ମହାସଭାର ସମ୍ମୁଖରେ ପାଉଲ

30କିନ୍ତୁ କାହିଁକି ସେ ଯିହୁଦୀମାନଙ୍କ ଦ୍ୱାରା ଅଭିଯୁକ୍ତ ହୋଇଅଛନ୍ତି, ତାହା ନିଶ୍ଚୟରୂପେ ଜାଣିବା ଇଚ୍ଛାରେ ସେ ପରଦିନ ତାହାଙ୍କର ବନ୍ଧନ ଫିଟାଇ ପ୍ରଧାନ ଯାଜକ ଓ ସମସ୍ତ ମହାସଭାକୁ ଏକତ୍ର ଆସିବା ପାଇଁ ଆଜ୍ଞା ଦେଲେ, ପୁଣି, ପାଉଲଙ୍କୁ ନେଇ ସେମାନଙ୍କ ସମ୍ମୁଖରେ ଠିଆ କରାଇଲେ।

1ପୁଣି, ପାଉଲ ମହାସଭା ପ୍ରତି ସ୍ଥିର ଦୃଷ୍ଟିରେ ଚାହିଁ କହିଲେ, ଭାଇମାନେ, ମୁଁ ଏହି ଦିନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁବିବେକରେ ଈଶ୍ବରଙ୍କ ସାକ୍ଷାତରେ ଆଚାର-ବ୍ୟବହାର କରି ଆସିଅଛି। 2ସେଥିରେ ମହାଯାଜକ ହାନାନ ତାହାଙ୍କ ପାଖରେ ଠିଆ ହୋଇଥିବା ଲୋକମାନଙ୍କୁ ତାହାଙ୍କ ମୁଖରେ ଆଘାତ କରିବା ପାଇଁ ଆଜ୍ଞା ଦେଲେ। 3ସେତେବେଳେ ପାଉଲ ତାହାଙ୍କୁ କହିଲେ, ହେ ଶୁକ୍ଳୀକୃତ ପ୍ରାଚୀର, ଈଶ୍ବର ତୁମ୍ଭକୁ ଆଘାତ କରିବେ, ତୁମ୍ଭେ ଏକାବେଳେ ବ୍ୟବସ୍ଥା ଅନୁସାରେ ମୋହର ବିଚାର କରିବାକୁ ବସି ବ୍ୟବସ୍ଥା ବିରୁଦ୍ଧରେ ମୋତେ ଆଘାତ କରିବା ପାଇଁ କି ଆଜ୍ଞା ଦେଉଅଛ? 4ସେଥିରେ ନିକଟରେ ଠିଆ ହୋଇଥିବା ଲୋକମାନେ କହିଲେ, ତୁ କି ଈଶ୍ବରଙ୍କ ମହାଯାଜକଙ୍କୁ ନିନ୍ଦା କରୁଅଛୁ? 5ପୁଣି, ପାଉଲ କହିଲେ, ଭାଇମାନେ, ସେ ମହାଯାଜକ ବୋଲି ମୁଁ ଜାଣି ନ ଥିଲି; କାରଣ ଲିଖିତ ଅଛି, ତୁମ୍ଭେ ନିଜ ଲୋକମାନଙ୍କ ଅଧ୍ୟକ୍ଷଙ୍କୁ ଅଭିଶାପ ଦେବ ନାହିଁ। 6ପାଉଲ ଏକ ଭାଗ ସାଦ୍ଦୂକୀ ଆଉ ଅପର ଭାଗ ଫାରୂଶୀ ବୋଲି ଜାଣି ମହାସଭାରେ ଉଚ୍ଚସ୍ୱରରେ କହିଲେ, ଭାଇମାନେ, ମୁଁ ଜଣେ ଫାରୂଶୀ ଓ ଫାରୂଶୀର ପୁତ୍ର; ପୁଣି, ଏହି ଭରସା, ଅର୍ଥାତ୍‍ ମୃତମାନଙ୍କ ପୁନରୁତ୍ଥାନ ସମ୍ବନ୍ଧରେ ମୁଁ ବିଚାରିତ ହେଉଅଛି। 7ସେ ଏହି କଥା କହିବାରୁ ଫାରୂଶୀ ଓ ସାଦ୍ଦୂକୀମାନଙ୍କ ମଧ୍ୟରେ ବିବାଦ, ଓ ସଭାରେ ଦଳଭେଦ ଘଟିଲା। 8କାରଣ ସାଦ୍ଦୂକୀମାନେ ପୁନରୁତ୍ଥାନ, ଦୂତ ଅବା ଆତ୍ମା ନାହାନ୍ତି ବୋଲି କହନ୍ତି, କିନ୍ତୁ ଫାରୂଶୀମାନେ ଉଭୟ ସ୍ୱୀକାର କରନ୍ତି। 9ଏଥିରେ ମହା କୋଳାହଳ ଘଟିଲା, ଆଉ ଫାରୂଶୀମାନଙ୍କ ଦଳର କେତେକ ଶାସ୍ତ୍ରୀ ଉଠି ଯୁକ୍ତିତର୍କ କରି କହିଲେ, ଆମ୍ଭେମାନେ ଏହି ଲୋକଠାରେ କୌଣସି ଦୋଷ ଦେଖୁ ନାହୁଁ, କେଜାଣି କୌଣସି ଆତ୍ମା କିମ୍ବା ଦୂତ ତାହା ସାଙ୍ଗରେ କଥା କହିଅଛନ୍ତି। 10ଏହି ପ୍ରକାରେ ମହା ବିବାଦ ଘଟନ୍ତେ, କାଳେ ପାଉଲ ସେମାନଙ୍କ ଦ୍ୱାରା ଖଣ୍ଡବିଖଣ୍ଡ ହେବେ, ଏହି ଭୟରେ ସହସ୍ର-ସେନାପତି ସେମାନଙ୍କ ମଧ୍ୟରୁ ତାହାଙ୍କୁ ବଳପୂର୍ବକ ଗଡ଼ ଭିତରକୁ ନେଇ ଆସିବା ପାଇଁ ସୈନ୍ୟମାନଙ୍କୁ ଯିବାକୁ ଆଦେଶ ଦେଲେ। 11ପରରାତ୍ରରେ ପ୍ରଭୁ ତାହାଙ୍କ ପାଖରେ ଠିଆ ହୋଇ କହିଲେ, “ସାହସ ଧର, କାରଣ ତୁମ୍ଭେ ଯେପରି ଯିରୂଶାଲମ ସହରରେ ଆମ୍ଭ ବିଷୟରେ ସାକ୍ଷ୍ୟ ଦେଇଅଛ, ସେହିପରି ତୁମ୍ଭକୁ ରୋମରେ ମଧ୍ୟ ସାକ୍ଷ୍ୟ ଦେବାକୁ ହେବ।”