ପିତରଙ୍କ ବକ୍ତୃତା

14କିନ୍ତୁ ପିତର ଏଗାର ଜଣ ପ୍ରେରିତମାନଙ୍କ ସହିତ ଠିଆ ହୋଇ ଉଚ୍ଚସ୍ୱରରେ ସେମାନଙ୍କ ନିକଟରେ ବକ୍ତୃତା ଦେଇ କହିଲେ, ହେ ଯିହୁଦୀ ଲୋକେ, ଓ ଯିରୂଶାଲମ ନିବାସୀ ସମସ୍ତେ, ଆପଣମାନେ ଏହା ଜାଣନ୍ତୁ ଓ ମୋହର କଥା ଶୁଣନ୍ତୁ। 15କାରଣ ଆପଣମାନେ ଯେପରି ମନେ କରୁଅଛନ୍ତି, ଏମାନେ ସେପରି ମାତାଲ ନୁହଁନ୍ତି, ଯେଣୁ ବର୍ତ୍ତମାନ ସମୟ ସକାଳ ନଅ ଘଣ୍ଟା ମାତ୍ର। 16କିନ୍ତୁ ଯୋୟେଲ ଭାବବାଦୀଙ୍କ ଦ୍ୱାରା ଯାହା ଉକ୍ତ ଅଛି, ଏହା ସେହି ଘଟଣା ଅଟେ;

17ଈଶ୍ବର କହନ୍ତି, ଶେଷକାଳରେ ଏପରି ଘଟିବ ଯେ,

ଆମ୍ଭେ ସମସ୍ତ ମନୁଷ୍ୟ ଉପରେ ଆପଣା ଆତ୍ମା ବୃଷ୍ଟି କରିବା,

ସେଥିରେ ତୁମ୍ଭମାନଙ୍କ ପୁତ୍ରକନ୍ୟାମାନେ ଭାବବାଣୀ କହିବେ,

ଆଉ ତୁମ୍ଭମାନଙ୍କର ଯୁବାମାନେ ଦର୍ଶନ ପାଇବେ,

ପୁଣି, ତୁମ୍ଭମାନଙ୍କର ପ୍ରାଚୀନମାନେ ସ୍ୱପ୍ନ ଦେଖିବେ।

18ହଁ, ସେହି କାଳରେ ଆମ୍ଭେ ନିଜ ଦାସଦାସୀ, ଉଭୟ ପୁରୁଷ ଓ ସ୍ତ୍ରୀମାନଙ୍କ ଉପରେ ଆପଣା ଆତ୍ମା ବୃଷ୍ଟି କରିବା, ସେଥିରେ ସେମାନେ ଭାବବାଣୀ କହିବେ। 19ଆମ୍ଭେ ଊର୍ଦ୍ଧ୍ୱସ୍ଥ ଆକାଶରେ ନାନା ଅଦ୍ଭୁତ କର୍ମ;

ପୁଣି, ଅଧଃସ୍ଥ ପୃଥିବୀରେ ନାନା ଲକ୍ଷଣ, ରକ୍ତ, ଅଗ୍ନି ଓ ନିବିଡ଼ ଧୂମ ଦେଖାଇବା।

20ପ୍ରଭୁଙ୍କର ମହତ ଓ ପ୍ରସିଦ୍ଧ ଦିନର ଆଗମନ ପୂର୍ବରେ, ସୂର୍ଯ୍ୟ ଅନ୍ଧକାରମୟ

ଓ ଚନ୍ଦ୍ର ରକ୍ତମୟ ହୋଇଯିବ।

21ଆଉ, ଏପରି ଘଟିବ ଯେ,

ଯେ କେହି ପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବ,

ସେ ପରିତ୍ରାଣ ପାଇବ।

22ହେ ଇସ୍ରାଏଲୀୟ ଲୋକମାନେ, ଏହି ସମସ୍ତ କଥା ଶୁଣନ୍ତୁ। ନାଜରିତୀୟ ଯୀଶୁ ନାନା ଶକ୍ତିର କାର୍ଯ୍ୟ, ଅଦ୍ଭୁତ କର୍ମ ଓ ଲକ୍ଷଣ ଦ୍ୱାରା ଆପଣମାନଙ୍କ ନିକଟରେ ଈଶ୍ବରଙ୍କ ପ୍ରେରିତ ବ୍ୟକ୍ତି ବୋଲି ପ୍ରମାଣିତ ହୋଇଅଛନ୍ତି, ତାହାଙ୍କ ଦ୍ୱାରା ଈଶ୍ବର ଯେ ଆପଣାମାନଙ୍କ ମଧ୍ୟରେ ଏହି ସମସ୍ତ କର୍ମ କରିଅଛନ୍ତି, ଏହା ଅାପଣମାନେ ନିଜେ ଜାଣନ୍ତି; 23ସେହି ବ୍ୟକ୍ତି ଈଶ୍ବରଙ୍କ ନିରୂପିତ ସଙ୍କଳ୍ପ ଓ ପୂର୍ବାଜ୍ଞାନୁସାରେ ସମର୍ପିତ ହୁଅନ୍ତେ, ଆପଣମାନେ ତାହାଙ୍କୁ ଅଧାର୍ମିକମାନଙ୍କ ହସ୍ତ ଦ୍ୱାରା କ୍ରୁଶାର୍ପଣ କରି ବଧ କରିଥିଲେ; 24କିନ୍ତୁ ଈଶ୍ବର ମୃତ୍ୟୁର ବନ୍ଧନରୁ ମୁକ୍ତ କରି ତାହାଙ୍କୁ ଉଠାଇଅଛନ୍ତି, କାରଣ ସେ ଯେ ମୃତ୍ୟୁ ଦ୍ୱାରା ଆବଦ୍ଧ ରହିବେ ତାହା ଅସମ୍ଭବ। 25ଦାଉଦ ତ ତାହାଙ୍କ ବିଷୟରେ କହନ୍ତି,

“‘ମୁଁ ସର୍ବଦା ମୋହର ସମ୍ମୁଖରେ ପ୍ରଭୁଙ୍କୁ ଦର୍ଶନ କରୁଥିଲି,

କାରଣ ମୁଁ ଯେପରି ବିଚଳିତ ନ ହୁଏ,

ସେଥିପାଇଁ ସେ ମୋହର ଦକ୍ଷିଣ ପାର୍ଶ୍ୱରେ ଅଛନ୍ତି।

26ତେଣୁ ମୋହର ହୃଦୟ ପ୍ରଫୁଲ୍ଲ ଓ ମୋହର ଜିହ୍ୱା ଉଲ୍ଲସିତ ହେଲା,

ଆହୁରି ମୋହର ଶରୀର ମଧ୍ୟ ଭରସାରେ ବାସ କରିବ,

27କାରଣ ତୁମ୍ଭେ ମୋହର ପ୍ରାଣକୁ ପାତାଳରେ ପରିତ୍ୟାଗ କରିବ ନାହିଁ,

କିଅବା ଆପଣା ପବିତ୍ର ଜଣକୁ କ୍ଷୟ ପାଇବାକୁ ଦେବ ନାହିଁ।

28ତୁମ୍ଭେ ମୋତେ ଜୀବନର ପଥ ଜ୍ଞାତ କରାଇଅଛ,

ତୁମ୍ଭେ ଆପଣା ଛାମୁରେ ମୋତେ ଆନନ୍ଦରେ ପୂର୍ଣ୍ଣ କରିବ।’”

29ହେ ଭାଇମାନେ, ପିତୃକୁଳପତି ଦାଉଦଙ୍କ ବିଷୟରେ ମୁଁ ଆପଣମାନଙ୍କୁ ମୁକ୍ତ କଣ୍ଠରେ କହିପାରେ ଯେ, ସେ ମଲେ, ପୁଣି, ସମାଧିପ୍ରାପ୍ତ ହେଲେ, ଆଉ ତାଙ୍କର ସମାଧି-ସ୍ଥାନ ଆଜି ପର୍ଯ୍ୟନ୍ତ ଆମ୍ଭମାନଙ୍କ ମଧ୍ୟରେ ଅଛି। 30ରାଜା ଦାଉଦ ଜଣେ ଭାବବାଦୀ ଭାବରେ ତାହାଙ୍କର ଔରସଜାତ ଜଣଙ୍କୁ ତାହାଙ୍କ ସିଂହାସନରେ ବସାଇବା ପାଇଁ ଈଶ୍ବର ତାହାଙ୍କ ନିକଟରେ ଶପଥ କରି ପ୍ରତିଜ୍ଞା କରିଥିଲେ ବୋଲି ଜାଣିଥିଲେ। 31ଏହା ଜାଣିବାରୁ ସେ ଭବିଷ୍ୟତ ଦର୍ଶନ ଦ୍ୱାରା ଖ୍ରୀଷ୍ଟଙ୍କର ପୁନରୁତ୍ଥାନ ବିଷୟରେ କହିଥିଲେ, କାରଣ ସେ ପାତାଳରେ ପରିତ୍ୟକ୍ତ ହେଲେ ନାହିଁ, କିଅବା ତାହାଙ୍କ ଶରୀର କ୍ଷୟ ପାଇଲା ନାହିଁ। 32ଏହି ଯୀଶୁଙ୍କୁ ଈଶ୍ବର ଉଠାଇଅଛନ୍ତି, ସେହି ବିଷୟରେ ଆମ୍ଭେମାନେ ସମସ୍ତେ ସାକ୍ଷୀ। 33ଅତଏବ, ଈଶ୍ବର ଯୀଶୁଙ୍କୁ ଉନ୍ନତ କରି ତାହାଙ୍କ ଦକ୍ଷିଣ ପାର୍ଶ୍ୱରେ ବସାଇ ତାହାଙ୍କ ସହିତ ରାଜତ୍ୱ କରିବାକୁ ଅଧିକାର ଦେଲେ, ଏବଂ ସେ ଆମ୍ଭମାନଙ୍କୁ ପିତାଙ୍କ ଦ୍ୱାରା ପ୍ରତିଜ୍ଞାତ ପବିତ୍ର ଆତ୍ମାଙ୍କୁ ଦେଲେ ଯାହାଙ୍କୁ ଆପଣମାନେ ଦେଖୁଅଛନ୍ତି ଓ ଶୁଣୁଅଛନ୍ତି। 34କାରଣ ଦାଉଦ ରାଜା ସ୍ୱର୍ଗାରୋହଣ କରି ନ ଥିଲେ, କିନ୍ତୁ ସେ ନିଜେ କହନ୍ତି,

“ପ୍ରଭୁ ମୋହର ପ୍ରଭୁଙ୍କୁ କହିଲେ,

35‘ଆମ୍ଭେ ଯେପର୍ଯ୍ୟନ୍ତ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭର ପାଦପୀଠ କରି ନାହୁଁ,

ସେପର୍ଯ୍ୟନ୍ତ ଆମ୍ଭର ଦକ୍ଷିଣରେ ବସିଥାଅ।’”

36ଅତଏବ, ସମସ୍ତ ଇସ୍ରାଏଲକୂଳ ନିଶ୍ଚୟ ଜାଣନ୍ତୁ ଯେ, ଯେଉଁ ଯୀଶୁଙ୍କୁ ଆପଣମାନେ କ୍ରୁଶରେ ବଧ କଲେ, ତାହାଙ୍କୁ ଈଶ୍ବର, ପ୍ରଭୁ ଓ ଖ୍ରୀଷ୍ଟ ଉଭୟ ପଦରେ ନିଯୁକ୍ତ କରିଅଛନ୍ତି। 37ଏହି କଥା ଶୁଣି ସେମାନଙ୍କର ହୃଦୟ ବିଦୀର୍ଣ୍ଣ ହୋଇଗଲା, ପୁଣି, ସେମାନେ ପିତର ଓ ଅବଶିଷ୍ଟ ପ୍ରେରିତମାନଙ୍କୁ କହିଲେ, ଭାଇମାନେ, ଆମ୍ଭେମାନେ କଅଣ କରିବା? 38ସେଥିରେ ପିତର ସେମାନଙ୍କୁ କହିଲେ, ଆପଣମାନେ “ମନ-ପରିବର୍ତ୍ତନ କରନ୍ତୁ, ଆଉ ନିଜ ନିଜ ପାପ କ୍ଷମା ନିମନ୍ତେ ପ୍ରତ୍ୟେକ ଜଣ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହେଉନ୍ତୁ; ତାହାହେଲେ ଆପଣମାନେ ପବିତ୍ର ଆତ୍ମାଙ୍କର ଦାନ ପ୍ରାପ୍ତ ହେବେ। 39କାରଣ ଏହି ପ୍ରତିଜ୍ଞା ଆପଣମାନଙ୍କ ନିମନ୍ତେ, ଆପଣମାନଙ୍କର ସନ୍ତାନସନ୍ତତିମାନଙ୍କ ନିମନ୍ତେ, ପୁଣି, ଦୂରବର୍ତ୍ତୀ ଯେତେ ଲୋକଙ୍କୁ ପ୍ରଭୁ ଆମ୍ଭମାନଙ୍କ ଈଶ୍ବର ଆପଣା ନିକଟକୁ ଡାକିବେ, ସେହି ସମସ୍ତଙ୍କ ନିମନ୍ତେ ଅଟେ।” 40ପୁଣି, ଅନ୍ୟାନ୍ୟ ଅନେକ କଥା ଦ୍ୱାରା ସେ ସାକ୍ଷ୍ୟ ଦେବାକୁ ଲାଗିଲେ ଓ ସେମାନଙ୍କୁ ଉପଦେଶ ଦେଇ କହିଲେ, “ଏହି କୁଟିଳ ବଂଶଠାରୁ ଆପଣମାନେ ରକ୍ଷା ପ୍ରାପ୍ତ ହେଉନ୍ତୁ।” 41ସେଥିରେ ଯେଉଁମାନେ ତାହାଙ୍କ ବାକ୍ୟ ଗ୍ରହଣ କଲେ, ସେମାନେ ବାପ୍ତିଜିତ ହେଲେ, ଆଉ ସେହି ଦିନ ପ୍ରାୟ ତିନି ସହସ୍ର ଲୋକ ମଣ୍ଡଳୀ ସହିତ ସଂଯୁକ୍ତ ହେଲେ।