ଏଫିସ ଓ କରିନ୍ଥରେ ଆପଲ୍ଲ

24ଇତିମଧ୍ୟରେ ଆପଲ୍ଲ ନାମକ ଜଣେ ଯିହୁଦୀ ଏଫିସକୁ ଆସିଲେ, ତାହାଙ୍କର ଜନ୍ମସ୍ଥାନ ଆଲେକଜାଣ୍ଡ୍ରୀୟ ସହରରେ ଥିଲା; ସେ ସୁବକ୍ତା ଓ ଧର୍ମଶାସ୍ତ୍ରରେ ଶକ୍ତିଶାଳୀ ଥିଲେ। 25ଏହି ବ୍ୟକ୍ତି ପ୍ରଭୁଙ୍କ ମାର୍ଗ ବିଷୟରେ ଶିକ୍ଷା ପ୍ରାପ୍ତ ହୋଇଥିଲେ, ପୁଣି, ଆତ୍ମାରେ ଉତ୍ତପ୍ତ ହୋଇ ଯୀଶୁଙ୍କ ବିଷୟ ସୂକ୍ଷ୍ମରୂପେ କହି ଶିକ୍ଷା ଦେଉଥିଲେ, କିନ୍ତୁ ସେ କେବଳ ଯୋହନଙ୍କ ବାପ୍ତିସ୍ମ ବିଷୟ ଜାଣିଥିଲେ; 26ସେ ସମାଜଗୃହରେ ସାହସ ସହିତ କଥା କହିବାକୁ ଲାଗିଲେ। କିନ୍ତୁ ପ୍ରୀସ୍କିଲ୍ଲା ଓ ଆକ୍ୱିଲା ତାହାଙ୍କ କଥା ଶୁଣି ତାହାଙ୍କୁ ଆପଣାମାନଙ୍କ ସାଙ୍ଗରେ ରଖି ଅଧିକ ସୂକ୍ଷ୍ମ ରୂପେ ଈଶ୍ବରଙ୍କ ମାର୍ଗ ବିଷୟ ତାହାଙ୍କୁ ବୁଝାଇଦେଲେ। 27ସେ ଆଖାୟା ଦେଶକୁ ଯିବା ପାଇଁ ଇଚ୍ଛା କରିବାରୁ ଭାଇମାନେ ତାହାଙ୍କୁ ଉତ୍ସାହ ଦେଇ ତାହାଙ୍କୁ ଗ୍ରହଣ କରିବା ନିମନ୍ତେ ଶିଷ୍ୟମାନଙ୍କୁ ଲେଖିଲେ। ସେ ସେଠାରେ ଉପସ୍ଥିତ ହୋଇ, ଯେଉଁମାନେ ବିଶ୍ୱାସ କରିଥିଲେ, ଈଶ୍ବରଙ୍କ ଅନୁଗ୍ରହ ଦ୍ୱାରା ସେମାନଙ୍କର ବହୁତ ଉପକାର କଲେ, 28କାରଣ ଯୀଶୁ ଯେ ଖ୍ରୀଷ୍ଟ, ଏହା ଧର୍ମଶାସ୍ତ୍ର ଦ୍ୱାରା ପ୍ରମାଣ କରି ସେ ପ୍ରକାଶରେ ଶକ୍ତି ସହିତ ଯିହୁଦୀମାନଙ୍କର ଯୁକ୍ତିସବୁ ଖଣ୍ଡନ କରିବାକୁ ଲାଗିଲେ।