ପାଉଲ ମନ୍ଦିର ଭିତରେ ଗିରଫ

27ସେହି ସାତ ଦିନ ପ୍ରାୟ ସମ୍ପୂର୍ଣ୍ଣ ହୁଅନ୍ତେ, ଏସିଆର ଯିହୁଦୀମାନେ ମନ୍ଦିରରେ ତାହାଙ୍କୁ ଦେଖି ଲୋକସମୂହକୁ ଉତ୍ତେଜିତ କଲେ, ପୁଣି, ତାହାଙ୍କୁ ଧରି ଚିତ୍କାର କରିବାକୁ ଲାଗିଲେ, 28ହେ ଇସ୍ରାଏଲୀୟ ଲୋକମାନେ, ସାହାଯ୍ୟ କର; ସବୁ ସ୍ଥାନରେ ଯେଉଁ ଲୋକଟା ଆମ୍ଭମାନଙ୍କର ଜାତି, ମୋଶାଙ୍କ ବ୍ୟବସ୍ଥା ଓ ଏହି ସ୍ଥାନ ବିପକ୍ଷରେ ସମସ୍ତଙ୍କୁ ଶିକ୍ଷା ଦିଏ, ସେ ଏହି; ସେ ଆହୁରି ମଧ୍ୟ ଗ୍ରୀକ୍‍ମାନଙ୍କୁ ସୁଦ୍ଧା ମନ୍ଦିର ଭିତରକୁ ଆଣି ଏହି ପବିତ୍ର ସ୍ଥାନକୁ ଅଶୁଚି କରୁଅଛି। 29କାରଣ ପୂର୍ବେ ସେମାନେ ନଗର ମଧ୍ୟରେ ପାଉଲଙ୍କ ସାଙ୍ଗରେ ଏଫିସବାସୀ ତ୍ରଫିମଙ୍କୁ ଦେଖିଥିଲେ, ଆଉ ପାଉଲ ହିଁ ତାହାଙ୍କୁ ମନ୍ଦିର ଭିତରକୁ ଆଣିଥିବେ ବୋଲି ଅନୁମାନ କରୁଥିଲେ। 30ଏଥିରେ ନଗରସାରା ଚହଳ ପଡ଼ିଗଲା, ଲୋକମାନେ ଏକାଠି ଦୌଡ଼ିଲେ, ପୁଣି, ସେମାନେ ପାଉଲଙ୍କୁ ଧରି ମନ୍ଦିର ବାହାରକୁ ଟାଣି ଆଣିଲେ; ଆଉ ସେହିକ୍ଷଣି ଦ୍ୱାରସବୁ ବନ୍ଦ କରାଗଲା। 31ପୁଣି, ତାହାଙ୍କୁ ସେମାନେ ମାରିପକାଇବା ପାଇଁ ଚେଷ୍ଟା କରନ୍ତେ ସମସ୍ତ ଯିରୂଶାଲମ ଗଣ୍ଡଗୋଳରେ ପରିପୂର୍ଣ୍ଣ ହୋଇଅଛି ବୋଲି ସୈନ୍ୟଦଳର ସହସ୍ର-ସେନାପତିଙ୍କ ନିକଟକୁ ସମ୍ବାଦ ଆସିଲା। 32ଏଥିରେ ସେ ସେହିକ୍ଷଣି ସୈନ୍ୟ ଓ ଶତ-ସେନାପତିମାନଙ୍କୁ ନେଇ ସେମାନଙ୍କ ନିକଟକୁ ଦୌଡ଼ିଗଲେ। ସେମାନେ ସହସ୍ର-ସେନାପତି ଓ ସୈନ୍ୟମାନଙ୍କୁ ଦେଖି ପାଉଲଙ୍କୁ ପ୍ରହାର କରିବା ବନ୍ଦ କଲେ। 33ସେତେବେଳେ ସହସ୍ର-ସେନାପତି ପାଖକୁ ଆସି ତାହାଙ୍କୁ ଧରି ଦୁଇଟା ଜଞ୍ଜିରରେ ବାନ୍ଧିବା ପାଇଁ ଆଜ୍ଞା ଦେଲେ, ପୁଣି, ସେ କିଏ ଓ କଅଣ କରିଅଛି ବୋଲି ପଚାରିଲେ। 34ସେଥିରେ ଲୋକମାନଙ୍କ ମଧ୍ୟରୁ କେହି ଏ କଥା, କେହି କେହି ସେକଥା କହି ଚିତ୍କାର କରିବାକୁ ଲାଗିଲେ। ଆଉ, ସେ ଗଣ୍ଡଗୋଳର କାରଣ ନିଶ୍ଚୟରୂପେ କିଛି ଜାଣି ନ ପାରିବାରୁ, ତାହାଙ୍କୁ ଗଡ଼କୁ ନେଇଯିବା ପାଇଁ ଆଦେଶ ଦେଲେ। 35ପୁଣି, ଯେତେବେଳେ ସେ ସୋପାନ ଉପରକୁ ଆସିଲେ, ସେତେବେଳେ ଲୋକସମୂହର ଉଗ୍ରତା ହେତୁ ସୈନ୍ୟମାନଙ୍କୁ ତାହାଙ୍କୁ ବୋହି ନେଇଯିବାକୁ ପଡ଼ିଲା, 36କାରଣ ତାହାଙ୍କୁ ବଧ କର ବୋଲି ଅସଂଖ୍ୟ ଲୋକ ପଛରେ ଯାଉ ଯାଉ ଚିତ୍କାର କରୁଥିଲେ।