ସ୍କେବାର ପୁତ୍ରମାନେ

11ପୁଣି, ଈଶ୍ବର ପାଉଲଙ୍କ ହସ୍ତ ଦ୍ୱାରା ଅସାମାନ୍ୟ ଅଦ୍ଭୁତ କାର୍ଯ୍ୟ ସାଧନ କରୁଥିଲେ, 12ଏପରିକି ତାହାଙ୍କ ଦେହରୁ ରୁମାଲ କିମ୍ବା ଗାମୁଛା ରୋଗୀମାନଙ୍କ ନିକଟକୁ ଅଣା ଯାଆନ୍ତେ ସେମାନଙ୍କଠାରୁ ରୋଗ ଛାଡ଼ିଯାଉଥିଲା ଓ ମନ୍ଦ-ଆତ୍ମାଗୁଡ଼ାକ ବାହାରିଯାଉଥିଲେ। 13କିନ୍ତୁ ଭ୍ରମଣକାରୀ ଯିହୁଦୀ ଭୂତୁଡ଼ିଆମାନଙ୍କ ମଧ୍ୟରୁ କେତେକ ଜଣକୁ ଦୁଷ୍ଟ ଆତ୍ମା ଲାଗିଥିବା ଲୋକମାନଙ୍କ ଉପରେ ପ୍ରଭୁ ଯୀଶୁଙ୍କ ନାମ ଉଚ୍ଚାରଣ କରିବାକୁ ପ୍ରବୃତ୍ତ ହୋଇ କହିଲେ, ଯେଉଁ ଯୀଶୁଙ୍କୁ ପାଉଲ ପ୍ରଚାର କରୁଅଛନ୍ତି, ମୁଁ ତୁମ୍ଭମାନଙ୍କୁ ତାହାଙ୍କର ଆଦେଶ ଦେଉଅଛି। 14ପୁଣି, ସ୍କେବା ନାମକ ଜଣେ ଯିହୁଦୀ ପ୍ରଧାନ ଯାଜକଙ୍କର ସାତ ପୁତ୍ର ଏହିପରି କରୁଥିଲେ। 15ସେଥିରେ ମନ୍ଦ-ଆତ୍ମା ସେମାନଙ୍କୁ ଉତ୍ତର ଦେଲା, ଆମ୍ଭେ ଯୀଶୁଙ୍କୁ ଜାଣୁ ଓ ପାଉଲଙ୍କୁ ଚିହ୍ନୁଁ; ମାତ୍ର ତୁମ୍ଭେମାନେ କିଏ? 16ସେତେବେଳେ ମନ୍ଦ-ଆତ୍ମା ଲାଗିଥିବା ଲୋକଟା ସେମାନଙ୍କ ଉପରକୁ ଡେଇଁପଡ଼ି ସେ ଦୁଇ ଜଣଙ୍କୁ ପରାସ୍ତ କରି ସେମାନଙ୍କୁ ଏପରି ଆଘାତ କଲା ଯେ, ସେମାନେ ଉଲଗ୍ନ ଓ କ୍ଷତବିକ୍ଷତ ହୋଇ ସେହି ଘରୁ ବାହାରି ପଳାଇଗଲେ। 17ଏହି କଥା ଏଫିସ ନିବାସୀ ଯିହୁଦୀ ଓ ଗ୍ରୀକ୍‍ ସମସ୍ତେ ଜାଣିଲେ। ସେଥିରେ ସମସ୍ତେ ଭୀତ ହେଲେ, ଆଉ ପ୍ରଭୁ ଯୀଶୁଙ୍କ ନାମ ମହିମାନ୍ୱିତ ହେବାକୁ ଲାଗିଲା। 18ପୁଣି, ବିଶ୍ୱାସୀମାନଙ୍କ ମଧ୍ୟରୁ ଅନେକେ ଆସି ଆପଣା ଆପଣା କର୍ମ ସ୍ୱୀକାର ଓ ପ୍ରକାଶ କରିବାକୁ ଲାଗିଲେ, 19ଆଉ ଯାଦୁକ୍ରିୟା କରୁଥିବା ଅନେକେ ଆପଣା ଆପଣା ପୁସ୍ତକ ଆଣି ଏକତ୍ର କରି ସମସ୍ତଙ୍କ ସାକ୍ଷାତରେ ପୋଡ଼ିପକାଇଲେ; ସେମାନେ ସେସବୁର ମୂଲ୍ୟ ହିସାବ କରି ତାହା ପଚାଶ ହଜାର ରୂପା ମୁଦ୍ରା ବୋଲି ଦେଖିଲେ। 20ଏହି ପ୍ରକାରେ ପ୍ରଭୁଙ୍କର ବାକ୍ୟ ପରାକ୍ରମରେ ବୃଦ୍ଧି ପାଇବାକୁ ଓ ଜୟଯୁକ୍ତ ହେବାକୁ ଲାଗିଲା।