ଜନସମାବେଶରେ ପାଉଲଙ୍କ ସମ୍ଭାଷଣ
1ଭାଇମାନେ ଓ ପିତାମାନେ, ମୁଁ ଆପଣମାନଙ୍କ ନିକଟରେ ବର୍ତ୍ତମାନ ଯେଉଁ ଆତ୍ମପକ୍ଷ ସମର୍ଥନର କଥା କହୁଅଛି, ତାହା ଶୁଣନ୍ତୁ। 2ସେ ଏବ୍ରୀ ଭାଷାରେ ସେମାନଙ୍କ ନିକଟରେ କଥା କହୁଅଛନ୍ତି ଶୁଣି ସେମାନେ ଅଧିକ ନୀରବ ହୋଇ ରହିଲେ। 3ସେଥିରେ ସେ କହିଲେ, ମୁଁ ଜଣେ ଯିହୁଦୀ, କିଲିକିୟାର ତାର୍ଷରେ ମୋହର ଜନ୍ମ, କିନ୍ତୁ ଏହି ନଗରରେ ମୁଁ ଲାଳିତ ପାଳିତ ହୋଇଅଛି, ଆମ୍ଭମାନଙ୍କ ପିତୃ-ପୁରୁଷଙ୍କ ବ୍ୟବସ୍ଥାର ସୂକ୍ଷ୍ମ ନିୟମ ଅନୁସାରେ ଗମଲୀୟେଲଙ୍କ ଚରଣ ତଳେ ବସି ଶିକ୍ଷା ପାଇଅଛି; ସମସ୍ତେ ଆଜି ଆପଣମାନେ ଯେପରି ଉଦ୍ଯୋଗୀ ଅଟନ୍ତି, ଈଶ୍ବରଙ୍କ ପକ୍ଷରେ ମୁଁ ମଧ୍ୟ ସେହିପରି ଉଦ୍ଯୋଗୀ ଥିଲି; 4ମୁଁ ଏହି ମାର୍ଗର ପୁରୁଷ ଓ ସ୍ତ୍ରୀ ଉଭୟଙ୍କୁ ବାନ୍ଧି କାରାଗାରରେ ପକାଇ ମୃତ୍ୟୁ ପର୍ଯ୍ୟନ୍ତ ତାଡ଼ନା କରୁଥିଲି। 5ଏହି ବିଷୟରେ ମହାଯାଜକ ଓ ପ୍ରାଚୀନବର୍ଗ ସମସ୍ତେ ମୋହର ସାକ୍ଷୀ; ମୁଁ ସେମାନଙ୍କଠାରୁ ଭାଇମାନଙ୍କ ନିକଟକୁ ପତ୍ର ଗ୍ରହଣ କରି, ଦମ୍ମେଶକରେ ଥିବା ଲୋକମାନେ ଯେପରି ଶାସ୍ତି ପାଆନ୍ତି, ଏଥିପାଇଁ ସେମାନଙ୍କୁ ସୁଦ୍ଧା ବାନ୍ଧି ଯିରୂଶାଲମ ସହରକୁ ଆଣିବା ନିମନ୍ତେ ସେ ସ୍ଥାନକୁ ଯାଉଥିଲି।


