ଆନ୍ତିୟଖିଆକୁ ପାଉଲଙ୍କ ପ୍ରତ୍ୟାବର୍ତ୍ତନ
18ଏହା ଉତ୍ତାରେ ପାଉଲ ଅନେକ ଦିନ ପର୍ଯ୍ୟନ୍ତ ସେହି ସ୍ଥାନରେ ରହି ଭାଇମାନଙ୍କ ନିକଟରୁ ବିଦାୟ ଘେନି ଜାହାଜରେ ଚଢ଼ି ସିରିୟା ଅଞ୍ଚଳକୁ ଯାତ୍ରା କଲେ। ପ୍ରୀସ୍କିଲ୍ଲା ଓ ଆକ୍ୱିଲା ତାହାଙ୍କ ସାଙ୍ଗରେ ଗଲେ; ତାଙ୍କର ଗୋଟିଏ ମାନତ ଥିବାରୁ ସେ କେଙ୍କ୍ରେୟା ସହରରେ ଆପଣା ମସ୍ତକ ମୁଣ୍ଡନ କରାଇଲେ। 19ପରେ ସେମାନେ ଏଫିସକୁ ଆସିଲେ, ପୁଣି, ସେ ସେ ସ୍ଥାନରେ ସେମାନଙ୍କୁ ଛାଡ଼ି ନିଜେ ସମାଜଗୃହରେ ପ୍ରବେଶ କରି ଯିହୁଦୀମାନଙ୍କୁ ଉପଦେଶ ଦେଲେ। 20ପୁଣି, ସେମାନେ ତାହାଙ୍କୁ ଅଧିକ ସମୟ ରହିବାକୁ ଅନୁରୋଧ କରନ୍ତେ ସେ ଏକମତ ହେଲେ ନାହିଁ, 21ମାତ୍ର ସେମାନଙ୍କଠାରୁ ବିଦାୟ ଘେନି କହିଲେ, ଈଶ୍ବରଙ୍କ ଇଚ୍ଛା ହେଲେ ଆଉ ଥରେ ଆପଣମାନଙ୍କ ନିକଟକୁ ବାହୁଡ଼ି ଆସିବି; ପୁଣି, ସେ ଏଫିସରୁ ପ୍ରସ୍ଥାନ କଲେ। 22କାଇସରିୟାରେ ପହଞ୍ଚି ସେ ଜାହାଜରୁ ଓହ୍ଲାଇଲେ, ଆଉ ଯାଇ ମଣ୍ଡଳୀକୁ ନମସ୍କାର କରି ଆନ୍ତିୟଖିଆକୁ ଚାଲିଗଲେ। 23ସେ ସ୍ଥାନରେ କେତେକ ସମୟ ରହିଲା ପରେ ସେ ପ୍ରସ୍ଥାନ କଲେ, ପୁଣି, କ୍ରମାନ୍ୱୟେ ଗାଲାତୀୟ ଓ ଫ୍ରୁଗିଆ ଅଞ୍ଚଳଗୁଡ଼ିକ ଦେଇ ଯାତ୍ରା କରୁ କରୁ ଶିଷ୍ୟ ସମସ୍ତଙ୍କୁ ସୁସ୍ଥିର କରୁଥିଲେ।


