ଯାକୁବଙ୍କ ସହିତ ପାଉଲଙ୍କ ସାକ୍ଷାତ
17ଆମ୍ଭେମାନେ ଯିରୂଶାଲମ ସହରରେ ପହଞ୍ଚନ୍ତେ ଆମ୍ଭମାନଙ୍କୁ ବିଶ୍ୱାସୀ ଭାଇମାନେ ଆନନ୍ଦରେ ଗ୍ରହଣ କଲେ। 18ତହିଁ ଆରଦିନ ପାଉଲ ଆମ୍ଭମାନଙ୍କ ସହିତ ଯାକୁବଙ୍କ ଗୃହକୁ ଗଲେ, ଆଉ ସେ ସ୍ଥାନରେ ସମସ୍ତ ପ୍ରାଚୀନ ଉପସ୍ଥିତ ହେଲେ। 19ସେ ସେମାନଙ୍କୁ ନମସ୍କାର କଲା ଉତ୍ତାରେ, ଈଶ୍ବର ଅଣଯିହୁଦୀମାନଙ୍କ ମଧ୍ୟରେ ଯେଉଁ ସବୁ କାର୍ଯ୍ୟ ତାହାଙ୍କ ସେବା ଦ୍ୱାରା ସାଧନ କରିଥିଲେ, ଗୋଟି ଗୋଟି କରି ସେହିସବୁ ସେମାନଙ୍କ ନିକଟରେ ବର୍ଣ୍ଣନା କଲେ। 20ସେମାନେ ତାହା ଶୁଣି ଈଶ୍ବରଙ୍କ ମହିମା ଗୁଣାନୁବାଦ କରିବାକୁ ଲାଗିଲେ, ପୁଣି, ତାହାଙ୍କୁ କହିଲେ, ହେ ଭାଇ, ଯିହୁଦୀମାନଙ୍କ ମଧ୍ୟରେ ଯେ କେତେ ସହସ୍ର ବିଶ୍ୱାସ କରିଅଛନ୍ତି, ଏହା ତୁମ୍ଭେ ଦେଖୁଅଛ, ସେ ସମସ୍ତେ ମୋଶାଙ୍କ ବ୍ୟବସ୍ଥା ପକ୍ଷରେ ଉଦ୍ଯୋଗୀ। 21ପୁଣି, ଅଣଯିହୁଦୀମାନଙ୍କ ମଧ୍ୟରେ ବାସକାରୀ ସମସ୍ତ ଯିହୁଦୀଙ୍କ ନିଜ ନିଜ ଶିଶୁମାନଙ୍କୁ ସୁନ୍ନତ ନ କରିବାକୁ ଓ ବିଧିବିଧାନ ଅନୁସାରେ ନ ଚଳିବାକୁ କହି, ମୋଶାଙ୍କ ବ୍ୟବସ୍ଥା ପରିତ୍ୟାଗ କରିବା ନିମନ୍ତେ ତୁମ୍ଭେ ଯେ ସେମାନଙ୍କୁ ଶିକ୍ଷା ଦେଇଥାଅ, ତୁମ୍ଭ ବିଷୟରେ ଏହି ସମ୍ବାଦ ସେମାନେ ପାଇଅଛନ୍ତି। 22ତେବେ କଅଣ କରାଯାଏ? ତୁମ୍ଭେ ଆସିଅଛ ବୋଲି ସେମାନେ ଅବଶ୍ୟ ଶୁଣିବେ। 23ଏଣୁ ଆମ୍ଭେମାନେ ତୁମ୍ଭଙ୍କୁ ଯାହା କହୁଅଛୁ, ତାହା କର। ଆମ୍ଭମାନଙ୍କ ପାଖରେ ଚାରି ଜଣ ଲୋକ ଅଛନ୍ତି, ସେମାନେ ଗୋଟିଏ ବ୍ରତ ନେଇଅଛନ୍ତି; 24ସେମାନଙ୍କୁ ନେଇ ସେମାନଙ୍କ ସହିତ ଆପଣାକୁ ଶୁଚି କର, ଆଉ ସେମାନଙ୍କ ମସ୍ତକ ମୁଣ୍ଡନର ବ୍ୟୟ ଭାର ବହନ କର, ତାହାହେଲେ ସେମାନେ ତୁମ୍ଭ ବିଷୟରେ ଯେଉଁ ସବୁ ସମ୍ବାଦ ପାଇଅଛନ୍ତି, ସେଥିରେ ଯେ କିଛି ସତ୍ୟ ନାହିଁ, ବରଂ ତୁମ୍ଭେ ଯେ ନିଜେ ସୁଦ୍ଧା ମୋଶାଙ୍କ ବ୍ୟବସ୍ଥା ପାଳନ କରି ଆଚରଣ କରୁଅଛ, ଏହା ସମସ୍ତେ ଜାଣିବେ। 25କିନ୍ତୁ ଯେଉଁ ଅଣଯିହୁଦୀମାନେ ବିଶ୍ୱାସ କରିଅଛନ୍ତି, ସେମାନଙ୍କ ସମ୍ବନ୍ଧରେ ପ୍ରତିମା ନିକଟରେ ଉତ୍ସର୍ଗୀକୃତ ଜିନିଷ, ରକ୍ତ, ଶ୍ୱାସରୋଧ ଦ୍ୱାରା ମୃତ ପ୍ରାଣୀର ମାଂସ ଆଉ ଯୌନକ୍ରିୟାଠାରୁ ନିଜ ନିଜକୁ ଦୂରେଇ ରଖିବା ଯେ ଉଚିତ, ଆମ୍ଭେମାନେ ଏହା ବିଚାର କରି ଲେଖିଅଛୁ। 26ପାଉଲ ସେଥିରେ ସେହି ଲୋକମାନଙ୍କୁ ନେଇ ପରଦିନ ସେମାନଙ୍କ ସହିତ ଆପଣାକୁ ଶୁଚି କରି ମନ୍ଦିର ଭିତରେ ପ୍ରବେଶ କଲେ, ପୁଣି, ସେମାନଙ୍କ ପ୍ରତ୍ୟେକଙ୍କ ନିମନ୍ତେ ନୈବେଦ୍ୟ ଉତ୍ସର୍ଗ ହେବା ପର୍ଯ୍ୟନ୍ତ ଶୌଚକର୍ମରେ କେତେ ଦିନ ଲାଗିବ, ତାହା ଜଣାଇ ଦେଲେ।


