଙ୍କୁ ଆହ୍ୱାନ କରିଅଛନ୍ତି ବୋଲି ଆମ୍ଭେମାନେ ବୁଝିଲୁ।