ତ୍ରୋୟାରେ ପାଉଲଙ୍କ ଶେଷ ଅବସ୍ଥାନ

7ଆମ୍ଭେମାନେ ସପ୍ତାହର ପ୍ରଥମ ଦିନରେ ଯେତେବେଳେ ରୁଟି ଭାଙ୍ଗିବାକୁ ଏକତ୍ରିତ ହୋଇଥିଲୁ, ପାଉଲ ସେତେବେଳେ ଆରଦିନ ଯିବେ ବୋଲି ଉଦ୍ୟତ ହେଉଥିବାରୁ, ସେମାନଙ୍କୁ ଉପଦେଶ ଦେବାକୁ ଲାଗିଲେ ଓ ମଧ୍ୟରାତ୍ର ଯାଏ ଦୀର୍ଘ ଭାଷଣ ଦେଲେ। 8ଯେଉଁ ଉପର କୋଠରୀରେ ଆମ୍ଭେମାନେ ଏକତ୍ର ହୋଇଥିଲୁ, ସେ ସ୍ଥାନରେ ଅନେକ ଦୀପ ଥିଲା। 9ଆଉ, ଝରକା ଉପରେ ଇଉତୁଖ ନାମକ ଜଣେ ଯୁବା ଲୋକ ବସିଥିଲା, ତାହାକୁ ଭାରୀ ନିଦ ଲାଗୁଥିଲା; ପୁଣି, ପାଉଲ ଆପଣା ଉପଦେଶ ଆହୁରି ଦୀର୍ଘ କରିବାରୁ ସେ ନିଦ୍ରା ମଗ୍ନ ହୋଇ ତୃତୀୟ ମହଲାରୁ ତଳେ ପଡ଼ିଗଲା, ଆଉ ତାହାକୁ ଉଠାଇଲା ବେଳକୁ, ସେ ମୃତ ବୋଲି ଜଣାଗଲା। 10ପାଉଲ ସେଥିରେ ତଳକୁ ଓହ୍ଲାଇ ଆସି ତାହା ଉପରେ ପଡ଼ି ତାହାକୁ ଆଲିଙ୍ଗନ କରି କହିଲେ, କୋଳାହଳ କର ନାହିଁ, କାରଣ ଏହାଠାରେ ଜୀବନ ଅଛି। 11ସେ ପରେ ଉପରକୁ ଯାଇ ରୁଟି ଭାଙ୍ଗି ଭୋଜନ କଲେ, ପୁଣି, ସେମାନଙ୍କ ସହିତ ପ୍ରଭାତ ହେବା ପର୍ଯ୍ୟନ୍ତ ବହୁତ କଥାବାର୍ତ୍ତା କରି ପ୍ରସ୍ଥାନ କଲେ। 12ଆଉ ସେମାନେ ସେହି ଯୁବାକୁ ଜୀବିତ ପାଇ ଅତ୍ୟନ୍ତ ଆଶ୍ୱାସନା ପାଇଲେ। 13କିନ୍ତୁ ଆମ୍ଭେମାନେ ଆଗେ ଜାହାଜରେ ଚଢ଼ି ଆସସ୍‌ ସହରକୁ ଯାତ୍ରା କଲୁ, ସେଠାରୁ ପାଉଲଙ୍କୁ ନେଇଯିବା ପାଇଁ ମନେ କରିଥିଲୁ, କାରଣ ସ୍ଥଳ ପଥରେ ଯିବା ପାଇଁ ସେ ନିଜେ ଇଚ୍ଛା କରି ସେପ୍ରକାର ସ୍ଥିର କରିଥିଲେ। 14ଯେତେବେଳେ ସେ ଆମ୍ଭମାନଙ୍କୁ ଆସସ୍‌ରେ ଭେଟିଲେ, ଆମ୍ଭେମାନେ ତାହାଙ୍କୁ ଘେନି ମିତୁଲୀନୀ ସହରକୁ ଆସିଲୁ, 15ଆଉ ସେହି ସ୍ଥାନରୁ ଜାହାଜ ଫିଟାଇ ଆମ୍ଭେମାନେ ପରଦିନ ଖୀୟସ୍ ଦ୍ୱୀପ ସମ୍ମୁଖରେ ଉପସ୍ଥିତ ହେଲୁ, ଦ୍ୱିତୀୟ ଦିନରେ ଜାହାଜ ସାମ ଦ୍ୱୀପରେ ଲଗାଇଲୁ ଓ ଆରଦିନ ମୀଲୀତ ସହରରେ ପହଞ୍ଚିଲୁ। 16କାରଣ ପାଉଲଙ୍କ ଏସିଆରେ ଯେପରି ସମୟ କ୍ଷେପଣ କରିବାକୁ ନ ପଡ଼େ, ଏଥିପାଇଁ ସେ ଏଫିସ ଛାଡ଼ି ଯାତ୍ରା କରିବାକୁ ସ୍ଥିର କରିଥିଲେ, ଯେଣୁ ସମ୍ଭବ ହେଲେ ପେଣ୍ଟିକଷ୍ଟ ଦିନରେ ଯିରୂଶାଲମ ସହରରେ ଉପସ୍ଥିତ ହେବା ପାଇଁ ସେ ଚଞ୍ଚଳ ହେଉଥିଲେ।