ମାକିଦନିଆ ଓ ଗ୍ରୀସ୍ରେ ପାଉଲ
1ସେହି ଗଣ୍ଡଗୋଳ ବନ୍ଦ ହେବା ପରେ ପାଉଲ ଶିଷ୍ୟମାନଙ୍କୁ ଡକାଇ ସେମାନଙ୍କୁ ଉତ୍ସାହ ଦେଲେ, ଆଉ ସେମାନଙ୍କଠାରୁ ବିଦାୟ ନେଇ ମାକିଦନିଆକୁ ଯିବା ନିମନ୍ତେ ପ୍ରସ୍ଥାନ କଲେ। 2ସେହି ସମସ୍ତ ଅଞ୍ଚଳ ଦେଇ ଯାତ୍ରା କରି ସେ ଶିଷ୍ୟମାନଙ୍କୁ ବହୁତ ଉତ୍ସାହ ଦେବା ପରେ ଗ୍ରୀସ୍କୁ ଆସିଲେ। 3ସେ ସେହି ସ୍ଥାନରେ ତିନି ମାସ ରହି ଯେତେବେଳେ ଜାହାଜରେ ଚଢ଼ି ସିରିୟାକୁ ଯିବାକୁ ଚେଷ୍ଟା କଲେ, ସେତେବେଳେ ଯିହୁଦୀମାନେ ପାଉଲଙ୍କ ବିରୋଧରେ ଷଡ଼ଯନ୍ତ୍ର କରିବାରୁ ସେ ମାକିଦନିଆ ଦେଇ ବାହୁଡ଼ି ଯିବାକୁ ନିଷ୍ପତ୍ତି କଲେ। 4ଆଉ, ବେରିୟା ନଗରନିବାସୀ ପୁରଙ୍କ ପୁଅ ସୋପାତ୍ର, ଥେସଲନୀକୀ ସହରରେ ବିଶ୍ୱାସୀମାନଙ୍କ ମଧ୍ୟରୁ ଆରିସ୍ତାର୍ଖ ଓ ସେକୁନ୍ଦ, ଦର୍ବୀର ଗାୟ, ତୀମଥି, ଆଉ ଏସିଆ ପ୍ରଦେଶର ଲୋକମାନଙ୍କ ମଧ୍ୟରୁ ତୁଖିକ ଓ ତ୍ରଫିମ ତାହାଙ୍କ ସଙ୍ଗରେ ଯାତ୍ରା କଲେ। 5ଏମାନେ ସମସ୍ତେ ପ୍ରଥମରେ ଯାଇ ତ୍ରୋୟା ସହରରେ ଆମ୍ଭମାନଙ୍କର ଅପେକ୍ଷା କରୁଥିଲେ। 6ଆଉ, ଖମୀରଶୂନ୍ୟ ରୁଟିର ପର୍ବ ପରେ ଆମ୍ଭେମାନେ ଜାହାଜରେ ଚଢ଼ି ଫିଲିପ୍ପୀ ସହରରୁ ଯାତ୍ରା କଲୁ, ପୁଣି, ପାଞ୍ଚ ଦିନରେ ତ୍ରୋୟାରେ ସେମାନଙ୍କ ନିକଟକୁ ଆସିଲୁ; ଆମ୍ଭେମାନେ ସେହି ସ୍ଥାନରେ ସାତ ଦିନ ରହିଲୁ।


