ଏଫିସରେ ହିଂସାକାଣ୍ଡ

21ଏହି ସମସ୍ତ ବିଷୟ ଶେଷ ହେଲା ଉତ୍ତାରେ ପାଉଲ ମାକିଦନିଆ ଓ ଆଖାୟା ଦେଇ ଯିରୂଶାଲମ ସହରକୁ ଯିବା ନିମନ୍ତେ ମନରେ ସ୍ଥିର କରି କହିଲେ ଯେ ସେଠାକୁ ଗଲା ଉତ୍ତାରେ ମୋତେ ରୋମକୁ ମଧ୍ୟ ଯିବାକୁ ହେବ। 22ପୁଣି, ଯେଉଁମାନେ ତାହାଙ୍କର ସେବା କରୁଥିଲେ, ସେମାନଙ୍କର ମଧ୍ୟରୁ ତୀମଥି ଓ ଏରାଷ୍ଟ, ଏହି ଦୁଇ ଜଣଙ୍କୁ ମାକିଦନିଆକୁ ପ୍ରେରଣ କରି ସେ ଆପେ କିଛି କାଳ ପର୍ଯ୍ୟନ୍ତ ଏସିଆରେ ରହିଲେ। 23ପ୍ରାୟ ସେହି ସମୟରେ ଏହି ମାର୍ଗ ବିଷୟରେ ମହା ଗଣ୍ଡଗୋଳ ଉଠିଲା। 24କାରଣ ଦୀମିତ୍ରୀୟ ନାମକ ଜଣେ ସ୍ୱର୍ଣ୍ଣକାର ଆର୍ତ୍ତେମୀର ରୌପ୍ୟ ମନ୍ଦିର ନିର୍ମାଣ କରୁଥିଲା, ପୁଣି, ଶିଳ୍ପକାରମାନଙ୍କର ଯଥେଷ୍ଟ ଲାଭ କରାଯାଉଥିଲା। 25ସେ ସେମାନଙ୍କୁ ଓ ସେହି ବ୍ୟବସାୟର କାରିଗରମାନଙ୍କୁ ଡାକି କହିଲା, ମହାଶୟମାନେ, ଏହି ବ୍ୟବସାୟ ଦ୍ୱାରା ଆମ୍ଭେମାନେ ଧନ ପ୍ରାପ୍ତ ହେଉ ବୋଲି ଆପଣମାନେ ଜାଣନ୍ତି; 26ଆଉ ହାତ ତିଆରି ଦେବତାମାନେ ଈଶ୍ବର ନୁହଁନ୍ତି ବୋଲି କହି ଏହି ପାଉଲ କେବଳ ଏଫିସରେ ନୁହେଁ, ମାତ୍ର ପ୍ରାୟ ସମସ୍ତ ଏସିଆରେ ବହୁତ ଲୋକଙ୍କୁ ମତାଇ ଭୁଲାଇଅଛି, ଏହା ଆପଣମାନେ ଦେଖୁଅଛନ୍ତି ଓ ଶୁଣୁଅଛନ୍ତି। 27ଏଥିରେ ଯେ କେବଳ ଆମ୍ଭମାନଙ୍କ ଏହି ବ୍ୟବସାୟର ଦୁର୍ନାମ ହେବାର ଆଶଙ୍କା ଅଛି, ତାହା ନୁହେଁ, କିନ୍ତୁ ଯେଉଁ ମହାନ ଦେବୀ ଆର୍ତ୍ତେମୀଙ୍କୁ ସମସ୍ତ ଏସିଆ ଓ ଜଗତଯାକ ଉପାସନା କରନ୍ତି, ତାହା ମନ୍ଦିର ମଧ୍ୟ ନଗଣ୍ୟ ହୋଇପଡ଼ିବାର ଓ ତାହାଙ୍କ ମହିମାର ଗ୍ଲାନି ସୁଦ୍ଧା ଘଟିବାର ଆଶଙ୍କା ଅଛି। 28ଏହି କଥା ଶୁଣି ସେମାନେ କ୍ରୋଧରେ ପରିପୂର୍ଣ୍ଣ ହୋଇ ଚିତ୍କାର କରି କହିବାକୁ ଲାଗିଲେ, ଏଫିସୀୟମାନଙ୍କର ଆର୍ତ୍ତେମୀ ମହାଦେବୀ ଅଟନ୍ତି। 29ଏଥିରେ ନଗରଟି ଗଣ୍ଡଗୋଳରେ ପରିପୂର୍ଣ୍ଣ ହେଲା, ଆଉ ସେମାନେ ଏକଯୋଗରେ ପାଉଲଙ୍କ ସହଯାତ୍ରୀ ମାକିଦନିଆର ଗାୟ ଓ ଆରିସ୍ତାର୍ଖଙ୍କୁ ଧରି ବଡ଼ ବେଗରେ ରଙ୍ଗଭୂମିକୁ ଦୌଡ଼ିଗଲେ। 30ଏଥିରେ ପାଉଲ ଲୋକମାନଙ୍କ ଭିତରକୁ ଯିବାକୁ ଇଚ୍ଛା କଲେ, କିନ୍ତୁ ଶିଷ୍ୟମାନେ ତାହାଙ୍କୁ ଯିବାକୁ ଦେଲେ ନାହିଁ। 31ଆଉ ଏସିଆର ପ୍ରଧାନ କର୍ମକାରୀମାନଙ୍କ ମଧ୍ୟରୁ ସୁଦ୍ଧା କେତେକ ଜଣ ତାହାଙ୍କ ବନ୍ଧୁ ଥିବାରୁ ଲୋକ ପଠାଇ ରଙ୍ଗଭୂମି ମଧ୍ୟକୁ ଦୁଃସାହସ କରି ନ ଯିବାକୁ ତାହାଙ୍କୁ ଅନୁରୋଧ କଲେ। 32ସେତେବେଳେ କେହି କେହି ଏ କଥା, କେହି କେହି ବା ସେ କଥା କହି ଚିତ୍କାର କରୁଥିଲେ, କାରଣ ସଭା ଗଣ୍ଡଗୋଳରେ ପରିପୂର୍ଣ୍ଣ ହୋଇଥିଲା, ଆଉ ସେମାନେ ଯେ କାହିଁକି ଏକତ୍ର ହୋଇଅଛନ୍ତି, ତାହା ଅଧିକାଂଶ ଜାଣି ନ ଥିଲେ। 33ଆଉ ଯିହୁଦୀମାନେ ଆଲେକ୍‌ଜାଣ୍ଡରକୁ ଆଗକୁ ବାହାର କରି ଆଣିବାରୁ ଲୋକସମୂହ ମଧ୍ୟରୁ କେହି କେହି ତାହାକୁ ମତାଇଲେ; ସେଥିରେ ଆଲେକ୍‌ଜାଣ୍ଡର ହସ୍ତରେ ସଙ୍କେତ କରି ଲୋକମାନଙ୍କ ନିକଟରେ ସେମାନଙ୍କର ପକ୍ଷ ସମର୍ଥନ କରିବାକୁ ଇଚ୍ଛା କଲା। 34କିନ୍ତୁ ସେ ଜଣେ ଯିହୁଦୀ ବୋଲି ଯେତେବେଳେ ସେମାନେ ଜାଣିଲେ, ସେତେବେଳେ ସମସ୍ତେ ଏକସ୍ୱରରେ ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଚିତ୍କାର କରି କହିବାକୁ ଲାଗିଲେ, ଏଫିସୀୟମାନଙ୍କର ଆର୍ତ୍ତେମୀ ମହାଦେବୀ ଅଟନ୍ତି। 35ପରେ ନଗର-ବେବର୍ତ୍ତା ଲୋକସମୂହକୁ ଶାନ୍ତ କରାଇ କହିଲେ, ହେ ଏଫିସୀୟ ଲୋକମାନେ, ଏଫିସ ନଗରୀ ଯେ ମହାଦେବୀ ଆର୍ତ୍ତେମୀ ଓ ଆକାଶରୁ ପତିତ ପ୍ରତିମାର ମନ୍ଦିର ପରିଚାରିକା, ଏହା କିଏ ନ ଜାଣେ? 36ଅତଏବ ଏହିସବୁ କଥା ଅଖଣ୍ଡନୀୟ ହେବାରୁ ତୁମ୍ଭମାନଙ୍କର ଶାନ୍ତ ହେବା ଓ ଅବିବେଚନାରେ କୌଣସି କର୍ମ ନ କରିବା ଉଚିତ। 37କାରଣ ଏହି ଯେଉଁ ଲୋକମାନଙ୍କୁ ତୁମ୍ଭେମାନେ ଘେନି ଆସିଅଛ, ଏମାନେ ତ ମନ୍ଦିର ଲୁଣ୍ଠନକାରୀ ନୁହଁନ୍ତି, କିମ୍ବା ଆମ୍ଭମାନଙ୍କ ଦେବୀଙ୍କ ନିନ୍ଦକ ନୁହଁନ୍ତି। 38ଏଣୁ ଯଦି କାହାରି ବିରୁଦ୍ଧରେ ଦୀମିତ୍ରୀୟର ଓ ତାହାର ସଙ୍ଗୀ ଶିଳ୍ପକରମାନଙ୍କର କୌଣସି କଥା ଥାଏ, ତାହାହେଲେ ବିଚାରାଳୟ ଉନ୍ମୁକ୍ତ ଅଛି ଓ ଶାସନକର୍ତ୍ତାମାନେ ଅଛନ୍ତି; ସେମାନେ ପରସ୍ପର ବିରୁଦ୍ଧରେ ଅଭିଯୋଗ କରନ୍ତୁ। 39କିନ୍ତୁ ଯଦି ତୁମ୍ଭମାନଙ୍କର ଅନ୍ୟ କୌଣସି ଦାବି ଥାଏ, ତେବେ ନିୟମିତ ସାଧାରଣ ସଭାରେ ତାହାର ମୀମାଂସା ହେବ। 40କାରଣ ପ୍ରକୃତରେ ଆଜିର ଗଣ୍ଡଗୋଳ ଘେନି ଆମ୍ଭମାନଙ୍କ ବିରୁଦ୍ଧରେ ଅଭିଯୋଗ ହେବାର ଆଶଙ୍କା ଅଛି; ଆମ୍ଭେମାନେ ଏହି ଗଣ୍ଡଗୋଳର କୌଣସି କାରଣ ଦେଖାଇ ପାରିବୁ ନାହିଁ। 41ଏହା କହି ସେ ସଭାସ୍ଥ ସମସ୍ତଙ୍କୁ ବିଦାୟ ଦେଲେ।