କରିନ୍ଥରେ ପାଉଲଙ୍କ କାର୍ଯ୍ୟ
1ଏହି ସମସ୍ତ ଘଟଣା ପରେ ପାଉଲ ଆଥିନୀ ସହରରୁ ପ୍ରସ୍ଥାନ କରି କରିନ୍ଥ ସହରକୁ ଆସିଲେ। 2ଆଉ, ସେ ଆକ୍ୱିଲା ନାମକ ଜଣେ ଯିହୁଦୀଙ୍କ ଦେଖାପାଇଲେ, ପନ୍ତ ସହରରେ ତାହାଙ୍କ ଜନ୍ମସ୍ଥାନ; ସେ ଅଳ୍ପ ଦିନ ହେଲା ଆପଣା ସ୍ତ୍ରୀ ପ୍ରୀସ୍କିଲ୍ଲା ସହିତ ଇତାଲିଆରୁ ଆସିଥିଲେ, କାରଣ କ୍ଲାଉଦିଅ ସମସ୍ତ ଯିହୁଦୀଙ୍କୁ ରୋମରୁ ବାହାରିଯିବାକୁ ଆଜ୍ଞା ଦେଇଥିଲେ। ସେ ସେମାନଙ୍କ ସହିତ ସାକ୍ଷାତ କରିବାକୁ ଗଲେ, 3ପୁଣି, ସମବ୍ୟବସାୟୀ ଥିବାରୁ ସେମାନଙ୍କ ସହିତ ବାସ କଲେ, ଆଉ ସେମାନେ କର୍ମ କରିବାକୁ ଲାଗିଲେ, କାରଣ ବ୍ୟବସାୟରେ ସେମାନେ ତମ୍ୱୁ ନିର୍ମାଣକାରୀ ଥିଲେ। 4ପୁଣି, ପ୍ରତି ବିଶ୍ରାମବାର ଦିନରେ ସେ ସମାଜଗୃହରେ ଉପଦେଶ ଦେଇ ଯିହୁଦୀ ଓ ଗ୍ରୀକ୍ମାନଙ୍କର ବିଶ୍ୱାସ ଜନ୍ମାଇବାକୁ ଚେଷ୍ଟା କଲେ। 5ଯେତେବେଳେ ଶୀଲା ଓ ତୀମଥି ମାକିଦନିଆରୁ ଆସିଲେ, ସେତେବେଳେ ପାଉଲ ବାକ୍ୟ ପ୍ରଚାରରେ ନିତାନ୍ତ ନିବିଷ୍ଟ ଥାଇ, ଯୀଶୁ ଯେ ଖ୍ରୀଷ୍ଟ ଅଟନ୍ତି, ଏହା ଯିହୁଦୀମାନଙ୍କ ନିକଟରେ ସାକ୍ଷ୍ୟ ଦେଉଥିଲେ। 6କିନ୍ତୁ ସେମାନେ ପ୍ରତିରୋଧ ଓ ନିନ୍ଦା କରିବାରୁ ସେ ଆପଣା ବସ୍ତ୍ର ଝାଡ଼ି ସେମାନଙ୍କୁ କହିଲେ, ଆପଣମାନଙ୍କ ରକ୍ତ ଆପଣମାନଙ୍କ ମସ୍ତକ ଉପରେ ବର୍ତ୍ତୁ; ମୁଁ ନିର୍ଦ୍ଦୋଷ; ଏଣିକି ମୁଁ ଅଣଯିହୁଦୀମାନଙ୍କ ନିକଟକୁ ଯିବି। 7ସେଥିରେ ସେ ସେ ସ୍ଥାନରୁ ପ୍ରସ୍ଥାନ କରି ତିତସ୍ ଯୂସ୍ତ ନାମକ ଜଣେ ଈଶ୍ବରଭକ୍ତଙ୍କ ଗୃହକୁ ଗଲେ, ତାହା ସମାଜଗୃହକୁ ଲାଗିଥିଲା। 8କିନ୍ତୁ ସମାଜଗୃହର ଅଧ୍ୟକ୍ଷ କ୍ରୀଷ୍ପ ଏବଂ ସପରିବାର ପ୍ରଭୁଙ୍କଠାରେ ବିଶ୍ୱାସ କଲେ, ଆଉ କରିନ୍ଥୀୟମାନଙ୍କ ମଧ୍ୟରୁ ଅନେକ ଶୁଣି ବିଶ୍ୱାସ କରିବାକୁ ଲାଗିଲେ ଓ ବାପ୍ତିଜିତ ହେଲେ। 9ପୁଣି, ପ୍ରଭୁ ରାତ୍ରିରେ ଦର୍ଶନ ଦ୍ୱାରା ପାଉଲଙ୍କୁ କହିଲେ, “ଭୟ କର ନାହିଁ, ନୀରବ ନ ରହି କଥା କୁହ, 10କାରଣ ଆମ୍ଭେ ତୁମ୍ଭ ସାଙ୍ଗରେ ଅଛୁ, କୌଣସି ଲୋକ ତୁମ୍ଭର କ୍ଷତି କରିବାକୁ ତୁମ୍ଭକୁ ଆକ୍ରମଣ କରିବ ନାହିଁ, ଯେଣୁ ଆମ୍ଭର ଅନେକ ଲୋକ ଏହି ନଗରରେ ଅଛନ୍ତି।” 11ପୁଣି, ସେ ସେମାନଙ୍କ ନିକଟରେ ଈଶ୍ବରଙ୍କ ବାକ୍ୟ ଶିକ୍ଷା ଦେଇ ଦେଢ଼ବର୍ଷ ସେଠାରେ ବାସ କଲେ। 12କିନ୍ତୁ ଗାଲ୍ଲିୟୋନ୍ ଆଖାୟା ଅଞ୍ଚଳର ଶାସନକର୍ତ୍ତା ଥିବା ସମୟରେ ଯିହୁଦୀମାନେ ପାଉଲଙ୍କ ବିରୁଦ୍ଧରେ ଏକମତ ହୋଇ ଉଠି ତାହାଙ୍କୁ ବିଚାରାସନ ଛାମୁକୁ ଘେନିଆସି କହିଲେ, 13ଏହି ଲୋକଟା ବ୍ୟବସ୍ଥାର ବିପରୀତ ଭାବରେ ଈଶ୍ବରଙ୍କ ଉପାସନା କରିବାକୁ ଲୋକମାନଙ୍କୁ ବାଧ୍ୟ କରେ। 14କିନ୍ତୁ ପାଉଲ ମୁଖ ଫିଟାଇ କଥା କହିବାକୁ ଉଦ୍ୟତ ହୁଅନ୍ତେ, ଗାଲ୍ଲିୟୋନ୍ ଯିହୁଦୀମାନଙ୍କୁ କହିଲେ, କୌଣସି ପ୍ରକାର ଅନ୍ୟାୟ ବା ଦୁଷ୍କର୍ମ ଯଦି ହୋଇଥାଆନ୍ତା, ତେବେ, ହେ ଯିହୁଦୀମାନେ, ଧିର ହୋଇ ତୁମ୍ଭମାନଙ୍କର କଥା ଶୁଣିବା ଯୁକ୍ତିସଙ୍ଗତ ହୋଇଥାଆନ୍ତା, 15ମାତ୍ର ଯଦି ଏହିସବୁ କେବଳ ବାକ୍ୟ, ନାମ ଓ ତୁମ୍ଭମାନଙ୍କ ବ୍ୟବସ୍ଥା ସମ୍ବନ୍ଧୀୟ ବିବାଦ ଅଟେ, ତେବେ ତୁମ୍ଭେମାନେ ନିଜେ ତାହା ବୁଝ; ଆମ୍ଭେ ଏହିସବୁ ବିଷୟରେ ବିଚାରକର୍ତ୍ତା ହେବାକୁ ଇଚ୍ଛା କରୁ ନାହୁଁ। 16ପୁଣି, ସେ ସେମାନଙ୍କୁ ବିଚାରାସନ ସମ୍ମୁଖରୁ ତଡ଼ିଦେଲେ। 17ସେଥିରେ ସମସ୍ତେ ସମାଜଗୃହର ଅଧ୍ୟକ୍ଷ ସୋସ୍ଥିନାଙ୍କୁ ଧରି ବିଚାରାସନ ସମ୍ମୁଖରେ ପ୍ରହାର କରିବାକୁ ଲାଗିଲେ; କିନ୍ତୁ ଗାଲ୍ଲିୟୋନ୍ ସେହି ସମସ୍ତ ବିଷୟରେ ଦୃଷ୍ଟି କଲେ ନାହିଁ।


