ଏଫିସରେ ପାଉଲ
1ଆପଲ୍ଲ କରିନ୍ଥ ସହରରେ ଥିବା ସମୟରେ ପାଉଲ ପାହାଡ଼ିଆ ଅଞ୍ଚଳ ଦେଇ ଯାତ୍ରା କରି ଏଫିସ ନଗରକୁ ଆସି କେତେକ ଶିଷ୍ୟଙ୍କ ଦେଖାପାଇଲେ। 2ସେ ସେମାନଙ୍କୁ ପଚାରିଲେ, ବିଶ୍ୱାସ କରିବା ସମୟରେ କଅଣ ତୁମ୍ଭେମାନେ ପବିତ୍ର ଆତ୍ମାଙ୍କୁ ପାଇଥିଲ? ସେମାନେ ତାହାଙ୍କୁ ଉତ୍ତର ଦେଲେ, ନା ପବିତ୍ର ଆତ୍ମା ଯେ ଦତ୍ତ ହୋଇଅଛନ୍ତି, ତାହା ସୁଦ୍ଧା ଆମ୍ଭେମାନେ ଶୁଣି ନାହୁଁ। 3ତେଣୁ ସେ ପଚାରିଲେ, ତେବେ ତୁମ୍ଭେମାନେ କାହିଁରେ ବାପ୍ତିଜିତ ହୋଇଥିଲ? ସେମାନେ କହିଲେ, ଯୋହନଙ୍କ ବାପ୍ତିସ୍ମରେ। 4ସେଥିରେ ପାଉଲ କହିଲେ, ଯୋହନ ମନ-ପରିବର୍ତ୍ତନର ବାପ୍ତିସ୍ମରେ ବାପ୍ତିସ୍ମ ଦେଇ, ତାହାଙ୍କ ପରେ ଯେ ଆସିବେ, ତାହାଙ୍କଠାରେ ଅର୍ଥାତ୍ ଯୀଶୁଙ୍କଠାରେ ବିଶ୍ୱାସ କରିବାକୁ ହେବ ବୋଲି ଲୋକମାନଙ୍କୁ କହୁଥିଲେ। 5ସେମାନେ ଏହା ଶୁଣି ପ୍ରଭୁ ଯୀଶୁଙ୍କ ନାମରେ ବାପ୍ତିଜିତ ହେଲେ, 6ଆଉ ପାଉଲ ସେମାନଙ୍କ ଉପରେ ହସ୍ତାର୍ପଣ କରନ୍ତେ ପବିତ୍ର ଆତ୍ମା ସେମାନଙ୍କ ଉପରେ ଅବତରଣ କଲେ, ପୁଣି, ସେମାନେ ନାନା ଭାଷାରେ କଥା କହିବାକୁ ଓ ଭାବବାଣୀ ମଧ୍ୟ କହିବାକୁ ଲାଗିଲେ। 7ସେମାନେ ସମସ୍ତେ ପ୍ରାୟ ବାର ଜଣ ପୁରୁଷ ଥିଲେ। 8ପରେ ସେ ସମାଜଗୃହରେ ପ୍ରବେଶ କରି ତିନି ମାସ ପର୍ଯ୍ୟନ୍ତ ସାହସ ସହିତ ଈଶ୍ବରଙ୍କ ରାଜ୍ୟ ବିଷୟରେ ଉପଦେଶ ଦେଇ ବିଶ୍ୱାସ ଜନ୍ମାଇବାକୁ ଚେଷ୍ଟା କରିବାକୁ ଲାଗିଲେ। 9କିନ୍ତୁ ସେତେବେଳେ କେତେକ ଲୋକ କଠିନ ଓ ଅବାଧ୍ୟ ହୋଇ ଲୋକସମୂହ ସାକ୍ଷାତରେ ଏହି ମାର୍ଗ ବିଷୟରେ ନିନ୍ଦା କରିବାକୁ ଲାଗିଲେ, ସେତେବେଳେ ସେ ସେମାନଙ୍କୁ ପରିତ୍ୟାଗ କରି ଶିଷ୍ୟମାନଙ୍କୁ ପୃଥକ୍ କଲେ, ଆଉ ପ୍ରତିଦିନ ତୁରାନ୍ନର ବିଦ୍ୟାଳୟରେ ଉପଦେଶ ଦେବାକୁ ଲାଗିଲେ। 10ଏହିପରି ଦୁଇ ବର୍ଷ ପର୍ଯ୍ୟନ୍ତ ଚାଲିଲା; ସେଥିରେ ଏସିଆ-ନିବାସୀ ଯିହୁଦୀ ଓ ଗ୍ରୀକ୍ ସମସ୍ତେ ପ୍ରଭୁଙ୍କ ବାକ୍ୟ ଶ୍ରବଣ କଲେ।


