ପାଉଲଙ୍କ ଯିରୂଶାଲମ ଯାତ୍ରା
1ସେମାନଙ୍କଠାରୁ ବିଦାୟ ନେଇ ଆମ୍ଭେମାନେ ଜାହାଜରେ ଚଢ଼ି ସିଧା ବାଟରେ କୋସ୍ ଦ୍ବୀପକୁ ଆସିଲୁ, ପରଦିନ ରୋଦା ଦ୍ବୀପକୁ, ପୁଣି, ସେ ସ୍ଥାନରୁ ପାତାରା ସହରକୁ ଆସିଲୁ। 2ସେଠାରେ ଆମ୍ଭେମାନେ ଫୈନୀକିଆକୁ ପାର ହୋଇ ଯାଉଥିବା ଗୋଟିଏ ଜାହାଜ ପାଇ ସେଥିରେ ଚଢ଼ି ଯାତ୍ରା କଲୁ। 3ପରେ ସାଇପ୍ରସ୍ ଦ୍ୱୀପ ଦେଖିବା ମାତ୍ରେ ଆମ୍ଭେମାନେ ବାମ ପାଖ ଛାଡ଼ି ସିରିୟା ଅଞ୍ଚଳକୁ ଯାତ୍ରା କରି ସୋର ସହରରେ ଉପସ୍ଥିତ ହେଲୁ, କାରଣ ସେଠାରେ ଜାହାଜରୁ ମାଲପତ୍ର ଖଲାସ କରିବାର ଥିଲା। 4ସେଠାରେ ଶିଷ୍ୟମାନଙ୍କୁ ଖୋଜି, ସେମାନଙ୍କ ସାକ୍ଷାତ ପାଇ ସାତ ଦିନ ରହିଲୁ; ପୁଣି, ଯେପରି ପାଉଲ ଯିରୂଶାଲମ ସହରରେ ପଦାର୍ପଣ ନ କରନ୍ତି, ଏଥିପାଇଁ ସେମାନେ ଆତ୍ମାଙ୍କ ଦ୍ୱାରା ତାହାଙ୍କୁ କହିଲେ। 5ଆମ୍ଭେମାନେ ସାତ ଦିନ ରହିଲା ଉତ୍ତାରେ, ସେହି ସ୍ଥାନରୁ ଯାତ୍ରା କଲୁ, ପୁଣି, ସେମାନେ ସମସ୍ତେ ସ୍ତ୍ରୀ ଓ ପିଲାପିଲିଙ୍କ ସହିତ ଆମ୍ଭମାନଙ୍କୁ ନଗରର ବାହାର ପର୍ଯ୍ୟନ୍ତ ଛାଡ଼ିବା ନିମନ୍ତେ ଆସିଲେ, 6ଆଉ ଆମ୍ଭେମାନେ ସମୁଦ୍ରକୂଳରେ ଆଣ୍ଠୁପାତି ପ୍ରାର୍ଥନା କଲୁ, ପୁଣି, ପରସ୍ପରଠାରୁ ବିଦାୟ ନେଲୁ; ପରେ ଆମ୍ଭେମାନେ ଜାହାଜରେ ଚଢ଼ିଲୁ, ଆଉ ସେମାନେ ଘରକୁ ବାହୁଡ଼ିଗଲେ। 7ସୋରରୁ ଆମ୍ଭେମାନେ ଜଳଯାତ୍ରା ଶେଷ କରି ତଲିମାଇ ପ୍ରଦେଶରେ ପହଞ୍ଚିଥିଲୁ ଓ ଭାଇମାନଙ୍କୁ ନମସ୍କାର କରି, ଗୋଟିଏ ଦିନ ସେମାନଙ୍କ ସହିତ ରହିଲୁ। 8ପରଦିନ ଆମ୍ଭେମାନେ କାଇସରିୟାକୁ ପ୍ରସ୍ଥାନ କଲୁ। ଆଉ ସାତ ଜଣଙ୍କ ମଧ୍ୟରେ ଅନ୍ତର୍ଗତ, ସୁସମାଚାର ପ୍ରଚାରକ ଫିଲିପ୍ପଙ୍କ ଗୃହରେ ପ୍ରବେଶ କରି ତାହାଙ୍କ ସାଙ୍ଗରେ ରହିଲୁ। 9ତାହାଙ୍କର ଚାରି ଜଣ କୁମାରୀ କନ୍ୟା, ଭାବବାଦିନୀ ଥିଲେ। 10ଆମ୍ଭେମାନେ ସେହି ସ୍ଥାନରେ ଅନେକ ଦିନ ରହିଲା ପରେ ଆଗାବ ନାମକ ଜଣେ ଭାବବାଦୀ ଯିହୂଦିୟା ପ୍ରଦେଶରୁ ଆସିଲେ। 11ସେ ପାଉଲଙ୍କ କଟି ବନ୍ଧନ ଘେନି ଆପଣା ହସ୍ତପାଦ ବନ୍ଧନ କରି ସେ ଆମ୍ଭମାନଙ୍କ ନିକଟକୁ ଆସି କହିଲେ, ପବିତ୍ର ଆତ୍ମା ଏହା କହନ୍ତି, ଏହି କଟିବନ୍ଧନର ଅଧିକାରୀଙ୍କୁ ଯିରୂଶାଲମ ନିବାସୀ ଯିହୁଦୀମାନେ ଏହିପରି ବାନ୍ଧି ଅଣଯିହୁଦୀମାନଙ୍କ ହସ୍ତରେ ସମର୍ପଣ କରିବେ। 12ଏହି ସମସ୍ତ କଥା ଶୁଣି ଆମ୍ଭେମାନେ ଓ ସେହି ସ୍ଥାନର ଲୋକମାନେ ତାହାଙ୍କୁ ଯିରୂଶାଲମ ସହରକୁ ନ ଯିବା ପାଇଁ ବିନତି କଲୁ। 13ପାଉଲ ସେଥିରେ ଉତ୍ତର ଦେଲେ, ତୁମ୍ଭେମାନେ କ୍ରନ୍ଦନ କରି ଓ ମୋହର ହୃଦୟକୁ ବିଦୀର୍ଣ୍ଣ କରି କଅଣ କରୁଅଛ? କାରଣ ମୁଁ ପ୍ରଭୁ ଯୀଶୁଙ୍କ ନାମ ନିମନ୍ତେ ଯିରୂଶାଲମ ସହରରେ କେବଳ ବନ୍ଧା ହେବାକୁ ପ୍ରସ୍ତୁତ, ତାହା ନୁହେଁ, ମାତ୍ର ମରିବାକୁ ସୁଦ୍ଧା ପ୍ରସ୍ତୁତ ଅଛି। 14ସେ ନ ମାନିବାରୁ ଆମ୍ଭେମାନେ କ୍ଷାନ୍ତ ହୋଇ କହିଲୁ, ପ୍ରଭୁଙ୍କର ଇଚ୍ଛା ସଫଳ ହେଉ। 15ଆମ୍ଭେମାନେ ଏହି ସମସ୍ତ ଦିନ ଉତ୍ତାରେ ଜିନିଷପତ୍ର ନେଇ ଯିରୂଶାଲମ ସହରକୁ ଯାତ୍ରା କଲୁ। 16ପୁଣି, ଆମ୍ଭମାନଙ୍କ ସାଙ୍ଗରେ କାଇସରିୟାରୁ ମଧ୍ୟ କେତେକ ଜଣ ଶିଷ୍ୟ ଗଲେ; ସେମାନେ ସାଇପ୍ରସ୍ର ମନାସୋନ ନାମକ ଜଣେ ପୁରୁଣା ଶିଷ୍ୟଙ୍କୁ ସାଙ୍ଗରେ ଆଣିଲେ, ତାହାଙ୍କ ଘରେ ଆମ୍ଭମାନଙ୍କର ରହିବାର ଥିଲା।


