ଆରିୟପାଗରେ ପାଉଲଙ୍କ ପ୍ରଚାର

22ଏଥିରେ ପାଉଲ ଆରିୟପାଗର ମଧ୍ୟସ୍ଥଳରେ ଠିଆ ହୋଇ କହିଲେ, ହେ ଆଥିନୀ ସହରର ଲୋକମାନେ, ଆପଣମାନେ ଯେ ସମସ୍ତ ବିଷୟରେ ବଡ଼ ଦେବ ଭକ୍ତ, ଏହା ମୁଁ ଦେଖୁଅଛି। 23କାରଣ ମୁଁ ଭ୍ରମଣ କରିବା ସମୟରେ ଆପଣମାନଙ୍କର ପୂଜିତ ବସ୍ତୁସମସ୍ତ ଦେଖୁ ଦେଖୁ ଗୋଟିଏ ବେଦି ମଧ୍ୟ ଦେଖିଲି, ଯାହା ଉପରେ ଏହି କଥା ଲେଖା ହୋଇଅଛି, “ଅଜ୍ଞାତ ଦେବତାଙ୍କ ଉଦ୍ଦେଶ୍ୟରେ।” ଅତଏବ, ଆପଣମାନେ ନ ଜାଣି ଯାହାଙ୍କର ପୂଜା କରୁଅଛନ୍ତି, ମୁଁ ତାହାଙ୍କୁ ଆପଣମାନଙ୍କ ନିକଟରେ ପ୍ରଚାର କରୁଅଛି। 24ଯେଉଁ ଈଶ୍ବର ଜଗତ ଓ ତନ୍ମଧ୍ୟସ୍ଥ ସମସ୍ତ ପଦାର୍ଥ ସୃଷ୍ଟି କରିଅଛନ୍ତି, ସେ ସ୍ୱର୍ଗ ଓ ପୃଥିବୀର ପ୍ରଭୁ ହେବାରୁ ହସ୍ତନିର୍ମିତ ମନ୍ଦିର-ସମୂହରେ ବାସ କରନ୍ତି ନାହିଁ, 25କିଅବା ତାହାଙ୍କର କୌଣସି ଅଭାବ ଥିବାରୁ ମନୁଷ୍ୟହସ୍ତ ଦ୍ୱାରା ସେବିତ ହୁଅନ୍ତି ନାହିଁ, ଯେଣୁ ସେ ସ୍ୱୟଂ ସମସ୍ତଙ୍କୁ ଜୀବନ, ନିଶ୍ୱାସ, ଓ ସମସ୍ତ ପଦାର୍ଥ ଦାନ କରନ୍ତି। 26ଆଉ, ସେ ପୃଥିବୀର ସର୍ବତ୍ର ବାସ କରିବା ନିମନ୍ତେ ଏକ ବ୍ୟକ୍ତିଠାରୁ ସମସ୍ତ ମାନବଜାତି ସୃଷ୍ଟି କରିଅଛନ୍ତି; ସେ ସେମାନଙ୍କର ନିର୍ଦ୍ଦିଷ୍ଟ କାଳ ଓ ନିବାସର ସୀମା ସ୍ଥିର କରିଅଛନ୍ତି, 27ସେମାନେ ଯେପରି ଈଶ୍ବରଙ୍କର ଅନ୍ୱେଷଣ କରି କାଳେ ଦରାଣ୍ଡି ଦରାଣ୍ଡି ତାହାଙ୍କର ଉଦ୍ଦେଶ୍ୟ ପାଇ ପାରନ୍ତି, ଯଦ୍ୟପି ସେ ଆମ୍ଭମାନଙ୍କର କାହାରିଠାରୁ ଦୂରରେ ନାହାନ୍ତି। 28କାରଣ ତାହାଙ୍କଠାରେ ଆମ୍ଭମାନଙ୍କର ଅସ୍ତି, ଗତି ଓ ସ୍ଥିତି, ଯେପରି ଆପଣମାନଙ୍କର ନିଜ କବିମାନଙ୍କ ମଧ୍ୟରୁ ସୁଦ୍ଧା କେତେକ କହିଅଛନ୍ତି, “କାରଣ ଆମ୍ଭେମାନେ ମଧ୍ୟ ତାହାଙ୍କ ବଂଶ।” 29ତେବେ, ଆମ୍ଭେମାନେ ଈଶ୍ବରଙ୍କର ବଂଶ ହେବାରୁ ଈଶ୍ବରଙ୍କ ସ୍ୱରୂପକୁ ମନୁଷ୍ୟର ଶିଳ୍ପ ଓ କଳ୍ପନା ଅନୁସାରେ ଖୋଦିତ ସ୍ୱର୍ଣ୍ଣ କି ରୌପ୍ୟ କି ପ୍ରସ୍ତର ତୁଲ୍ୟ ବୁଝିବା ଆମ୍ଭମାନଙ୍କର ଉଚିତ୍ ନୁହେଁ। 30ଈଶ୍ବର ସେହି ଅଜ୍ଞାନତାର କାଳ ଉପେକ୍ଷା କରିଅଛନ୍ତି ସତ୍ୟ, କିନ୍ତୁ ଏବେ ସେ ସର୍ବତ୍ର ସମସ୍ତ ମନୁଷ୍ୟଙ୍କୁ ମନ-ପରିବର୍ତ୍ତନ କରିବା ନିମନ୍ତେ ଜଣାନ୍ତି; 31କାରଣ ଯେଉଁ ଦିନ ସେ ଆପଣା ନିରୂପିତ ବ୍ୟକ୍ତିଙ୍କ ଦ୍ୱାରା ଧାର୍ମିକତାରେ ଜଗତର ବିଚାର କରିବେ, ଏହିପରି ଗୋଟିଏ ଦିନ ସ୍ଥିର କରିଅଛନ୍ତି, ଆଉ ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉତ୍ଥାପନ କରି ଏହି ବିଷୟରେ ସମସ୍ତଙ୍କ ନିକଟରେ ପ୍ରମାଣ ଦେଇଅଛନ୍ତି। 32ମୃତମାନଙ୍କର ପୁନରୁତ୍ଥାନ କଥା ଶୁଣି କେହି କେହି ପରିହାସ କରିବାକୁ ଲାଗିଲେ; ଆଉ କେହି କେହି କହିଲେ, ଆମ୍ଭେମାନେ ଆଉ ଥରେ ଆପଣଙ୍କଠାରୁ ଏହି ବିଷୟ ଶୁଣିବା। 33ଏହି ପ୍ରକାରେ ପାଉଲ ସେମାନଙ୍କ ମଧ୍ୟରୁ ବାହାରିଗଲେ। 34କିନ୍ତୁ କୌଣସି କୌଣସି ଲୋକ ତାହାଙ୍କ ସପକ୍ଷ ହୋଇ ବିଶ୍ୱାସ କଲେ; ସେମାନଙ୍କ ମଧ୍ୟରେ ଏରିୟପାଗୀୟ ଦିୟନୂସୀୟ, ଦାମାରି ନାମ୍ନୀ ଜଣେ ମହିଳା ସେମାନଙ୍କ ସହିତ ଆଉ କେତେକ ଲୋକ ଥିଲେ।