ପାଉଲ ଓ ସହସ୍ର-ସେନାପତି
21ସେଥିରେ ସେ ମୋତେ କହିଲେ, “ଯାଅ, କାରଣ ଆମ୍ଭେ ତୁମ୍ଭକୁ ଦୂରକୁ ଅଣଯିହୁଦୀମାନଙ୍କ ନିକଟକୁ ପଠାଇବୁ।” 22ଲୋକମାନେ ଏହି କଥା ଶୁଣିବା ପରେ ବଡ଼ ପାଟିରେ କହିଲେ, ଏପରି ଲୋକଟାକୁ ପୃଥିବୀରୁ ଦୂର କର, କାରଣ ତାହାର ବଞ୍ଚି ରହିବାର ଉଚିତ୍ ନୁହେଁ। 23ପୁଣି, ଯେତେବେଳେ ସେମାନେ ଚିତ୍କାର କରି ନିଜ ନିଜ ବସ୍ତ୍ର ଫୋପାଡ଼ି ଆକାଶ ଆଡ଼କୁ ଧୂଳି ପକାଇବାକୁ ଲାଗିଲେ, 24ସେତେବେଳେ ସହସ୍ର-ସେନାପତି ତାହାଙ୍କୁ ଗଡ଼ ଭିତରକୁ ନେଇଯିବାକୁ ଅାଦେଶ ଦେଲେ, ପୁଣି, ଲୋକେ କାହିଁକି ତାହାଙ୍କ ବିରୁଦ୍ଧରେ ଏପ୍ରକାର ଚିତ୍କାର କରୁଅଛନ୍ତି, ଏହା ଜାଣିବା ପାଇଁ କୋରଡ଼ା ପ୍ରହାର ଦ୍ୱାରା ତାହାଙ୍କୁ ପରୀକ୍ଷା କରିବା ନିମନ୍ତେ ଆଦେଶ ଦେଲେ। 25ସେମାନେ ପାଉଲଙ୍କୁ ବେତ୍ରାଘାତ କରିବା ପାଇଁ ବାନ୍ଧିଲା ଉତ୍ତାରେ, ପାଉଲ ନିକଟରେ ଠିଆ ହୋଇଥିବା ଶତ-ସେନାପତିଙ୍କୁ କହିଲେ, ଜଣେ ରୋମୀୟ ପ୍ରଜାର ବିଚାର ନ କରି ତାହାକୁ କୋରଡ଼ା ମାରିବା ଆପଣମାନଙ୍କ ପକ୍ଷରେ କି ଆଇନସଙ୍ଗତ? 26ସେହି ଶତ-ସେନାପତି ଏହା ଶୁଣି ସହସ୍ର-ସେନାପତିଙ୍କ ନିକଟକୁ ଯାଇ ତାହାଙ୍କୁ ସେହି କଥା ଜଣାଇ କହିଲେ, ଆପଣ କଅଣ କରିବାକୁ ଯାଉଅଛନ୍ତି? ଏହି ଲୋକ ତ ଜଣେ ରୋମୀୟ। 27ସେଥିରେ ସହସ୍ର-ସେନାପତି ଆସି ତାହାଙ୍କୁ କହିଲେ, ମୋତେ କୁହ, ତୁମ୍ଭେ କି ଜଣେ ରୋମୀୟ? ସେ କହିଲେ ହଁ। 28ସେଥିରେ ସହସ୍ର-ସେନାପତି ଉତ୍ତର ଦେଲେ, ଅନେକ ଅର୍ଥ ଦେଇ ମୁଁ ଏହି ନାଗରିକ ପଦ ପ୍ରାପ୍ତ ହୋଇଅଛି। ପାଉଲ କହିଲେ, କିନ୍ତୁ ମୁଁ ଜନ୍ମରେ ରୋମୀୟ। 29ତେବେ ଯେଉଁ ଲୋକମାନେ ତାହାଙ୍କୁ ପରୀକ୍ଷା କରିବାକୁ ଚେଷ୍ଟା କରୁଥିଲେ, ସେମାନେ ସେହିକ୍ଷଣି ସେଥିରୁ ନିବୃତ୍ତ ହେଲେ, ସହସ୍ର-ସେନାପତି ସୁଦ୍ଧା ସେ ଯେ ଜଣେ ରୋମୀୟ, ଏହା ବୁଝିବାରୁ ଏବଂ ତାହାଙ୍କୁ ବାନ୍ଧିବାରୁ ଭୟ କଲେ।


