ଲୂଦିଆଙ୍କ ମନ-ପରିବର୍ତ୍ତନ
11ତେଣୁ ତ୍ରୋୟା ସହରରୁ ଜାହାଜରେ ଆମ୍ଭେମାନେ ସଳଖ ପଥରେ ସାମଥ୍ରାକୀ ଦ୍ବୀପକୁ ଓ ପରଦିନ ନିୟାପଲି ସହରକୁ ଗଲୁ, 12ସେଠାରୁ ଫିଲିପ୍ପୀକୁ ଗଲୁ, ଏହା ମାକିଦନିଆ ଅଞ୍ଚଳର ଏକ ପ୍ରଧାନ ନଗର, ପୁଣି, ଗୋଟିଏ ରୋମୀୟ ଉପନିବେଶ; ସେହି ନଗରରେ ଆମ୍ଭେମାନେ କେତେକ ଦିନ ରହିଲୁ। 13ବିଶ୍ରାମବାର ଦିନରେ ଆମ୍ଭେମାନେ ନଗର ଦ୍ୱାରରୁ ବାହାରି ନଦୀକୂଳକୁ ଗଲୁ, ସେଠାରେ ପ୍ରାର୍ଥନାର ସ୍ଥାନ ଅଛି ବୋଲି ଆମ୍ଭେମାନେ ମନେ କରିଥିଲୁ, ଆଉ ଆମ୍ଭେମାନେ ବସି ସମବେତ ହୋଇଥିବା ମହିଳାମାନଙ୍କ ସହିତ କଥା କହିବାକୁ ଲାଗିଲୁ। 14ପୁଣି, ଥୁୟାଥିରା ନଗରର ବାଇଗଣିଆ ବସ୍ତ୍ର ବିକ୍ରୟକାରିଣୀ ଲୂଦିଆ ନାମ୍ନୀ ଜଣେ ମହିଳା, ଯେ ଈଶ୍ବରଭକ୍ତିନୀ ଥିଲେ, ସେ ଆମ୍ଭମାନଙ୍କର କଥା ଶୁଣୁଥିଲେ। ସେ ଯେପରି ପାଉଲଙ୍କର କହିଥିବା ବିଷୟ ପ୍ରତି ମନୋଯୋଗ କରନ୍ତି, ଏଥିନିମନ୍ତେ ପ୍ରଭୁ ତାହାଙ୍କର ହୃଦୟ ଫିଟାଇଦେଲେ। 15ପୁଣି, ସେ ଓ ତାହାଙ୍କର ପରିବାର ବାପ୍ତିଜିତ ହେଲା ଉତ୍ତାରେ ସେ ଆମ୍ଭମାନଙ୍କୁ ବିନତି କରି କହିଲେ, ଆପଣମାନେ ଯଦି ମୋତେ ପ୍ରଭୁଙ୍କ ନିକଟରେ ବିଶ୍ୱସ୍ତ ବୋଲି ବିଚାର କରିଥାଆନ୍ତି, ତେବେ ମୋହର ଗୃହକୁ ଆସି ବାସ କରନ୍ତୁ; ଆଉ ସେ ଆମ୍ଭମାନଙ୍କୁ ବାଧ୍ୟ କଲେ।


