ଆପଣା ମନ-ପରିବର୍ତ୍ତନର ବର୍ଣ୍ଣନା
(ପ୍ରେରିତ 9:1-19; 26:12-18)
6କିନ୍ତୁ ମୁଁ ଯାଉ ଯାଉ ଦମ୍ମେଶକ ସହରର ନିକଟବର୍ତ୍ତୀ ହୁଅନ୍ତେ ହଠାତ୍ ପ୍ରାୟ ମଧ୍ୟାହ୍ନ ସମୟରେ ମୋହର ଚାରିଆଡ଼େ ଆକାଶରୁ ମହା ଆଲୋକ ଚମକି ଉଠିଲା। 7ମୁଁ ସେଥିରେ ଭୂମିରେ ପଡ଼ିଗଲି, ଆଉ ମୋ ପ୍ରତି ଉକ୍ତ ଏହି ବାଣୀ ଶୁଣିଲି, “ଶାଉଲ, ଶାଉଲ, ଆମ୍ଭମାନଙ୍କୁ କାହିଁକି ତାଡ଼ନା କରୁଅଛ?” 8ମୁଁ ଉତ୍ତର ଦେଲି, ପ୍ରଭୁ, ଆପଣ କିଏ? ସେଥିରେ ସେ ମୋତେ କହିଲେ, “ତୁମ୍ଭେ ଯେଉଁ ନାଜରିତୀୟ ଯୀଶୁଙ୍କୁ ତାଡ଼ନା କରୁଅଛ, ଆମ୍ଭେ ସେହି।” 9ଯେଉଁମାନେ ମୋ ସାଙ୍ଗରେ ଥିଲେ, ସେମାନେ ସେହି ଆଲୋକ ଦେଖିଲେ ସତ୍ୟ, କିନ୍ତୁ ଯେ ମୋତେ କଥା କହିଲେ, ସେମାନେ ତାହାଙ୍କ ସ୍ୱର ଶୁଣିଲେ ନାହିଁ। 10ସେଥିରେ ମୁଁ କହିଲି, ପ୍ରଭୁ ମୁଁ କଅଣ କରିବି? ପୁଣି, ପ୍ରଭୁ ମୋତେ କହିଲେ, “ଉଠ, ଦମ୍ମେଶକକୁ ଯାଅ, ଆଉ ଯେ ସମସ୍ତ କର୍ମ ସାଧନ କରିବା ନିମନ୍ତେ ତୁମ୍ଭ ପାଇଁ ନିରୂପିତ ଅଛି, ସେ ସବୁ ତୁମ୍ଭକୁ ସେଠାରେ କୁହାଯିବ।” 11ମୁଁ ସେହି ଆଲୋକର ତେଜ ହେତୁ ଦେଖି ନ ପାରିବାରୁ, ମୋ ସାଙ୍ଗରେ ଥିବା ଲୋକମାନଙ୍କ ଦ୍ୱାରା ଚାଳିତ ହୋଇ ଦମ୍ମେଶକକୁ ଆସିଲି। 12ସେହି ସ୍ଥାନରେ ଥିବା ସମସ୍ତ ଯିହୁଦୀଙ୍କ ନିକଟରେ ସୁଖ୍ୟାତିସମ୍ପନ୍ନ ହନନୀୟ ନାମକ ବ୍ୟବସ୍ଥା ଅନୁସାରେ ଜଣେ ଭକ୍ତ ଲୋକ, 13ମୋʼ ନିକଟକୁ ଆସି ପାଖରେ ଠିଆ ହୋଇ ମୋତେ କହିଲେ, ଭାଇ ଶାଉଲ, ଦୃଷ୍ଟିପ୍ରାପ୍ତ ହୁଅ। ସେହି ମୁହୂର୍ତ୍ତରେ ମୁଁ ତାହାଙ୍କ ପ୍ରତି ଦୃଷ୍ଟିପାତ କଲି। 14ପୁଣି, ସେ କହିଲେ, ଆମ୍ଭମାନଙ୍କର ପିତୃ-ପୁରୁଷଙ୍କର ଈଶ୍ବର ତାହାଙ୍କ ଇଚ୍ଛା ଜାଣିବା ପାଇଁ ଓ ସେହି ଧାର୍ମିକ ବ୍ୟକ୍ତିଙ୍କୁ ଦେଖିବା ପାଇଁ ପୁଣି, ତାହାଙ୍କ ମୁଖରୁ ବାଣୀ ଶୁଣିବା ପାଇଁ ମନୋନୀତ କରିଅଛନ୍ତି, 15କାରଣ ତୁମ୍ଭେ ଯାହା ଯାହା ଦେଖିଅଛ ଓ ଶୁଣିଅଛ, ସେହିସବୁ ବିଷୟରେ ସମସ୍ତ ଲୋକଙ୍କ ସମ୍ମୁଖରେ ସାକ୍ଷୀ ହେବ। 16ଆଉ ତୁମ୍ଭେ ଏବେ କାହିଁକି ବିଳମ୍ବ କରୁଅଛ? ଉଠ, ବାପ୍ତିଜିତ ହୁଅ, ପୁଣି, ତାହାଙ୍କ ନାମରେ ପ୍ରାର୍ଥନା କରି ନିଜ ପାପସବୁ ଧୋଇ ପକାଅ। 17ଏଥିଉତ୍ତାରେ ମୁଁ ଯିରୂଶାଲମ ସହରକୁ ଫେରିଆସି ମନ୍ଦିରରେ ପ୍ରାର୍ଥନା କରୁଥିବା ସମୟରେ ମୂର୍ଚ୍ଛିତ ହୋଇ ତାହାଙ୍କୁ ଦର୍ଶନ କଲି। 18ସେ ମୋତେ କହିଲେ, “ବିଳମ୍ବ ନ କରି ଶୀଘ୍ର ଯିରୂଶାଲମ ସହରରୁ ବାହାରିଯାଅ, କାରଣ ସେମାନେ ଆମ୍ଭ ବିଷୟରେ ତୁମ୍ଭର ସାକ୍ଷ୍ୟ ଗ୍ରହଣ କରିବେ ନାହିଁ।” 19ସେଥିରେ ମୁଁ କହିଲି, ପ୍ରଭୁ, ମୁଁ ଯେ ଆପଣଙ୍କଠାରେ ବିଶ୍ୱାସ କରୁଥିବା ସମସ୍ତଙ୍କୁ ସମାଜଗୃହରେ ଧରି କାରାଗାରରେ ପକାଉଥିଲି ଓ ପ୍ରହାର କରୁଥିଲି, ଏହା ସେମାନେ ନିଜେ ଜାଣନ୍ତି; 20ଆଉ ଆପଣଙ୍କ ସାକ୍ଷୀ ସ୍ତିଫାନଙ୍କ ରକ୍ତପାତ ଯେତେବେଳେ ହେଉଥିଲା, ସେତେବେଳେ ମୁଁ ମଧ୍ୟ ପାଖରେ ଠିଆ ହୋଇ ତାହା ସମର୍ଥନ କରୁଥିଲି, ପୁଣି, ଘାତକମାନଙ୍କର ବସ୍ତ୍ର ରକ୍ଷା କରୁଥିଲି।


