କାରାରକ୍ଷକର ପରିବର୍ତ୍ତନ
25କିନ୍ତୁ ପ୍ରାୟ ମଧ୍ୟରାତ୍ରରେ ପାଉଲ ଓ ଶୀଲା ଈଶ୍ବରଙ୍କ ନିକଟରେ ପ୍ରାର୍ଥନା ଓ ସ୍ତବଗାନ କରୁଥିଲେ, ଆଉ ବନ୍ଦୀମାନେ ଶୁଣୁଥିଲେ। 26ସେତେବେଳେ ହଠାତ୍ ଏପରି ମହା ଭୂମିକମ୍ପ ହେଲା ଯେ, କାରାଗାରର ଭିତ୍ତିମୂଳ କମ୍ପିବାକୁ ଲାଗିଲା, ଆଉ ତତ୍କ୍ଷଣାତ୍ ସମସ୍ତ ଦ୍ୱାର ଖୋଲା ହୋଇଗଲା, ପୁଣି, ପ୍ରତ୍ୟେକ ଜଣର ବନ୍ଧନ ଫିଟିଗଲା। 27ଏଥିରେ କାରାରକ୍ଷକ ନିଦ୍ରାରୁ ଉଠି କାରାଗାରର ଦ୍ୱାର ଖୋଲା ହେବା ଦେଖି ବନ୍ଦୀମାନେ ପଳାଇଯାଇଅଛନ୍ତି ବୋଲି ମନେ କରି, ଖଣ୍ଡା ବାହାର କରି ଆପଣାକୁ ବଧ କରିବାକୁ ଯାଉଥିଲେ। 28କିନ୍ତୁ ପାଉଲ ଉଚ୍ଚସ୍ୱରରେ ଡାକି କହିଲେ, ଆପଣାର କୌଣସି କ୍ଷତି କର ନାହିଁ, କାରଣ ଆମ୍ଭେମାନେ ସମସ୍ତେ ଏଠାରେ ଅଛୁ। 29ସେଥିରେ ସେ ଦୀପ ଆଣିବାକୁ କହି ଡେଇଁପଡ଼ି ଭୟରେ ଥରି ଥରି ପାଉଲ ଓ ଶୀଲାଙ୍କର ସମ୍ମୁଖରେ ପଡ଼ିଗଲେ, 30ଆଉ ସେମାନଙ୍କୁ ବାହାରକୁ ଆଣି କହିଲେ, ମହାଶୟମାନେ, ପରିତ୍ରାଣ ପାଇବା ନିମନ୍ତେ ମୋତେ କଅଣ କରିବାକୁ ହେବ? 31ସେମାନେ କହିଲେ, ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କର, ତାହାହେଲେ ତୁମ୍ଭେ ଏବଂ ତୁମ୍ଭ ସପରିବାର ପରିତ୍ରାଣ ପାଇବ। 32ପରେ ସେମାନେ ତାହାଙ୍କୁ ଓ ତାହାଙ୍କ ଗୃହରେ ଥିବା ସମସ୍ତଙ୍କୁ ଈଶ୍ବରଙ୍କ ବାକ୍ୟ କହିଲେ। 33ଆଉ ସେ ସେମାନଙ୍କୁ ରାତ୍ରିର ସେହି ସମୟରେ ଘେନିଯାଇ ସେମାନଙ୍କ ପ୍ରହାରର କ୍ଷତସବୁ ଧୋଇଦେଲେ, ପୁଣି, ସେ ଓ ତାହାଙ୍କର ସମସ୍ତେ ସେହିକ୍ଷଣି ବାପ୍ତିଜିତ ହେଲେ। 34ସେଥିରେ ସେ ସେମାନଙ୍କୁ ଆପଣା ଗୃହକୁ ଘେନିଯାଇ ଖାଦ୍ୟ ପରିବେଷଣ କଲେ, ଆଉ ସମସ୍ତ ପରିବାର ସହିତ ଈଶ୍ବରଙ୍କଠାରେ ବିଶ୍ୱାସ କରି ଅତ୍ୟନ୍ତ ଆନନ୍ଦିତ ହେଲେ। 35ସକାଳ ହୁଅନ୍ତେ ବିଚାରକର୍ତ୍ତାମାନେ ପଦାତିକମାନଙ୍କୁ ଏହା କହି ପଠାଇଲେ, ସେହି ଲୋକମାନଙ୍କୁ ଛାଡ଼ିଦିଅ। 36ଏଥିରେ କାରାରକ୍ଷକ ପାଉଲଙ୍କୁ ଏହି କଥା କହି ଜଣାଇଲେ, ଆପଣମାନଙ୍କୁ ଛାଡ଼ିଦେବା ନିମନ୍ତେ ବିଚାରକର୍ତ୍ତାମାନେ ଲୋକ ପଠାଇଅଛନ୍ତି। ଏଣୁ ଏବେ ବାହାରି ଆସି ଶାନ୍ତିରେ ଚାଲିଯାଆନ୍ତୁ। 37କିନ୍ତୁ ପାଉଲ ସେମାନଙ୍କୁ କହିଲେ, ରୋମୀୟ ଲୋକ ଯେ ଆମ୍ଭେମାନେ, ଆମ୍ଭମାନଙ୍କର ବିଚାର ନ କରି ସେମାନେ ପ୍ରକାଶରେ ଆମ୍ଭମାନଙ୍କୁ ପ୍ରହାର କଲା ପରେ କାରାଗାରରେ ପକାଇଅଛନ୍ତି, ଆଉ ଏବେ କି ଗୋପନରେ ଆମ୍ଭମାନଙ୍କୁ ଛାଡ଼ିଦେଉଅଛ? ତାହା ହେବ ନାହିଁ, ମାତ୍ର ସେମାନେ ନିଜେ ଆସି ଆମ୍ଭମାନଙ୍କୁ ବାହାରକୁ ଘେନିଯାଉନ୍ତୁ। 38ସେଥିରେ ପଦାତିକମାନେ ବିଚାରକର୍ତ୍ତାମାନଙ୍କୁ ଏହି ସମସ୍ତ କଥା ଜଣାଇଲେ, ପୁଣି, ସେମାନେ ଯେ ରୋମୀୟ ଲୋକ, ଏହା ଶୁଣି ଲୋକମାନେ ଭୟ କଲେ, 39ଆଉ ସେମାନେ ଆସି ସେମାନଙ୍କୁ ବିନତି କଲେ, ପୁଣି, ସେମାନଙ୍କୁ ବାହାର କରି ଆଣି ନଗରରୁ ବାହାରିଯିବା ନିମନ୍ତେ ସେମାନଙ୍କୁ ଅନୁରୋଧ କଲେ। 40ସେଥିରେ ସେମାନେ କାରାଗାରରୁ ବାହାରିଯାଇ ଲୂଦିଆଙ୍କ ଗୃହରେ ପ୍ରବେଶ କଲେ, ଆଉ ଭାଇମାନଙ୍କ ସାଙ୍ଗରେ ସାକ୍ଷାତ କରି ସେମାନଙ୍କୁ ଉତ୍ସାହ ଦେଲା ଉତ୍ତାରେ ପ୍ରସ୍ଥାନ କଲେ।


